ମୁମ୍ବାଇ ୨୫।୧୧: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦକୁ ନେଇ ସୋମବାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇପାରେ। ରାଜ୍ୟର ମୁଖ୍ୟମନ୍ତ୍ରୀ ଦୈଡରେ ଏକନାଥ ସିନ୍ଦେ ମଧ୍ୟ ଅଛନ୍ତି, ଯିଏ ଗତ ଅଢେଇ ବର୍ଷ ହେଲା ରାଜ୍ୟରେ ସରକାରକୁ ନେତୃତ୍ୱ ଦେଇଆସୁଛନ୍ତି। ଅନ୍ୟପଟେ ନିର୍ବାଚନରେ ବିଜେପିକୁ ୧୩୨ ଆସନ ମିଳିବା ଦେବେନ୍ଦ୍ର ଫଡନବୀଶଙ୍କୁ ପଦବୀ ନିମନ୍ତେ ଆଶାୟୀ କରିଛି। ଏଣୁ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଏକନାଥ ସିନ୍ଦେ ଓ ଦେବେନ୍ଦ୍ର ଫଡନବୀଶଙ୍କ ମଧ୍ୟରେ ଏବେ ଫାଇଟ୍ ପୁରା ଟାଇଟ୍ ବୋଲି କୁହାଯାଉଛି।
ଏଥି ମଧ୍ୟରେ ଖବର ଆସୁଛି ଏକନାଥ ସିନ୍ଦେ ଓ ତାଙ୍କ ପାର୍ଟି ଏପରି ତର୍କ ରଖିଛନ୍ତି ଯେ ବିଜେପି ନେତୃତ୍ୱ ମଧ୍ୟ ଚିନ୍ତାରେ ପଡିଯାଇଛନ୍ତି ଓ ଏ ନେଇ ଗଭୀର ମନ୍ଥନ ଆରମ୍ଭ କରିଦେଇଛନ୍ତି। ଏକନାଥ ସିନ୍ଦେ ଓ ତାଙ୍କ ସମର୍ଥକଙ୍କ କହିବା କଥା ହେଉଛି ମହାରାଷ୍ଟ୍ରରେ ନଗରନିଗମ ନିର୍ବାଚନ ମଧ୍ୟ ହେବାକୁ ଅଛି, ଏଥିରେ ବିଏମସି ନିର୍ବାଚନ ମଧ୍ୟ ହେବ। ଏକନାଥ ସିନ୍ଦେଙ୍କ କହିବା କଥା ହେଉଛି ତାଙ୍କ ଶିବସେନା ମୁମ୍ବାଇ, ଠାଣେ ଓ ଏହାର ଆଖପାଖ ସହରାଞ୍ଚଳରେ ବଡ଼ ପ୍ରଭାବ ରଖୁଛି।
ମୁମ୍ବାଇ ଉପରେ ଶିବସେନା (ସିନ୍ଦେ)ର ନିୟନ୍ତ୍ରଣ କିପରି ତାହା ମହାରାଷ୍ଟ୍ର ନିର୍ବାଚନ ଫଳାଫଳରୁ ସାବ୍ୟସ୍ତ ହୋଇଛି। ଏଥିରେ ଯଦି ଏକନାଥ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଯାଏ ତେବେ ଏହି ସବୁ ସହରାଞ୍ଚଳରେ ଆଗକୁ ବିଜେପି କ୍ଷତିରେ ପଡିପାରେ। ଏକନାଥ ସିନ୍ଦେ ଗୋଷ୍ଠୀର କହିବା କଥା ହେଉଛି ଏହି ଫଳାଫଳରୁ ଜଣାପଡୁଛି ଯେ ଜନତା ସିନ୍ଦେଙ୍କ ନେତୃତ୍ୱକୁ କେତେ ପସନ୍ଦ କରୁଛନ୍ତି। ଖାସ କରି ମୁମ୍ବାଇ ଓ ଅନ୍ୟ ସହରାଞ୍ଚଳରେ ସିନ୍ଦେଙ୍କୁ ଖୁବ୍ ପସନ୍ଦ କରାଯାଉଛି। କୁହାଯାଉଛି ଏହି ତର୍କରେ ବିଜେପି ହାଇକମାଣ୍ଡ ମଧ୍ୟ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଏବେ ଚିନ୍ତାରେ ପଡିଯାଇଛନ୍ତି।
ତେବେ ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ପଗଡି କାହାମୁଣ୍ଡରେ ବନ୍ଧାଯିବ ଏ କଥାକୁ ଏବେ ସାରା ରାଜ୍ୟ ଅପେକ୍ଷା କରି ରହିଛି। ଆଜି ବିଜେପି ବିଧାୟକ ଦଳ ପକ୍ଷରୁ ମହାଯୁତୀ ବୈଠକ ହେବାର ଅଛି। ଏଥିରେ ଏକନାଥ ସିନ୍ଦେ ଗୋଷ୍ଠୀର ଏହି ତର୍କ ବିଜେପି ନେତୃତ୍ୱ ସମ୍ମୁଖରେ ଏକ ଅଲଗା ତର୍କ ରଖୁଛି। ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ଶକ୍ତି ମିଳିବା ପରେ ମେଣ୍ଟ ଦଳକୁ ନଜରଅନ୍ଦାଜ କରାଯାଉଛି ସେପରି ବାର୍ତ୍ତା ଯାଉ ତାହା ବିଜେପି ହାଇକମାଣ୍ଡ ଚାହାନ୍ତିନି। ଏଣୁ ଏକନାଥ ସିନ୍ଦେ ଓ ଦେବେନ୍ଦ୍ର ଫଡନବୀଶଙ୍କ ମାମଲାରେ ଏବେ ଗୁରତ୍ୱର ସହ ମନ୍ଥନ କରାଯାଉଛି। ତେବେ କାହା ନାମକୁ ନେଇ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ନିଷ୍ପତ୍ତି ହୋଇ ନାହିଁ। ହେଲେ ଉଭୟ ପକ୍ଷରୁ ଏବେ ଚାପର ରାଜନୀତି ଆରମ୍ଭ ହୋଇଯାଇଛି।