ନୂଆଦିଲ୍ଲୀ ୨୦।୧୧: ପୋଲଷ୍ଟର ପ୍ରଦୀପ ଗୁପ୍ତାଙ୍କ କମ୍ପାନୀ ‘ଏକ୍ସିସ ମାଇଁ ଇଣ୍ଡିଆ’ ଝାଡଖଣ୍ଡ ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ନିମନ୍ତେ ତାଙ୍କର ଏଗଜିଟ ପୋଲ ଫଳାଫଳ ବୁଧବାର ସନ୍ଧ୍ୟା ସାଢେ ୬ଟାରେ ସ୍ୱତନ୍ତ୍ର ରୂପେ ଜାରି କରିବେ। ଏଗଜିଟ୍ ପୋଲ ଫଳାଫଳ ଝାଡ଼ଖଣ୍ଡର ଚୂଡ଼ାନ୍ତ ପର୍ଯ୍ୟାୟ ମତଦାନ ଓ ମହାରାଷ୍ଟ୍ରର ଗୋଟିଏ ପର୍ଯ୍ୟାୟରେ ଶେଷ ହେଉଥିବା ଭୋଟଗ୍ରହଣ ପରେ ପରେ ଜାରି ହେବ। ଏବେ ‘ଏକ୍ସିସ ମାଇଁ ଇଣ୍ଡିଆ’ର ଏଗଜିଟ ପୋଲ ଫଳାଫଳ ତାଙ୍କ କମ୍ପାନୀର ‘ୟୁଟ୍ୟୁବ’ ଚ୍ୟାନେଲରେ ପ୍ରସାରଣ କରାଯିବ।
ଗତମାସରେ ପ୍ରଦୀପଙ୍କ କମ୍ପାନୀ ହରିୟାଣା ଓ ଜମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନ ଫଳାଫଳ ପରେ ‘ଇଣ୍ଡିଆଟୁଡେ’ ଗ୍ରୁପ ସହ ନିଜର ଦୀର୍ଘ ସମ୍ପର୍କ ସମାପ୍ତ କରିଥିଲା। ଏଣୁ ଏଥର ଏଗଜିଟ ପୋଲ ଫଳାଫଳ ଟେଲିଭିଜନ ଲାଇଭ ବଦଳେ ୟୁଟ୍ୟୁବରେ ପ୍ରସାରିତ ହେବ। ଏହି ଏଗଜିଟ ପୋଲ ସାମ୍ବାଦିକ ସଂକେତ ଉପାଧ୍ୟାୟଙ୍କ ‘ରେଡ ମାଇକ୍’ ୟୁଟ୍ୟୁବ ଚ୍ୟାନେଲରେ ମଧ୍ୟ ପ୍ରସାରିତ ହେବ। ଉଲ୍ଲେଖଯୋଗ୍ୟ ଯେ ପ୍ରଦୀପ ଗୁପ୍ତାଙ୍କ କମ୍ପାନୀ ନିକଟରେ ଶେଷ ହୋଇଥିବା କେତେକ ନିର୍ବାଚନର ସଠିକ ପୂର୍ବାନୁମାନ କରିବାରେ ବିଫଳ ହୋଇଥିଲା।
ହରିୟାଣା ବିଧାନସଭା ନିର୍ବାଚନରେ କଂଗ୍ରେସର ବିଜୟକୁ ନେଇ କରାଯାଇଥିବା ଏକଗଜିଟ ପୋଲ ଭୁଲ ପ୍ରମାଣିତ ହୋଇଥିଲା। ଏଠାରେ ବିଜେପି ତୃତୀୟବାର କ୍ଷମତାକୁ ଫେରିଛି। ଏଗଜିଟ ପୋଲ କଂଗ୍ରେସ ସପକ୍ଷରେ ପରିଣାମର ଅନୁମାନ ବ୍ୟକ୍ତ କରିଥିଲା। ତେବେ ନିକଟରେ ତାଙ୍କ କମ୍ପାନୀ ଏହି ମାସ ପ୍ରାରମ୍ଭରେ ହୋଇଥିବା ଆମେରିକା ରାଷ୍ଟ୍ରପତି ନିର୍ବାଚନର ସଠିକ ପୂର୍ବାନୁମାନ କରିଥିବାର ଦାବି କରିଛି। ପ୍ରଦୀପ ଗୁପ୍ତାଙ୍କ ଭବିଷ୍ୟବାଣୀ ଭୁଲ ସାବ୍ୟସ୍ତ ହେବା କାରଣରୁ ଇଣ୍ଟରନେଟରେ ଲୋକେ ତାଙ୍କୁ ସମାଲୋଚନା କରିଥିଲେ।
୨୦୨୪ ଲୋକସଭା ନିର୍ବାଚନରେ ମଧ୍ୟ ପ୍ରଦୀପ ଗୁପ୍ତାଙ୍କ କମ୍ପାନୀ ଏଗଜିଟ ପୋଲରେ ବିଜେପି ନେତୃତ୍ୱରେ ଏନଡିଏ ୪୦୦ରୁ ଅଧିକ ସିଟରେ ବିଜୟୀ ହେବ ବୋଲି ଆକଳନ କରିଥିଲା। କମ୍ପାନୀର ଏଗଜିଟ ପୋଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ଅବକି ବାର ୪୦୦ ପାର’ ସ୍ଲୋଗାନ ସହି ମେଳ ଖାଇଥିଲା। ଏକ୍ସିସ ମାଇଁ ଇଣ୍ଡିଆ ବିଜେପି ଲାଗି ୩୨୨ରୁ ୩୪୦ ସିଟ୍ ର ପୂର୍ବାନୁମାନ କରିଥିଲା। ତେବେ ଫଳାଫଳ ଆସିବା ବେଳକୁ ବିଜେପି ନିଜ ବଳରେ ସଂଖ୍ୟାଗରିଷ୍ଠତା ମଧ୍ୟ ହାସଲ କରିପାରିନଥିଲା। ତେବେ ୨୯୩ ଆସନ ସହିତ ଦେଶରେ ଏନଡିଏର ସରକାର ହୋଇଛି।
ଭାରତରେ ନିର୍ବାଚନ ଆୟୋଗ ଭୋଟଗ୍ରହଣ ପ୍ରକ୍ରିୟା କାଳରେ ଏଗଜିଟ ପୋଲ ସଞ୍ଚାଳନ ଉପରେ ରୋକ ଲଗାଇଛନ୍ତି। ତେବେ ମତଦାନ ଶେଷ ହେବାର ୩୦ ମିନିଟ ପରେ ଏଗଜିଟପୋଲ ପ୍ରସାରଣ କରାଯାଇପାରେ। ଏହି କାରଣରୁ ଝାଡ଼ଖଣ୍ଡ ଓ ମହାରାଷ୍ଟ୍ରର ଭୋଟଗ୍ରହଣ ପରେ ସନ୍ଧ୍ୟା ସାଢେ୬ଟାରେ ଏଗଜିଟ ପୋଲ ପରିଣାମ ଜାରି କରାଯାଇପାରେ।