ନୂଆଦିଲ୍ଲୀ ୦୮/୦୪: ବାଂଲାଦେଶର ଦିନାଜପୁରର ପୋଖରୀ ଭିତରୁ ମିଳିଲା ଭଗବାନ ବିଷ୍ଣୁଙ୍କ ମୂର୍ତ୍ତି । ମାଟି ତଳୁ ଭଗବାନ ବିଷ୍ଣୁଙ୍କ ମୂର୍ତ୍ତି ମିଳିବା ଘଟଣାକୁ ନେଇ ସାରା ଅଞ୍ଚଳରେ ଚର୍ଚ୍ଚା ଜୋର୍ । କାରଣ ଏହି ଘଟଣା ପ୍ରଥମ ନୁହେଁ, ପୂର୍ବରୁ ବି ମାଟି ତଳୁ ମିଳିଛି ପ୍ରଭୁ ବିଷ୍ଣୁଙ୍କ ମୂର୍ତ୍ତି । ଗତ ୪ ବର୍ଷ ଭିତରେ ଦେଶର ଚାରୋଟି ଭିନ୍ନ ଭିନ୍ନ ସ୍ଥାନରେ ଭଗବାନଙ୍କ ପ୍ରତିମା ମିଳିବାର ଖବର ସାମ୍ନାକୁ ଆସିଛି ।
ବାଂଲାଦେଶ ଓଲୋ ଖବରକାଗଜ ରିପୋର୍ଟ ଅନୁଯାୟୀ, ନାଜପୁର ନବାବଗଞ୍ଜର ଏକ ପୋଖରୀ ଖୋଳା ଚାଲିଥିଲା । ଠିକ୍ ଏହି ସମୟରେ ମାଟି ଭିତରୁ ମିଳିଥିଲା ୨୯ ଇଞ୍ଚ୍ ଲମ୍ବ ଏବଂ ୧୩ ଇଞ୍ଚ୍ ଚଉଡ଼ାର ଭଗବାନ ବିଷ୍ଣୁଙ୍କ ମୂର୍ତ୍ତି । ତେବେ ଏହା ଜଣାପଡିବା ପରେ ସେଠାରେ ଆଖପାଖର ଲୋକଙ୍କର ଲାଗିଥିଲା ଗହଳି । କାରଣ ୨୭ କିଲୋ ଓଜନର ଏହି ମୂର୍ତ୍ତିରେ ଭଗବାନ ବିଷ୍ଣୁ ଏବଂ ମା’ ଲକ୍ଷ୍ମୀଙ୍କ ମୁହଁ ରହିଛି ।
ଆଶ୍ଚର୍ଯ୍ୟ କରିବା ଭଳି କଥା ହେଉଛି, ପୋଖରୀ ଖୋଳିବା ପାଇଁ ଜେସିବିର ସାହାଯ୍ୟ ନିଆଯାଇଥିଲା । ହେଲେ ଜେସିବି ମୂର୍ତ୍ତିର କୌଣସି ଅଂଶକୁ କ୍ଷତି ପହଞ୍ଚାଇ ପାରିନଥିଲା । ସ୍ଥାନୀୟ ପୋଲିସ୍ ମୂର୍ତ୍ତି ସବୁକୁ ରକ୍ଷଣାଗାରକୁ ପଠାଇ ଦେଇଛି । ପୁରାତତ୍ତ୍ୱ ବିଭାଗ ଏହାର ଯାଞ୍ଚ୍ କରି ସୂଚନା ଦେବେ ଯେ ଏହି ମୂର୍ତ୍ତି କେତେ ଶତାବ୍ଦୀର । ଏହାପୂର୍ବରୁ ୨୦୨୩ ରେ ବାଂଲାଦେଶର ଫରିଦପୁରରେ ୩୨ କିଲୋ ଓଜନର ଏକ ମୂର୍ତ୍ତି ମିଳିଥିଲା ।
୨୦୨୧ ଅଗଷ୍ଟ ମାସରେ ୧୦୦୦ ବର୍ଷ ପୁରୁଣା ଭଗବାନ ନାରାୟଣଙ୍କ ମୂର୍ତ୍ତି ମିଳିଥିଲା । ବର୍ତ୍ତମାନ ଯେଉଁଠୁ ମୂର୍ତ୍ତିଟି ମିଳିଛି ସେଠାରେ ପୂର୍ବରୁ ରାଜମହଲ ଥିବା କଥା କୁହାଯାଉଛି । ଶତାବ୍ଦୀ ପୂର୍ବରୁ ଏଠାରେ ହିନ୍ଦୁ ଧର୍ମର ରାଜା ଶାସନ କରୁଥିବାର ପ୍ରମାଣ ମିଳେ ଯିଏ କି ଥିଲେ ଜଣେ ଭଗବାନ ନାରାୟଣଙ୍କ ଉପାସକ । ୧୯୪୭ ପୂର୍ବରୁ ବାଂଲାଦେଶ ଭାରତର ଅଂଶ ଥିଲା ।
୧୯୪୭-୭୧ ପର୍ଯ୍ୟନ୍ତ ପାକିସ୍ତାନ ଅଧିନରେ ଚାଲି ଆସିଥିଲା ବାଂଲାଦେଶ ଏବଂ ୧୯୭୧ ରେ ବାଂଲାଦେଶ ସ୍ବତନ୍ତ୍ର ରାଷ୍ଟ୍ର ରୂପେ ମାନ୍ୟତା ପାଇଥିଲା । ପ୍ରଥମେ ସେଠାରେ ବଙ୍ଗାଳୀ ହିନ୍ଦୁ ପରିବାର ବସବାସ କରୁଥିଲେ ଯେଉଁମାନେ ଭଗବାନ ବିଷ୍ଣୁଙ୍କୁ ପୂଜା କରୁଥିଲେ । ଦେଶରୁ ବଙ୍ଗାଳୀ ହିନ୍ଦୁଙ୍କ ସଂଖ୍ୟା କମିବା ସଙ୍ଗେ ସଙ୍ଗେ ଭଗବାନଙ୍କ ମୂର୍ତ୍ତି ମଧ୍ୟ ମାଟି ଭିତରେ ମିଶିଗଲା । ବର୍ତ୍ତମାନ ମାଟି ଖୋଳିଲେ ମିଳୁଛି ପ୍ରଭୁଙ୍କ ମୂର୍ତ୍ତି ।