ନୂଆଦିଲ୍ଲୀ: ପ୍ରୟାଗରାଜରେ ୧୪୩ ବର୍ଷ ପରେ ମହାକୁମ୍ଭ । ବ୍ରହ୍ମ ମୁହୂର୍ତ୍ତରେ ପଡ଼ିଲା ଶ୍ରଦ୍ଧାର ବୁଡ଼ । ଆସ୍ଥାର ସଂଗମ ପାଇଁ ବିଗ୍ ବଜେଟ୍ । ୬ ହଜାର କୋଟିରେ ଭବ୍ୟ ଆୟୋଜନ । ୧୮୮୨ରୁ ୨୦୨୫, ଖର୍ଚ୍ଚ ବଢ଼ିଲା ୩୭ ଲକ୍ଷ ଗୁଣା । ପୌଷ୍ୟ ପୂର୍ଣ୍ଣିମାରୁ ପ୍ରୟାଗ ସଂଗମରେ ଆରମ୍ଭ ହୋଇଛି ମହାକୁମ୍ଭ ମେଳା । ବ୍ରହ୍ମ ମୁହୂର୍ତ୍ତରେ ଆସ୍ଥାର ଦିବ୍ୟ ବୁଡ଼ ପକାଇଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ । ଦେଢ଼ ମାସ ଧରି ଚାଳିବାକୁ ଥିବା ଏହି ମହାକୁମ୍ଭରେ ମୋଖ୍ୟର ସନ୍ଧାନ ଲାଗି ପ୍ରାୟ ୪୫ କୋଟି ଶ୍ରଦ୍ଧାଳୁ ସାମିଲ୍ ହେବା ନେଇ ଆଶା କରାଯାଉଛି । ଏଥିଲାଗି ଉତ୍ତର ପ୍ରଦେଶ ସରକାରଙ୍କ ଦ୍ବାରା ଭବ୍ୟ ଆୟୋଜନ କରିଯାଇଛି । ମହାକୁମ୍ଭ ମେଳାର ବଜେଟ୍ ୬,୩୮୨ କୋଟି ରହିଥିବା ବେଳେ ଭିତ୍ତିଭୂମି ଓ ଇଭେଣ୍ଟ ମ୍ୟାନେଜମେଣ୍ଟ ପାଇଁ ୫, ୬୦୦ କୋଟି ଟଙ୍କା ଆବଣ୍ଟନ ହୋଇସାରିଛି ।
ତ୍ରିବେଣୀ ସଂଗମ ମହାକୁମ୍ଭ ଧାର୍ମିକ ସହିତ ଆର୍ଥିକ ଦୃଷ୍ଟିକୋଣରୁ ବେଶ୍ ଗୁରୁତ୍ୱପୂର୍ଣ୍ଣ । ୧୮୮୨ରେ ପ୍ରୟାଗରାଜର ଆସ୍ଥାର ସ୍ଥଳିରେ ପ୍ରଥମ ମହାକୁମ୍ଭ ଆୟୋଜନ ହୋଇଥିଲା । ସେତେବେଳେ ଏହାର ବଜେଟ୍ ଥିଲା ୨୦ହଜାର ୨୨୮ ଟଙ୍କା । ପ୍ରାୟ ୮ ଲକ୍ଷ ଶ୍ରଦ୍ଧାଳୁ ସଂଗମ ସ୍ଥଳରେ ପହଞ୍ଚିଥିଲେ । ତତ୍କାଳୀନ ସରକାରଙ୍କୁ ଏଥିରୁ ୪୯ ହଜାର ୮୪୦ ଟଙ୍କାର ଟିକସ ମିଳିଥିଲା । ୧୮୯୪ରେ ଏହି ବଜେଟ୍ ପ୍ରାୟ ୩ ଗୁଣା ପାର୍ କରିଯାଇଥିଲା । ସେତେବେଳେ ୬୯, ୪୨୭ ଟଙ୍କା ଖର୍ଚ୍ଚ ହୋଇଥିଲା । କୁମ୍ଭରେ ୧୦ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ଶାହି ସାନ୍ନ ପକାଇଥିଲେ । ୧୯୦୬ରେ କୁମ୍ଭମେଳା ଖର୍ଚ୍ଚ ବାବଦକୁ ତତ୍କାଳୀନ ୟୁପି ସରକାର ଖର୍ଚ୍ଚ କରିଥିଲେ ପ୍ରାୟ ୯୦ ହଜାର ଟଙ୍କା । ଏହା ଆଜିର ଦିନରେ ପାଖାପାଖି ୧୩.୫ କୋଟି ଟଙ୍କା ସହିତ ସମାନ । ୧୯୧୮ ବେଳକୁ କୁମ୍ଭ ଭବ୍ୟ ସ୍ବରୂପ ବଦଳିଯାଇଥିଲା । ମେଳା ଆୟୋଜନ ପାଇଁ ୧.୩୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା । ତ୍ରିବେଣୀ ସଂଗମରେ ୩୦ ଲକ୍ଷ ସାଧୁସନ୍ଥ, ଶ୍ରଦ୍ଧାଳୁ ପହଞ୍ଚି ମୋକ୍ଷ ପ୍ରାପ୍ତି ପାଇଁ ଶ୍ରଦ୍ଧାର ବୁଡ଼ କରାଇଥିଲେ ।
୧୯୧୮ରୁ ୨୦୧୯ ଭିତରେ କୁମ୍ଭମେଳାର କାୟା ବଦଳି ଯାଇଛି । ଶହେ ବର୍ଷ ପରେ ଦରଦାମ୍ ବୃଦ୍ଧି ଓ ଶ୍ରଦ୍ଧାଳୁଙ୍କ ଭିଡ଼ ସହିତ ସମାରୋହ ଲାଗି ଖର୍ଚ୍ଚ ଉପରମୁହାଁ ହୋଇଛି । ୨୦୧୯ରେ କୁମ୍ଭ ଆୟୋଜନ ବଜେଟ୍ ୪, ୨୩୬ କୋଟି ଟଙ୍କା ଥିଲା । ଉକ୍ତ ବର୍ଷ ମେଳାରେ ୧.୨ ଲକ୍ଷ କୋଟି ଟଙ୍କା କାରବାର ହୋଇଥିଲା । ଚଳିତ ବର୍ଷ ମହାକୁମ୍ଭ ପଡ଼ୁଥିବାରୁ ଏଥିର ବଜେଟ୍ ସବୁ ରେକର୍ଡ ପାର୍ କରିଛି । ଖର୍ଚ୍ଚ ଆକଳନ ୬,୩୮୨ କୋଟି ଟଙ୍କା ହୋଇଥିବା ବେଳେ ୨ ଲକ୍ଷ କୋଟି କାରବାର ନେଇ ଆଶା କରାଯାଉଛି ।୧୮୮୨ରୁ ୨୦୨୫ ଭିତରେ ଖର୍ଚ୍ଚ ୩୭ ଲକ୍ଷ ଗୁଣା ବଢ଼ିଛି । ହାଇ ବଜେଟ୍ ମହାକୁମ୍ଭରେ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ଶୃଙ୍ଖଳିତ ବ୍ୟବସ୍ଥା କରାଯାଇଛି । ପ୍ରାୟ ୪୦୦୦ ହେକ୍ଟରରେ ପରିବ୍ୟାପ୍ତ ମେଳା ଆୟୋଜନ ହୋଇଛି । ମେଳାରେ ସ୍ନାନ ଲାଗି ୧୭ କି.ମି କ୍ଷେତ୍ରରେ ଘାଟ ନିର୍ମାଣ ହୋଇଛି । ଶ୍ରଦ୍ଧାଳୁଙ୍କ ଲାଗି ମହାକୁମ୍ଭରେ ପ୍ରଥମ ଥର ହାଇ ସ୍ପିଡ୍ ବୋଟ୍ର ସୁବିଧା କରାଯାଇଛି । ବୋଟ୍ରେ ଭିଭିଆଇପିଙ୍କ ସୁରକ୍ଷା ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଥିବା ବେଳେ ସେଥିରେ ନାଭିଗେସନ୍ ମ୍ୟାପ୍ ରହିଛି ।