ଚଣ୍ଡିଖୋଲ: ହଳଦିଆ ମୂଲ୍ୟବାନ ଧାତୁରେ ଠକେଇ । ଅସଲି ସୁନା ଦେବାକୁ କହି ଡିଲ୍ କଲେ, ହେଲେ ନକଲି ଧରାଇଦେଇ ଚାଲିଗଲେ । ଏଭଳି ଏକ ଘଟଣା ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁରରୁ ସାମ୍ନାକୁ ଆସିଛି । ବରଦା ଗାଁର ସୌମ୍ୟକାନ୍ତ ଦଳେଇ ଏହି ଠକେଇର ଶିକାର ହୋଇଛନ୍ତି । ଏନେଇ ସେ ବାଲିଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ।
ଘଟଣା କିଛି ଏହିଭଳି ଥିଲା: ସୌମ୍ୟକାନ୍ତ ଦଳେଇ PSK କମ୍ପାନିରେ ସୁପରଭାଇଜର ଭାଇଜର ଭାବେ କାର୍ଯ୍ୟକରନ୍ତି । ୪ଜଣ ଯୁବକ ତାଙ୍କୁ ମୂଲ୍ୟବାନ ଧାତୁ ସୁନାର ପ୍ରଲଭୋନ ଦେଖାଇଥିଲେ । ୩ଶହ ଗ୍ରାମ୍ ସୁନା ବଦଳରେ ୧୦ ଲକ୍ଷ ଟଙ୍କା ଦେବାକୁ ଡିଲ୍ କରିଥିଲେ । ବିଶ୍ବାସ ଜମେଇବା ପାଇଁ ପ୍ରଥମେ ସାମ୍ପୂଲରେ ଅସଲି ସୁନା ଦେଇଥିଲେ । ଏଥିରେ ସୌମ୍ୟକାନ୍ତ ପ୍ରଭାବିତ ହୋଇ ଠକଙ୍କୁ ଅଗ୍ରୀମ ୧ ଲକ୍ଷ ଟଙ୍କା ଦେଇଥିଲେ ଏବଂ ବାକି ଟଙ୍କା ପର୍ଯ୍ୟାୟ କ୍ରମ ଦେବାକୁ ଚୁକ୍ତି କରିଥିଲେ । ଏହାପରେ ଚାରି ଯୁବକ ୩୦୦ ଗ୍ରାମ୍ ସୁନା ଦେଇ ସେଠାରୁ ଚାଲି ଯାଇଥିଲେ। ପରବର୍ତ୍ତୀ ସମୟରେ ଏହାକୁ ବଣିଆ ଦୋକାନରେପରୀକ୍ଷା କରିବାକୁ ୩ଶହ ଗ୍ରାମ ସୁନା ନକଲି ବୋଲି ଜଣାପଡ଼ିଥିଲା । ସୌମ୍ୟକାନ୍ତ ଠକେଇର ଶିକାର ହେବା ପରେ ବାଲିଚନ୍ଦ୍ରପୁର ଥାନାରେ ଅଭିଯୋଗ କରିଥିଲେ । ଘଟଣାର ତଦନ୍ତ କରି ପୋଲିସ ୪ ଯୁବକଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ୩୦୦ ଗ୍ରାମ୍ର ନକଲି ସୁନା, ୧ ଲକ୍ଷ ଟଙ୍କା ସହ ମୋବାଇଲ ଜବତ ହୋଇଛି । ଅଭିଯୁକ୍ତମାନେ ଯାଜପୁର ଟାଉନ ଓ ଭଦ୍ରକ ଅଞ୍ଚଳର ବୋଲି ଜଣାପଡିଛି । ତେବେ ଏହି ଘଟଣାରେ ଆଉ କାହାର ସଂପୃକ୍ତି ଥିବା ନେଇ ପୋଲିସ ଅଧିକ ତଦନ୍ତ କରୁଛି । ଅନ୍ୟପଟେ ୪ ଠକଙ୍କୁ କୋର୍ଟ ଚାଲାଣ କରାଯାଇଛି ।