‘ବିଳମ୍ବରେ ହେଉ ପଛେ ଆସିଲେ’...ଅଖିଳେଶଙ୍କ ଆସ୍ଥାର ବୁଡ଼କୁ ନେଇ ବିଜେପିର କଟାକ୍ଷ

Published By : Prameya-News7 Bureau | January 27, 2025 IST

ପ୍ରୟାଗରାଜ: ପ୍ରୟାଗ ସଙ୍ଗମରେ ଭିଡ଼ ଲାଗିଲାଣି । ୧୪୩ ବର୍ଷ ପରେ ମହାକୁମ୍ଭ ଆୟୋଜନ ହେଉଥିବାରୁ ଆସ୍ଥାର ବୁଡ଼ ପକାଉଛନ୍ତି ଶ୍ରଦ୍ଧାଳୁ । ସାଧୁ, ସନ୍ଥଙ୍କ ଠାରୁ ବିଦେଶୀ ପର୍ଯ୍ୟନ୍ତ ସମସ୍ତେ ଶ୍ରଦ୍ଧାର ବୁଡ଼ ପକାଇଛନ୍ତି । ଏଥିରୁ ବାଦ୍ ପଡ଼ିନାହାନ୍ତି ରାଜନେତା । ପ୍ରୟାଗରାଜର ସଙ୍ଗମ ସ୍ଥଳରେ ଏବେ ରାଜନେତାଙ୍କ ଭିଡ଼ ଲାଗୁଛି । ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ସିଂହ ଯାଦବ ପ୍ରୟାଗରାଜରେ ପହଞ୍ଚି ପବିତ୍ର ବୁଡ଼ି ପକାଇଛନ୍ତି । ଯାହାର ଫଟୋ ଭାଇରାଲ୍ ହେବାରେ ଲାଗିଛି । ବୁଡ଼ ପକାଇବା ପରେ ଅଖିଲେଶ ସିଂହ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ସ୍ବାମୀ ଅଭିମୁକ୍ତେଶ୍ବର ସରସ୍ବତୀଙ୍କ ଆଶୀର୍ବାଦ ନେଇଛନ୍ତି । ଏହାକୁ ନେଇ ଭାରତୀୟ ଜନତା ପାର୍ଟି କଟାକ୍ଷ କରିଛି । ଉତ୍ତର ପ୍ରଦେଶ ଉପ-ମୁଖ୍ୟମନ୍ତ୍ରୀ ବ୍ରିଜେଶ୍ ପାଠକ ନକହି ନକହି ବହୁତ ବଡ଼ କଥା କହିଛନ୍ତି ।  ‘ବିଳମ୍ବରେ ହେଉ ପଛେ ଆସି ବୁଡ଼ ପକାଇଲେ । ନିଜ ଆଖିରେ ସେ ଆସ୍ଥାକୁ ସୁଅକୁ ଦେଖିଛନ୍ତି ଅଖିଳେଶ ଯାଦବ । ତେଣୁ  ମୁଁ ଅନାବଶ୍ୟକ ଟିପ୍ପଣୀରୁ ଦୂରେଇ ରହିବାକୁ ଚାହେଁ ବୋଲି କହିଛନ୍ତି ବ୍ରିଜେଶ୍ । 

ରବିବାର ଅପରାହ୍ନରେ ଅଖିଳେଶ ସିଂହ ଯାଦବ ପ୍ରୟାଗରାଜରେ ପହଞ୍ଚିଥିଲେ । ପ୍ରଥମେ ସେ ସ୍ବର୍ଗତ ବାପା ମୁଲାୟମ ସିଂ ଯାଦବଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ପରେ ମହାକୁମ୍ଭର ସଙ୍ଗମ ସ୍ଥଳରେ ସ୍ନାନ କରିଥିଲେ । ଏହାପରେ ସେଠାରେ ଥିବା କିନ୍ନର ଆଖାଡ଼ାରେ ପହଞ୍ଚି ସେମାନଙ୍କ ଆଶୀର୍ବାଦ ନେବା ସହିତ କୁମ୍ଭରେ ଥିବା ସାଧୁ ଓ ସନ୍ନ୍ୟାସୀଙ୍କର ଆଶୀର୍ବାଦ ବି ନେଇଥିଲେ । ଅଖିଳେଶ କହିଛନ୍ତି, ମହାକୁମ୍ଭକୁ ଦେଶ ବିଦେଶରୁ କୋଟି କୋଟି ଶ୍ରଦ୍ଧାଳୁ ଆସୁଛନ୍ତି । ତେଣୁ ମୁଁ ଏଥିରୁ ବାଦ୍ ପଡ଼ିବି କେମିତି, ଧର୍ମ ଓ ଆସ୍ଥାର ବୁଡ଼ ପକାଇବାର ସୁଯୋଗ ଭାଗ୍ୟରେ ଥିଲେ ମିଳେ । ଏହାପରେ ଉତ୍ତର ପ୍ରଦେଶ ପ୍ରଶାସନକୁ ଟାର୍ଗେଟ୍ କରିଥିଲେ । ସେ କହିଛନ୍ତି, ୧୪୩ ବର୍ଷ ପରେ ମହାକୁମ୍ଭ ଆୟୋଜନ ହେଉଛି । କୌଣସି ଶ୍ରଦ୍ଧାଳୁ ଏଥିରୁ ବଞ୍ଚିତ ନହେବା ଦରକାର ।  ବୟସ୍କ ଶ୍ରଦ୍ଧାଳୁମାନେ ମହାକୁମ୍ଭକୁ ଆସି ବହୁ କଠିନ ପରିସ୍ଥିତର ସମ୍ମୁଖୀନ ହେଉଛନ୍ତି । ତେଣୁ ସରକାର ସେମାନଙ୍କ ପାଇଁ ସମସ୍ତ ସୁବିଧା କରିବା ଜରୁରୀ ବୋଲି ଅଖିଳେଶ କହିଛନ୍ତି । ତେବେ ସମାଜବାଦୀ ପାର୍ଟି ମୁଖ୍ୟଙ୍କ ଏହି ଟିପ୍ପଣୀକୁ ଖାରଜ କରିଛନ୍ତି ଉତ୍ତର ପ୍ରଦେଶ ଉପ-ମୁଖ୍ୟମନ୍ତ୍ରୀ ବ୍ରିଜେଶ ପାଠକ । ଶ୍ରଦ୍ଧାଳୁଙ୍କ ପାଇଁ ସମସ୍ତ ସୁବିଧା ଯୋଗୀ ସରକାର କରିଛନ୍ତି । ତେଣୁ ଅନାବଶ୍ୟକ ବୟାନବାଜିରୁ ମୁଁ ଦୂରେଇ ରହିବା ଚାହେଁ । ଅଖିଳେଶ ଯାଦବ ବିଳମ୍ବରେ ହେଉ ପଛେ ପ୍ରୟାଗରାଜରେ ପହଞ୍ଚି ଶ୍ରଦ୍ଧାର ବୁଡ଼ ପକାଇଛନ୍ତି । ନିଜ ଅଖିରେ ସେ ଆସ୍ଥର ସ୍ରୋତରୁ ଅନୁଭବ କରିଛନ୍ତି ।...

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.