ମୁମ୍ଵାଇ ୦୩।୧୨; ୨ ଥର ଅଲମ୍ପିକ୍ସ ପଦକ ବିଜୟିନୀ ପିଭି ସିନ୍ଧୁ । ଭାରତର ଅନ୍ୟତମ ଶ୍ରେଷ୍ଠ ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ଚଳିତ ମାସରେ ହାତକୁ ଦି ହାତ ହେବାକୁ ଯାଉଛନ୍ତି । ୨୨ରେ ପିନ୍ଧୁ ହାଇଦ୍ରାବାଦ ସହରରେ କାର୍ଯ୍ୟରତ କମ୍ପ୍ୟୁଟର ଇଞ୍ଜିନିୟର ଭେଙ୍କଟ ଦତ୍ତା ସାଇଙ୍କୁ ବିବାହ କରିବାକୁ ଯାଉଛନ୍ତି । ରାଜସ୍ଥାନର ଉଦୟପୁରରେ ସିନ୍ଧୁ-ଭେଙ୍କଟଙ୍କ ଭବ୍ୟ ବିବାହ ଉତ୍ସବ ଅନୁଷ୍ଠିତ ହେବ। ସୟଦ ମୋଦୀ ଇଣ୍ଟରନ୍ୟାସନାଲ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଚାମ୍ପିୟନ ହୋଇ ସିନ୍ଧୁ ଦୀର୍ଘ ୨ ବର୍ଷ ପରେ କୌଣସି ଟାଇଟଲ ଜିତିଥିଲେ। ଏବେ ତାଙ୍କର ବ୍ୟାଡମିଣ୍ଟନରୁ ଅବସର ନେବାର କୌଣସି ଯୋଜନା ନାହିଁ । ଅତିକମ୍ରେ ସେ ୨ ବର୍ଷ ଖେଳିପାରିବେ ବୋଲି ସିନ୍ଧୁ କହିଛନ୍ତି।
ଡିସେମ୍ବର ୨୦ରୁ ବିବାହ କାର୍ଯ୍ୟକ୍ରମ ଆରମ୍ଭ ହେବ
ସିନ୍ଧୁଙ୍କ ପିତା ପିଭି ରମନ୍ନା କହିଛନ୍ତି, “ଉଭୟ ପରିବାର ପରସ୍ପରକୁ ଜାଣିଥିଲେ କିନ୍ତୁ ସବୁକିଛି ଏକ ମାସ ଭିତରେ ହିଁ ସ୍ଥିର ହୋଇଥିଲା। ଜାନୁଆରୀରେ ସିନ୍ଧୁଙ୍କ କାର୍ଯ୍ୟସୂଚୀ ବ୍ୟସ୍ତ ଅଛି। ତେଣୁ ଏହା ହେଉଛି ଉପଯୁକ୍ତ ସମୟ । ଏହି କାରଣରୁ ଉଭୟ ପରିବାର ୨୨ ଡିସେମ୍ବରରେ ବିବାହ ସମାରୋହ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଥିଲେ। ବିବାହ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ଡିସେମ୍ବର ୨୦ରୁ ଉଦୟପୁରରେ ଆରମ୍ଭ ହେବ। ୨୪ ଡିସେମ୍ବରରେ ହାଇଦ୍ରାବାଦରେ ଏହି ରିସେପ୍ସନ୍ ଅନୁଷ୍ଠିତ ହେବ ।
୨୯ ବର୍ଷିୟା ସିନ୍ଧୁଙ୍କ ଭାବି ସ୍ୱାମୀ ଭେଙ୍କଟା ଦତ୍ତାଙ୍କ ବିଷୟରେ କହିବାକୁ ଗଲେ ସେ ପୋସିଡେକ୍ସ ଟେକ୍ନୋଲୋଜିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅଟନ୍ତି। ଭେଙ୍କଟା କେବଳ ଟେକ୍ନୋଲୋଜି କମ୍ପାନୀ ସହିତ ଜଡିତ ନୁହଁନ୍ତି, ଏହାପୂର୍ବରୁ ସେ ଦୁନିଆର ସବୁଠାରୁ ପ୍ରସିଦ୍ଧ ଟି -୨୦ ଲିଗ୍ ଆଇପିଏଲ୍ ସହିତ ମଧ୍ୟ ଜଡିତ ଥିଲେ। ଭେଙ୍କଟା ତାଙ୍କ ଲିଙ୍କଡଇନ୍ ବାୟୋରେ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି, ଯେଉଁଠାରେ ସେ କହିଥିଲେ ଯେ ସେ ଏକ ଆଇପିଏଲ୍ ଫ୍ରାଞ୍ଚାଇଜ୍ ପରିଚାଳନା କରୁଛନ୍ତି। ତେବେ ସେ ଏଥିରେ ଥିବା ଫ୍ରାଞ୍ଚାଇଜ୍ରେ ନାମ ଉଲ୍ଲେଖ କରି ନାହାଁନ୍ତି।