ବାରିପଦା ୨୮/୧: ମହେନ୍ଦ୍ର ପଛେ ପଛେ ଚାଲିଗଲା ଭବାନୀ । ଶିମିଳିପାଳ ଜେନାବିଲରେ ଆଖି ବୁଜିଲା ପୋଷାହାତୀ ଭବାନୀ । ମୃତ୍ୟୁ ବେଳକୁ ଭବାନୀକୁ ୬୦ ବର୍ଷ ହୋଇଥିଲା । ଭବାନୀର ପୋଷ୍ଟମର୍ଟମ କରାଯିବା ନେଇ ସୂଚନା ଦେଇଛନ୍ତି RCCF ପ୍ରକାଶ ଚାନ୍ଦ ଗୋଗୀନେନି । ଶିମିଳିପାଳ ଅଭୟାରଣ୍ୟ ସୁରକ୍ଷାରେ ନିୟୋଜିତ ହୋଇଥିଲା ପୋଷା ହାତୀ ।
ମଙ୍ଗଳବାର ସକାଳୁ ହାତୀଟିର ମୃତ୍ୟୁ ହୋଇଥିବାବେଳେ ବନ କର୍ମଚାରୀ ଓ ପ୍ରାଣୀପ୍ରେମୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ବୟସାଧିକ କାରଣରୁ ଭବାନୀର ଦାନ୍ତ ନଥିଲା । କେବଳ ନରମ ଖାଦ୍ୟ ଖାଉଥିଲା । ଅଭୟାରଣ୍ୟରେ କାଠ ମାଫିଆ ଓ ବନ୍ୟଜନ୍ତୁ ଶିକାରୀ ରୋକିବା ପାଇଁ ତଥା ପାଟ୍ରୋଲିଂ ପାଇଁ ୨୦୦୧ ଡିସେମ୍ବର ମାସରେ ଶିମିଳିପାଳକୁ ଆସିଥିଲା ଭବାନୀ ।
କର୍ଣ୍ଣାଟକ ରାଜୀବ ଗାନ୍ଧୀ ଜାତୀୟ ଉଦ୍ୟାନ ହାମ୍ସୁରା ବନ୍ୟପ୍ରାଣୀ ଡିଭିଜନର ହସ୍ତୀପ୍ରକଳ୍ପ ଶିବିରରୁ ତାଲିମ ପ୍ରାପ୍ତ ଦନ୍ତା ହାତୀ ମହେନ୍ଦ୍ର,୨ଟି ମାଈ ହାତୀ ଭବାନୀ,ଶୋଭା ଓ ୩ଟି କୁମ୍କୀ ହାତୀଙ୍କୁ ଶିମିଳିପାଳ ଅଣାଯାଇଥିଲା । ପ୍ରଥମେ ଶୋଭା ଓ କିଛି ଦିନ ପୂର୍ବରୁ ମହେନ୍ଦ୍ରର ମୃତ୍ୟୁ ହୋଇଥିଲା ।