ଭୁବନେଶ୍ବର ୨୫/୧୧: ରାଜଧାନୀରେ ଲୁଟ୍ ବେଳେ ଗାଡିରୁ ପଡି ମହିଳାଙ୍କ ମୃତ୍ୟୁ ଘଟଣା । ଝାଡଖଣ୍ଡରୁ ଅଭିଯୁକ୍ତକୁ ବାନ୍ଧିଲା ପୋଲିସ । ଗିରଫ ଅଭିଯୁକ୍ତ ରାଜୁ ନାଇଡୁ । ମୁଖ୍ୟ ଅଭିଯୁକ୍ତ ଏବେବି ଫେରାର ଅଛି । ଖୁବ ଶୀଘ୍ର ଅଭିଯୁକ୍ତ ରାଜୁକୁ ରିମାଣ୍ଡରେ ଅଣାଯିବା ନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି ପିନାକ ମିଶ୍ର । ଗତ ୧୧ ତାରିଖର ଘଟଣା । ଏୟାରଫିଲ୍ଡ ଥାନା ଲବଣଗିରିର ୟୁ.ବିଷ୍ଣୁ ପାତ୍ର ସ୍ବାମୀଙ୍କ ସହ ବାଇକରେ ଯାଉଥିବାବେଳେ ୨ ଜଣ ଲୁଟେରା ଲୁଟ୍ ଉଦ୍ୟମ କରିଥିଲେ । ମହିଳା ଗାଡିରୁ ପଡିଯାଇଥିବାବେଳେ ତାଙ୍କ ଚେନ୍ ନେଇ ପଳାଇଥିଲେ । ମହିଳାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ୧୩ ତାରିଖରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।
୨ ଲୁଟେରା ଜନଗହଳି ପୂର୍ଣ୍ଣ ରାସ୍ତାରେ ନଯାଇ ଅଲଗା ରାସ୍ତାରେ ଖସି ଯାଇଥିବାରୁ ଧରିବାକୁ ପୋଲିସ ପାଇଁ ଚ୍ୟାଲେଞ୍ଜ ଥିଲା । ଲୁଟେରାଙ୍କୁ ଧରିବାକୁ ୬ଟି ଟିମ୍ ଗଠନ କରିଥିଲା ପୋଲିସ । ୭୬ରୁ ଅଧିକ ଅପରାଧୀଙ୍କୁ ପଚରାଉଚରା କରାଯାଇଥିଲା । ୪ଶହରୁ ଅଧିକ ସିସିଟିଭି ଯାଞ୍ଚ କରାଯାଇଥିଲା । ଝାଡଖଣ୍ଡରେ ୪ ଦିନ ଡେରା ପକାଇ ୧୦ଟି ସ୍ଥାନରେ ରେଡ୍ କରିବା ପରେ ଅଭିଯୁକ୍ତ ରାଜୁକୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ସୁନ୍ଦରପଦାର ଏକ ଭଡା ଘରେ ରହୁଥିଲା । ସେଠାରୁ ଚେନ୍ ଓ ଡ୍ରେସ ଜବତ କରିଛି ପୋଲିସ ।