ବାଂଲାଦେଶରେ ନୂଆ ସରକାର; ରାତିରେ ଶପଥ ଗ୍ରହଣ, ମୁଖ୍ୟ ଉପଦେଷ୍ଟା ମହମ୍ମଦ ୟୁନୁସ

Published By : Prameya-News7 Bureau | August 08, 2024 IST

ଢାକା,୦୮/୦୮: ଗୁରୁବାରଠୁ ବାଂଲାଦେଶରେ ଅନ୍ତରୀଣ ସରକାର । ରାତି ସାଢ଼େ ୮ଟାରେ ନୂଆ ସରକାରର ଶପଥ ଗ୍ରହଣ ଉତ୍ସବ । ଏନେଇ ସୂଚନା ଦେଇଛନ୍ତି ସେନା ମୁଖ୍ୟ ୱକାର-ଉଜ୍‌-ଜମାନ । ୧୫ ଜଣ ସଦସ୍ୟଙ୍କୁ ନେଇ ନୂଆ ସରକାର କାମ କରିବ । 


Also Read: ହସିନାଙ୍କ ବିଦାୟ ପରେ କେମିତି ରହିବ ଭାରତ-ବାଂଲାଦେଶର ସମ୍ପର୍କ ? ଅନିଶ୍ଚିତତାରେ ମୁକ୍ତ ବାଣିଜ୍ୟ ବୁଝାମଣା ଏବଂ ତିସ୍ତା ପ୍ରକଳ୍ପ


ବ୍ୟାପକ ହିଂସାକାଣ୍ଡ ପରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଦେଶ ଛାଡ଼ିଛନ୍ତି ଶେଖ ହସିନା । ଏହାପରେ ଦେଶର ଶାସନ କ୍ଷମତା ସେନା ହାତକୁ ଯାଇଛି । ଏବେ ଦେଶରେ ଅନ୍ତରୀଣ ସରକାର ଶପଥ ନେବାକୁ ଯାଉଛି । ଏହି ସରକାରରେ ମୁଖ୍ୟ ଉପଦେଷ୍ଟା ଭୂମିକା ନିର୍ବାହ କରିବେ ନୋବେଲ ଶାନ୍ତି ପୁରସ୍କାର ବିଜେତା ମହମ୍ମଦ ୟୁନୁସ । ସେ ଗୁରୁବାର ପ୍ୟାରିସରୁ ସ୍ୱଦେଶ ଫେରିବେ । 

ମିଡିଆ ସୂଚନା ଅନୁଯାୟୀ,  ସେନା ମୁଖ୍ୟ କହିଛନ୍ତି, ମହମ୍ମଦ ୟୁନୁସଙ୍କ  ତତ୍ତ୍ୱାବଧାନରେ ଗୁରୁବାର ରାତି ୮ଟାରେ ଅନ୍ତରୀଣ ସରକାର ଶପଥ ନେବ । ଦେଶ ଏଣିକି ଗଣତାନ୍ତ୍ରିକ ଉପାୟରେ ପରିଚାଳିତ  ହେବ । ସେହିଭଳି ସ୍ୱଦେଶ ଫେରିବା ପୂର୍ବରୁ  ୟୁନୁସ ଆନ୍ଦୋଳନରେ ସାମିଲ ଥିବା ଛାତ୍ରଛାତ୍ରୀଙ୍କୁ  ଶୁଭେଚ୍ଛା ଜଣାଇଛନ୍ତି । କହିଛନ୍ତି, ମୁଁ ସାହସୀ ଛାତ୍ରଛାତ୍ରୀଙ୍କୁ ଦେଶର ଦ୍ୱିତୀୟ ବିଜୟ ଦିବସ ଅବସରରେ ଅଭିନନ୍ଦନ ଜଣାଉଛି । ସମସ୍ତଙ୍କୁ ହିଂସା ରୋକି ଶାନ୍ତି ମାର୍ଗ ଆପଣାଇବାକୁ ଅପିଲ୍‌ କରୁଛି । କାନ୍ଧରେ କାନ୍ଧ ମିଳାଇ ଦେଶକୁ ଆଗେଇ ନେବାକୁ ହେବ । 


Also Read: ଶ୍ରୀଲଙ୍କା-ବାଂଲାଦେଶ ପରେ ଏବେ ଭାରତ ପାଳି,କଂଗ୍ରେସ ନେତାଙ୍କ ବିବାଦୀୟ ମନ୍ତବ୍ୟ


ବାଂଲାଦେଶରେ ହସିନାଙ୍କ ନେତୃତ୍ୱାଧୀନ ଆୱାମି ଲିଗ୍‌ ସରକାରର ପତନ ଏବଂ ଅନ୍ତରୀଣ  ସରକାର ଗଠନ ପରିପ୍ରେକ୍ଷୀରେ ବିରୋଧୀ ଦଳ ବିଏନ୍‌ପିରେ ଉତ୍ସବର ମାହୋଲ । ସେହି  ଖୁସିରେ ବୁଧବାର ନିଜ ମୁଖ୍ୟାଳୟରେ ଜନସଭା ହୋଇଛି । ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିୟାଙ୍କ ପୁଅ ତାରିକ ରହମାନ ବି ଏହି ଜନସଭାରେ ସାମିଲ ହୋଇ ଜନତାଙ୍କୁ ସମ୍ବୋଧନ କରିଛନ୍ତି । ତାରିକଙ୍କୁ ୨୦୦୪ର ଆତଙ୍କୀ ଆକ୍ରମଣ ମାମଲାରେ ଦୋଷୀ ସାବ୍ୟସ୍ତ  କରାଯାଇଥିଲା । ଏହାପରେ ସେ ଦେଶ ଛାଡ଼ି  ଲଣ୍ଡନ ପଳାଇଥିଲେ।

ସାଢ଼େ ୬ ବର୍ଷ ପରେ ଖାଲିଦା ଜିୟା ଦେଶବାସୀଙ୍କୁ ସମ୍ବୋଧନ କରି କହିଛନ୍ତି, ଏହି ବିଜୟ ଦୁର୍ନୀତି ଓ ନକାରାତ୍ମକ ରାଜନୀତିରୁ ବାହାରିବା ପାଇଁ ଏକ ସୁଯୋଗ  ଦେଇଛି । ଦେଶକୁ ବିକଶିତ କରିବାର ସମୟ ଆସିଛି । ଯୁବଗୋଷ୍ଠୀ ଏହି ଦେଶର  ଭବିଷ୍ୟତ । ସେମାନଙ୍କ ସ୍ୱପ୍ନ ପୂରଣ ପାଇଁ ଆମକୁ ପଦକ୍ଷେପ ନେବାକୁ ହେବ । ଏହାକୁ ବାସ୍ତବରେ ପରିଣତ କରିବାକୁ ହେଲେ ବାଂଲାଦେଶକୁ ଗଣତାନ୍ତ୍ରିକ ଦେଶ ବନାଇବାକୁ  ପଡ଼ିବ । ଖାଲିଦା ଜିୟାଙ୍କୁ ୨୦୧୮ରେ ଦୁର୍ନୀତି   ଅଭିଯୋଗରେ ଗିରଫ କରାଯାଇଥିଲା । ସେବେଠାରୁ ସେ ଜେଲରେ ବନ୍ଦୀ ଥିଲେ ।


Also Read: ବ୍ରିଟେନ୍ ଯିବାକୁ ଚାହୁଁଛନ୍ତି ହସିନା, ହେଲେ ଏଯାଏଁ ମିଳିନି ଅନୁମତି: ଭାରତରେ ନେବେ କି ଶରଣ?

  • Sheikh Hasina
  • Bangladesh Clashes
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.