ନୂଆଦିଲ୍ଲୀ: ପାକିସ୍ତାନ ହାଇବ୍ରିଡ ମଡେଲ ଉପରେ ସହମତି ହେବା ଏବଂ ତା ପରିବର୍ତ୍ତେ ଦୁଇଟି ସର୍ତ୍ତ ରଖିବା ପରେ ଲାଗୁଥିଲା ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଉପୁଜିଥିବା ଗତିରୋଧ ଦୂର ହୋଇଯିବ। କିନ୍ତୁ ସେମିତି ହେବା ପରି ଲାଗୁନି। ସଦ୍ୟତମ ରିପୋର୍ଟ ଅନୁଯାୟୀ, ପାକିସ୍ତାନର ଏକ ବଡ଼ ଦାବିକୁ ଅଗ୍ରାହ୍ୟ କରି ଦେଇଛି ବିସିସିଆଇ। ଫଳରେ ପୁଣି ଥରେ ଚାମ୍ପିଅନ୍ସ ଟ୍ରଫିର ଆୟୋଜନ ଉପରେ ସସପେନ୍ସ ଲାଗି ରହିଛି।
ଚାମ୍ପିଅନ୍ସ ଟ୍ରଫି ମାମଲାରେ ପାକିସ୍ତାନ କ୍ରିକେଟ୍ ବୋର୍ଡ ଚାହୁଁଥିଲା ଯେ, ହାଇବ୍ରିଡ ମଡେଲ୍ ସ୍ଵୀକାର କରିବା ବଦଳରେ ତାର ବି ଫାଇଦା ହେବ ଏବଂ ବିସିସିଆଇ ବି ସନ୍ତୁଷ୍ଟ ହେବ। ପିସିବିର କହିବା କଥା ଭାରତୀୟ ଦଳ ଯଦି ତାଙ୍କ ଦେଶ ଆସିବାକୁ ଚାହୁଁନି ତେବେ ପାକିସ୍ତାନ ମଧ୍ୟ ଆଗାମୀ ଆଇସିସି ଟୁର୍ଣ୍ଣାମେଣ୍ଟ ଖେଳିବା ପାଇଁ ଭାରତ ଯିବ ନାହିଁ ଏବଂ ସେହି କ୍ଷେତ୍ରରେ ବି ହାଇବ୍ରିଡ ମଡେଲ୍ ଲାଗୁ ହେଉ। ସ୍ପଷ୍ଟ ଭାବେ କହିବାକୁ ଗଲେ ପାକିସ୍ତାନ ପକ୍ଷରୁ ଭାରତ-ପାକିସ୍ତାନ ମ୍ୟାଚ୍ ଦୁବାଇରେ ଆୟୋଜନ ନେଇ ଦାବି କରାଯାଇଥିଲା। ଏବେ ସଦ୍ୟତମ ଖବର ଅନୁଯାୟୀ, ବିସିସିଆଇ ଭାରତ ବନାମ ପାକିସ୍ତାନର ଆଗାମୀ ମ୍ୟାଚ୍ଗୁଡ଼ିକ ହାଇବ୍ରିଡ ମଡେଲ ଆଧାରରେ ଖେଳାଯିବା ଦାବିକୁ ପ୍ରତ୍ୟାଖ୍ୟାନ କରିଛି।
Also read: ଭାରତର ରୋଜଗାରରେ ଜଳୁଛି ପାକିସ୍ତାନ....ଜାଣନ୍ତୁ ଆଇସିସିର ରେଭେନ୍ୟୁ ମଡେଲ
ପିସିବି ଦାବି କରିଥିଲା ଯେ, ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ କୌଣସି ବି ଆଇସିସି ଟୁର୍ଣ୍ଣାମେଣ୍ଟରେ ହେବାକୁ ଥିବା ଭାରତ ବନାମ ପାକିସ୍ତାନ ମ୍ୟାଚ୍କୁ ନିରପେକ୍ଷ ସ୍ଥାନରେ ଖେଳାଯାଉ। ଆଉ ନିରପେକ୍ଷ ସ୍ଥାନ ଭାବେ ଦୁବାଇକୁ ଚୟନ କରାଯାଇଥିଲା। ଏହି ଫର୍ମୁଲାକୁ ସବୁଜ ସଙ୍କେତ ମିଳିବା ନେଇ ଆଶା କରାଯାଉଥିଲା। ମାତ୍ର ପାକିସ୍ତାନୀ ଗଣମାଧ୍ୟମ ଅନୁଯାୟୀ, ବିସିସିଆଇ ପାକିସ୍ତାନର ଏହି ଦାବିକୁ ଅଗ୍ରାହ୍ୟ କରିଛି।
ରିପୋର୍ଟ ଅନୁଯାୟୀ, ବିସିସିଆଇ ପ୍ରଥମେ ଏହାକୁ ‘ପାର୍ଟନରସିପ’ ଫର୍ମୁଲା ଭାବେ ରୁଚି ପ୍ରକାଶ କରିଥିଲା। ଏହି ଫର୍ମୁଲା ଆଧାରରେ ଆଗାମୀ ତିନି ବର୍ଷ ଭାରତ ବନାମ ପାକିସ୍ତାନ ମ୍ୟାଚ୍ ଦୁବାଇରେ ଖେଳା ଯିବାର ଥିଲା। କିନ୍ତୁ ପାକିସ୍ତାନୀ ଗଣମାଧ୍ୟମ ଅନୁଯାୟୀ, ବିସିସିଆଇ ଏହି ପ୍ରସ୍ତାବ ସ୍ଵୀକାର କରିବାକୁ ପ୍ରସ୍ତୁତ ନୁହେଁ। ଅନ୍ୟପଟେ ପିସିବିର କହିବା କଥା ଯଦି ଭାରତ ଏହି ଫର୍ମୁଲା ସ୍ଵୀକାର ନ କରେ ତେବେ ଆମେ ବି ଭବିଷ୍ୟତରେ ନିଜର ଦଳ ଭାରତ ପଠାଇବୁ ନାହିଁ। ଯଦି ଭବିଷ୍ୟତରେ ଭାରତରେ କୌଣସି ଆଇସିସି ଟୁର୍ଣ୍ଣାମେଣ୍ଟ ହୁଏ ତେବେ ଆମ ବିପକ୍ଷ ମ୍ୟାଚ୍ ଦୁବାଇରେ ଖେଳାଯାଉ। ସାଂପ୍ରତିକ ସ୍ଥିତିକୁ ଦେଖିଲେ ଚାମ୍ପିଅନ୍ସ ଟ୍ରଫି ଆୟୋଜନ ଏବେ ନୂଆ ଅଧ୍ୟକ୍ଷ ଜୟ ଶାହଙ୍କ ପାଇଁ ବଡ଼ ଆହ୍ଵାନ ହୋଇପାରେ।