ବରପାଲି କଲେଜରେ ପ୍ରଶ୍ନପତ୍ର ଲିକ୍ ମାମଲା,କଲେଜ କିରାଣୀ ସମେତ ୧୨ ଗିରଫ

Published By : Prameya-News7 Bureau | January 31, 2025 IST

ବରଗଡ ୩୧/୧: ବରପାଲି କଲେଜରେ ପ୍ରଶ୍ନପତ୍ର ଲିକ୍ ମାମଲାରେ ବନ୍ଧା ହେଲେ ୧୨ । ଗିରଫଙ୍କ ମଧ୍ୟରେ କଲେଜ କିରାଣୀ ନାକଟିଦେଉଳର ଆଲୋକ ସାହୁ, ଜଣେ କଂପ୍ୟୁଟର ଦୋକାନୀ ସମେତ ବରଗଡ ଜିଲ୍ଲାର ବିଭିନ୍ନ କଲେଜର ୧୦ ଜଣ ଛାତ୍ର ଥିବା ସୂଚନା ରହିଛି । ସମ୍ବଲପୁର ବିଶ୍ବବିଦ୍ୟାଳୟ ପରିଚାଳିତ ଯୁକ୍ତ ୩ ଦ୍ବିତୀୟ ବର୍ଷ ତୃତୀୟ ସେମିଷ୍ଟାର ପରୀକ୍ଷା ଚାଲିଥିବାବେଳେ ଗତ ୨୮ରେ ବରପାଲି କଲେଜରେ ସ୍କ୍ବାଡ ଯାଞ୍ଚ ସମୟରେ ପ୍ରଶ୍ନ ଲିକ୍‌ ହୋଇଥିବା ନେଇ ଘଟଣା ପ୍ରଘଟ ହୋଇଥିଲା । ଯାହାକୁ ନେଇ କଲେଜର ଅଧ୍ୟକ୍ଷ ବରପାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତେବେ ରାଜନୀତି ବିଜ୍ଞାନ ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ସୂଚନା ମିଳିଛି । 

ବରପାଲି ମହାବିଦ୍ୟାଳୟରେ ପରୀକ୍ଷା ଚାଲିଥିବାବେଳେ ସ୍କ୍ବାଡ୍‌ ଚେକିଂ ବେଳେ ପ୍ରଶ୍ନ ପତ୍ର ଓ ଉତ୍ତର ସମାନ ହୋଇଥିବା ଦେଖିବାକୁ ମିଳିଥିଲା ତୁରନ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ସୂଚନା ଦେବା ପରେ ଅଧ୍ୟକ୍ଷା ପରୀକ୍ଷା ହଲ୍‌କୁ ଆସି ତଦାରଖ କରିବା ପରେ କିଛି ଛାତ୍ର ଧରାପଡିଥିଲେ । ପ୍ରଶ୍ନପତ୍ର ଲିକ୍‌କୁ ନେଇ ବରପାଲି ମହାବିଦ୍ୟାଳୟର ଅଧ୍ୟକ୍ଷା ସୁଶ୍ରୀ ଜୟନ୍ତୀ ଦାଶ ବରପାଲି ଥାନାରେ ଏତଲା ଦେଇଥିଲେ । 

ଅଭିଯୋଗ ଆଧାରରେ ଛାନ୍‌ଭିନ୍‌ ଚଳାଇଥିଲା ପୋଲିସ । ଗୁରୁବାର ବିଳମ୍ବିତ ରାତିରେ ୧୦ ଛାତ୍ର, ଜଣେ କିରାଣୀ,ଜଣେ କଂପ୍ୟୁଟର ଦୋକାନୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଘଟଣା ସଂପର୍କରେ କଲେଜ କର୍ତ୍ତପକ୍ଷ ଓ ପୋଲିସ ପକ୍ଷରୁ କୌଣସି ସୂଚନା ଦେଇନାହାନ୍ତି । 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.