ପୁଣି ଲୋକଙ୍କ ସହ ଯୋଡ଼ି ହେବ କଂଗ୍ରେସ, ମଙ୍ଗଳବାରଠୁ ମାରାଥନ ବୈଠକ

Published By : Prameya-News7 Bureau | April 21, 2025 IST

ଭୁବନେଶ୍ଵର: ପୁଣି ଲୋକଙ୍କ ସହ ଯୋଡ଼ି ହୋଇ ରହିବା ପାଇଁ କଂଗ୍ରେସ ଆରମ୍ଭ କରିଛି ବଡ଼ କସରତ। ଜଗତସିଂହପୁର ଜିଲ୍ଲା ଝଙ୍କଡ଼ବାସିନୀ ମା ଶାରଳାଙ୍କ ପୀଠରୁ ଆଜି କଂଗ୍ରେସ ପଦଯାତ୍ରା ଆରମ୍ଭ କରିଛି। ଏଥିସହିତ ରାଜ୍ୟର ବିଭିନ୍ନ ଭାଗରେ ଏଭଳି ପଦଯାତ୍ରା କରିବାକୁ ଘୋଷଣା ମଧ୍ୟ କରିଛି। ଏଥିସହିତ ଆସନ୍ତାକାଲିଠାରୁ କଂଗ୍ରେସ ଭବନରେ ଆରମ୍ଭ ହେବ ମାରାଥନ ବୈଠକ। ଯେଉଁଥିରେ ଫୋକସରେ ରହିବ ସଂଗଠନ ସଜାଡ଼ିବା ଏବଂ ଆଗାମୀ ଦିନ ପାଇଁ ରୋଡମ୍ୟାପ ପ୍ରସ୍ତୁତ କରିବା। ସେପଟେ କଂଗ୍ରେସର ଏଭଳି ପ୍ରୟାସକୁ ବିଜେପି ଗୁରୁତ୍ବ ଦେଇନି।

ଶାରଳାଙ୍କ ପୀଠରୁ କଂଗ୍ରେସର ପଦଯାତ୍ରା। ଜୟ ବାପୁ, ଜୟ ଭୀମ, ଜୟ ସମ୍ବିଧାନ ଏମିତି କିଛି ନାରା ଦେଲା କଂଗ୍ରେସ। ଶାରଳାଙ୍କ ପିଠରୁ  ଗାନ୍ଧୀ ଛକ ଯାଏଁ ପର୍ଯନ୍ତ ଚାଲିଥିଲେ ଦଳର ନେତା ଓ କର୍ମୀ। ଯାହାର ନେତୃତ୍ବ ନେଇଥିଲେ ପିସିସି ସଭାପତି ଭକ୍ତ ଚରଣ ଦାସ । ସଂକଳ୍ପ, ସଂଘର୍ଷ ଓ ସମର୍ପଣକୁ ନେଇ କଂଗ୍ରେସ ରାଜ୍ୟର ସବୁ ଜିଲ୍ଲାରେ ସଚେତନତା ଶୋଭାଯାତ୍ରା କରିବାକୁ କରିଛି ଏଲାନ।  ନାରୀ ନିର୍ଯାତନାକୁ କରିବ ମୁଖ୍ୟ ପ୍ରସଙ୍ଗ। ଆଗାମୀ ଦିନରେ ମୟୁରଭଞ୍ଜରୁ ମାଲକାନାଗିରି ପର୍ଯ୍ୟନ୍ତ ମହା ଶୋଭାଯାତ୍ରା କରାଯିବ ବୋଲି ପିସିସି ସଭାପତି କହିଛନ୍ତି । ସେପଟେ କଂଗ୍ରେସର ପଦଯାତ୍ରାକୁ ସମାଲୋଚନା କରିଛନ୍ତି ବିଜେପି ରାଜ୍ୟସଭାପତି ମନମୋହନ ସାମଲ । ସେ କହିଛନ୍ତି  କଂଗ୍ରେସ   ବିଶ୍ବସନୀୟତା ହରାଇଛି।  ଓଡ଼ିଶା ଲୋକ କଂଗ୍ରେସକୁ ବିରୋଧୀ ଦଳ ଭାବେ ୨୦ ବର୍ଷ ସୁଯୋଗ ଦେଇଥିଲେ । କିନ୍ତୁ ସେ ସୁଯୋଗ ସେମାନେ ହାତ ଛଡା କରିସାରିଛନ୍ତି  । 


ଭକ୍ତ ଦାସ ସଭାପତି ଦାୟିତ୍ବ ନେବା ପରେ କଂଗ୍ରେସକୁ ଟ୍ରାକକୁ ଆଣିବା ପାଇଁ କସରତ ଆରମ୍ଭ କରଛନ୍ତି । ହେଲେ ଭକ୍ତ ଏ ପର୍ଯନ୍ତ ତାଙ୍କ କମିଟି ଗଠନ କରିନାହାଁନ୍ତି । କାଲି ଠାରୁ ତିନିଦିନ ପର୍ଯନ୍ତ କଂଗ୍ରେସ ଭବନରେ ବସିବ ବଡ ବୈଠକ । ସଂଗଠନ ମଜଭୁତ କରିବା ଏବଂ ବିଭିନ୍ନ କମିଟି ଗଠନ ଉପରେ ହେବ ଆଲୋଚନା।   ପ୍ରଭାରୀ ଅଜୟ ଲଲୁ ଏଥିରେ ଉପସ୍ଥିତ ରହିବେ। ଏଥିସହିତ କାଲି ଠାରୁ ୭ ଦିନ ପର୍ଯ୍ୟନ୍ତ ଭୁବନେଶ୍ବର, ଗଞ୍ଜାମ, ଗଜପତି,କୋରାପୁଟ,ମାଲାକାନାଗିରୀ,ନବରଙ୍ଗପୁର, ରାୟଗଡା ଜିଲ୍ଲା ଗସ୍ତ କରିବେ ଲଲ୍ଲୁ।  ଜିଲ୍ଲା ସଭାପତି , ବିଧାୟକ ଏବଂ ସାଂସଦ ପ୍ରାର୍ଥୀ, ବରିଷ୍ଠ ସଦସ୍ୟଙ୍କୁ ଭେଟି ସଂଗଠନ ବାବଦରେ ଆଲୋଚନା କରି  ରୋଡ ମ୍ୟାପ ପ୍ରସ୍ତୁତ କରିବେ। ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଆସୁଥିବାରୁ   କଂଗ୍ରେସ ଏବେ କେନ୍ଦ୍ର ଓ ରାଜ୍ୟର ବିଜେପି ସରକାର ବିରୋଧରେ ବଡ଼ ଯୁଦ୍ଧ ପାଇଁ ନିଜକୁ ପ୍ରସ୍ତୁତ କରିବାରେ ଲାଗିଲାଣି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.