ଭୁବନେଶ୍ବର ୨୪/୧୧: ଡିଜି ସମ୍ମିଳନୀ ପୂର୍ବରୁ ଆକ୍ସନ ମୋଡ୍ରେ କମିଶନରେଟ୍ ପୋଲିସ । ଚାଲିଛି ଅପରେସନ୍ ହ୍ୱାଇଟ୍ ୱାଶ 1.0 । ରାଜଧାନୀବାସୀଙ୍କ ସୁରକ୍ଷାକୁ ବଢାଇବା ଓ ଆଇନ ଶୃଙ୍ଖଳା ରକ୍ଷା ପାଇଁ ଆରମ୍ଭ ହୋଇଛି ଅପରେସନ । ୪୮ ଘଣ୍ଟା ମଧ୍ୟରେ ଭୁବନେଶ୍ବର ପୋଲିସ ଅପରେସନ୍ ହ୍ୱାଇଟ୍ ୱାଶ 1.0 ସଫଳତାର ସହ ପରିଚାଳନା କରିଥିଲା। ଏହି ବୃହତ ଅପରେସନ ସମ୍ପତ୍ତି ଅପରାଧୀ, ଡ୍ରଗ୍ ବେପାରୀ, ବୁଟ୍ ଲେଗର୍, ପଳାତକ ୱାରେଣ୍ଟ ଅପରାଧୀ ଏବଂ ଆଇନର ଅନ୍ୟ ଉଲ୍ଲଂଘନକାରୀଙ୍କୁ ଟାର୍ଗେଟ କରଯାଇଥିଲା। ସ୍ପେଶାଲ ସ୍କ୍ବାର୍ଡ ସଦସ୍ୟ ତଥା ବିଭିନ୍ନ ପୋଲିସ୍ ଷ୍ଟେସନର କର୍ମଚାରୀଙ୍କୁ ମିଶାଇ ୨୦ଟି ଟିମ୍ କରିଥିଲେ ଏହି ଅପରେସନ୍ ।
ଅପରେସନରେ ୨୯ ଜଣ ସମ୍ପତ୍ତି ଅପରାଧୀଙ୍କ ସମେତ ୭୪ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ। କେବଳ ଗିରଫ କରାଯାଇନି, ସେମାନଙ୍କଠାରୁ ୩୭ ଟି ମୋବାଇଲ୍ ଫୋନ୍, ୩ ଟି ମୋଟରସାଇକେଲ୍ ଆଦି ବିଭିନ୍ନ ଚୋରୀ ସାମଗ୍ରୀ ମଧ୍ୟ ଜବତ କରାଯାଇଛି। ଏଥିସହ ବ୍ରାଉନସୁଗାର, ଗଞ୍ଜା ମଧ୍ୟ ଜବତ କରାଯାଇଛି।
ଅପରାଧୀଙ୍କୁ ଧରିବାକୁ ଜନସାଧାରଣଙ୍କ ସହଯୋଗ କରିବାକୁ ଅପିଲ କରିଛି ପୋଲିସ । ଅପରାଧୀ ଏବଂ ଅପରାଧିକ ସମ୍ପର୍କରେ ପୋଲିସକୁ ସୂଚନା ଦେବାକୁ ସ୍ୱତନ୍ତ୍ର ହ୍ବାଟ୍ସ ଆପ୍ ନମ୍ବର 707798111 ଜାରି କରାଯାଇଛି ।ସୂଚନା ଦାତାଙ୍କ ସମସ୍ତ ତଥ୍ୟ ଗୋପନୀୟ ରଖାଯିବା ନେଇ କୁହାଯାଇଛି ।
ପ୍ରତି ରବିବାର ଭୁବନେଶ୍ବରରେ ଥିବା ସମସ୍ତ ଥାନା ମାନଙ୍କରେ ହେବ ସୁଧାର ପରେଡ୍ । ସାମାଜିକ ବିରୋଧୀ କାର୍ଯ୍ୟକଳାପରେ ସଂପୃକ୍ତ ବ୍ୟକ୍ତି ବିଶେଷଙ୍କୁ ପୁନଃ ଥଇଥାନ କରିବା ଉଦ୍ଦେଶ୍ୟରେ କରାଯିବ ସୁଧାର ପରେଡ୍ । ଏନେଇ ଡିସିପିଙ୍କ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ ସୂଚନା ଦିଆଯାଇଛି ।