ନୂଆଦିଲ୍ଲୀ: ସମ୍ୱିଧାନ ଦିବସ ପୂର୍ବରୁ ସୋମବାର ସୁପ୍ରିମକୋର୍ଟ ଏକ ବଡ଼ ରାୟ ଦେଇଛନ୍ତି । ସମ୍ୱିଧାନର ମୁଖବନ୍ଧରେ ସାମିଲ ସୋସିଆଲିଷ୍ଟ (ସମାଜବାଦ) ଏବଂ ସେକୁଲାର (ପନ୍ଥ ନିରପେକ୍ଷ) ଶବ୍ଦକୁ ହଟାଇବା ଦାବି କରି ଦାଖଲ ହୋଇଥିବା ଯାଚିକାକୁ ସର୍ବୋଚ୍ଚ ଅଦାଲତ ଖାରଜ କରିଛନ୍ତି । ସିଜେଆଇ ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ୍ ପିଭି ସଞ୍ଜୟ କୁମାର କହିଛନ୍ତି ଯେ ସମ୍ୱିଧାନରେ ସଂଶୋଧନର ଅଧିକାରୀ ସଂସଦ ପାଖରେ ଅଛି । କିନ୍ତୁ କୌଣସି ବି ସଂଶୋଧନରେ ସମ୍ୱିଧାନର ମୂଳ ଭାବନାକୁ ପରିବର୍ତ୍ତନ ନକରାଯିବା ଦରକାର ।
ପୂର୍ବତନ ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ୱାମୀ, ଆଇନଜୀବୀ ବିଷ୍ଣୁ ଶଙ୍କର ଜୈନ ଏବଂ ଅନ୍ୟଙ୍କ ଦ୍ୱାରା ଏହି ଯାଚିକା ଦାଖଲ କରାଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ ୧୯୭୬ ମସିହାରେ ପାରିତ ସମ୍ୱିଧାନ ସଂଶୋଧନ ଅଧିନରେ ପନ୍ଥ ନିରପେକ୍ଷ ଏବଂ ସମାଜବାଦ ପରି ଶବ୍ଦରେ ଯୋଡ଼ା ଯାଇଥିଲା । ଗତ ଶୁକ୍ରବାର ସୁପ୍ରିମକୋର୍ଟ ନିଜ ରାୟକୁ ସଂରକ୍ଷିତ ରଖିଥିଲେ । ଯାଚିକାକୁ ଖାରଜ କରି ସିଜେଆଇ କହିଛନ୍ତି, 'ଏହି ଆବେଦନ ଉପରେ ବିସ୍ତାରରେ ଶୁଣାଣି କରିବାର ଆବଶ୍ୟକତା ନାହିଁ । ସମାଜବାଦ ଏବଂ ଏବଂ ପନ୍ଥ ନିରେପକ୍ଷ ପରି ଶବ୍ଦ ୧୯୭୬ରେ ସମ୍ୱିଧାନ ସଂଶୋଧନ ଜରିଆରେ ସାମିଲ କରାଯାଇଥିଲା ଏବଂ ଏହାଦ୍ୱାରା ୧୯୪୯ ନଭେମ୍ୱର ୨୬ ଗ୍ରହଣ କରାଯାଇଥିବା ସମ୍ୱିଧାନ ଉପରେ କୌଣସି ଫରକ୍ ପଡ଼ି ନାହିଁ ।'
ଉଲ୍ଲେଖଯୋଗ୍ୟ ଯେ ୧୯୭୬ ମସିହାରେ ଇନ୍ଦିରା ଗାନ୍ଧୀ ସରକାର ୪୨ତମ ସାମ୍ୱିଧାନିକ ସଂଶୋଧନ କରି ସମ୍ୱିଧାନରେ ସମାଜବାଦ, ପନ୍ଥ ନିରପେକ୍ଷ ଏବଂ ଅଖଣ୍ଡତା ଶବ୍ଦକୁ ଯୋଡ଼ିଥିଲେ । ଶୁଣାଣି ବେଳେ ଯୁକ୍ତି ରଖି ଆବେଦନକାରୀ ବିଷ୍ଣୁ କୁମାର ଜୈନ ୯ ଜଜ୍ଙ୍କ ସାମ୍ୱିଧାନିକ ଖଣ୍ଡପୀଠଙ୍କ ଏକ ରାୟ କଥା ଉଲ୍ଲେଖ କରିଥିଲେ । ସମ୍ୱିଧାନର ଅନୁଚ୍ଛେଦ ୩୯ (ବି) ଉପରେ ୯ ଜଜ୍ଙ୍କ ଖଣ୍ଡପୀଠର ରାୟ କଥା ଉଲ୍ଲେଖ କରି କହିଥିଲେ ଯେ ସେହି ସମୟରେ ଶୀର୍ଷ ଅଦାଲତ ସମାଜବାଦ ଶବ୍ଦର ସେହି ବ୍ୟାଖା ଉପରେ ଅସହମତ ହୋଇଥିଲେ, ଯାହାକୁ ଶୀର୍ଷ ଅଦାଲତର ପୂର୍ବତନ ନ୍ୟାୟମୂର୍ତ୍ତି ବି.ଆର୍.କୃଷ୍ଣା ଆୟର ଏବଂ ଓ ଚିନ୍ନପ୍ପା ରେଡ୍ଡି ପ୍ରତିବାଦିତ କରିଥିଲେ ।
ଏହା ଉପରେ ସିଜେଇଆଇ ଖାନ୍ନା କହିଛନ୍ତି ଯେ ଆମ ମତରେ ଭାରତରେ ସମାଜବାଦ ଅନ୍ୟ ଦେଶଠାରୁ ବହୁ ଅଲଗା । ସମାଜବାଦର ଅର୍ଥ ଏକ କଲ୍ୟାଣକାରୀ ରାଜ୍ୟ ବୋଲି ଆମେ ଭାବୁଛୁ । କଲ୍ୟାଣକାରୀ ରାଜ୍ୟରେ ଲୋକଙ୍କ କଲ୍ୟାଣ ପାଇଁ ଏହାକୁ ଠିଆ ହେବାକୁ ପଡ଼ିବ ଏବଂ ସମାନ ସୁଯୋଗ ପ୍ରଦାନ କରିବା ଦରକାର । ସେ କହିଛନ୍ତି ଯେ ଶୀର୍ଷ ଅଦାଲତ ୧୯୯୪ରେ ଏସଆର ବୋମ୍ମଇ ମାମଲାରେ ପନ୍ଥ ନିରପେକ୍ଷକୁ ସମ୍ୱିଧାନର ମୂଳ ସଂରଚନାର ଅଂଶ ମାନିଥିଲେ ।