ଦିଲ୍ଲୀ କଂଗ୍ରେସର ନୂଆ ଘୋଷଣା, ଶିକ୍ଷିତ ବେକାରୀଙ୍କୁ ଦେବ ୮୫୦୦ ଟଙ୍କା

Published By : Prameya-News7 Bureau | January 12, 2025 IST

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ପାଇଁ ଦିଲ୍ଲୀ ରାଜନୀତି ସରଗରମ ରହିଛି। ରାଜନୈତିକ ଦଳମାନେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ବିଭିନ୍ନ ଯୋଜନା କଥା କହୁଥିବାବେଳେ, ଦୁଇ ମୁଖ୍ୟ ଦଳ ବିଜେପି ଏବଂ ପରସ୍ପରକୁ ଟାର୍ଗେଟ କରୁଛନ୍ତି। ସେପଟେ କିନ୍ତୁ ଏହାର ଫାଇଦା ନେଉଛି କଂଗ୍ରେସ। କଂଗ୍ରେସ ନେତାମାନେ ଦିଲ୍ଲୀରେ ଛୋଟ-ବଡ଼ ସଭା କରି ନିର୍ବାଚନରେ ନିଜ ପାଇଁ ମାହୋଲ ତିଆରି କରୁଛନ୍ତି। 

ଏହାରି ମଧ୍ୟରେ ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ନୂଆ ଘୋଷଣା କରିଛନ୍ତି। ସେ କହିଛନ୍ତି ଯଦି ଆମ ସରକାର ଆସିବ ତେବେ ଶିକ୍ଷିତ ବେକାରୀଙ୍କୁ ପ୍ରୋତ୍ସାହନ ଦେବା ପାଇଁ ବର୍ଷେ ପର୍ଯ୍ୟନ୍ତ, ପ୍ରତି ମାସରେ ୮୫୦୦ ଟଙ୍କାର ଆର୍ଥିକ ସହାୟତା ଦିଆଯିବ। ‘ଯୁବା ଉଡ଼ାଣ ଯୋଜନା’ ଅନୁଯାୟୀ ଯୁବକଙ୍କୁ ଏହି ସହାୟତା ରାଶି ମିଳିବ। ସେ ଆହୁରି କହିଛନ୍ତି କାହାରିକୁ ଯେପରି ସନ୍ଦେହ ନରହୁ କି’ କଂଗ୍ରେସ ନିର୍ବାଚନ ପାଇଁ ପରିଶ୍ରମ କରୁନାହିଁ। ସମସ୍ତେ ଜାଣନ୍ତୁ ଦିଲ୍ଲୀ ନିର୍ବାଚନ ପାଇଁ ଦଳ ସଂପୂର୍ଣ୍ଣ ଭାବରେ କଠିନ ପରିଶ୍ରମ କରୁଛି। 

ଏହି ଘୋଷଣା ସମୟରେ ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ଦେବେନ୍ଦ୍ର ଯାଦବ, ପ୍ରଭାରୀ କାଜୀ ନିଜାମୁଦ୍ଦୀନ, ଏନଏସୟୁଆଇ ଅଧ୍ୟକ୍ଷ ବରୁଣ ଚୌଧୁରୀଙ୍କ ସହ ଅନ୍ୟ ନେତା ଉପସ୍ଥିତ ଥିଲେ। ପାଇଲଟ କହିଛନ୍ତି ୫ ତାରିଖରେ ଦିଲ୍ଲୀରେ ନୂଆ ସରକାର ନିର୍ବାଚିତ ହେବ। ଏଥିପାଇଁ କଂଗ୍ରେସ ପୂରା ଦମ୍‌ରେ ନିର୍ବାଚନ ଲଢ଼ୁଛି। ପୂର୍ବରୁ ଯେତେବେଳେ ଏଠାରେ କଂଗ୍ରେସ ସରକାର ରହିଥିଲା, ଖୁବ୍ ବିକାଶ ହୋଇଛି। ଗତ କିଛି ବର୍ଷରୁ ଏଠାରେ କେବଳ କାଦୁଅ ଫିଙ୍ଗିବା କାମ ହେଉଛି। ଦିଲ୍ଲୀର ଆମ ଆଦମୀ ପାର୍ଟି ସରକାର ଏବଂ ବିଜେପିର ସାତ ସାସଂଦ, ଲୋକଙ୍କ ପାଇଁ କିଛି କରିପାରିନାହାଁନ୍ତି। କଂଗ୍ରେସ ଅମଳରେ ଦେଶରେ ସବୁ ମେଟ୍ରୋ ତୁଳନାରେ ଦିଲ୍ଲୀ ଅଧିକ ବିକଶିତ ଥିଲା।

ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ଦେବେନ୍ଦ୍ର ଯାଦବ କହିଛନ୍ତି ରାଜମହଲ ଏବଂ ଶୀଶ ମହଲ ଅପେକ୍ଷା ଯୁବକଙ୍କୁ ରୋଜଗାର ଦେବା ଆମର ପ୍ରାଥମିକତା। ଦିଲ୍ଲୀ ପାଇଁ ଏଥିରେ ପ୍ରଥମେ କଂଗ୍ରେସ ‘ପ୍ୟାରି ଦିଦି ଯୋଜନା’ ଅନୁଯାୟୀ ୨୫୦୦ ଟଙ୍କା ପ୍ରତିମାସ ଏବଂ ୨୫ ଲକ୍ଷର ସ୍ବାସ୍ଥ୍ୟ ବୀମା ଯୋଜନାର ଗ୍ୟାରେଣ୍ଟି ଦେଉଛି।

ସେହିଭଳି ଦେବେନ୍ଦ୍ର ଯାଦବ ଆପକୁ ଟାର୍ଗେଟ କରି କହିଛନ୍ତି, କେଜ୍ରିଓ୍ବାଲଙ୍କୁ ତିହାର ଜେଲ ଡାକୁଛି। , ପୁଣି ତିହାର ଜେଲର କାନ୍ଥରେ ଲେଖା ହୋଇଛି, ପୁଣି ଆସିବେ କେଜ୍ରିଓ୍ବାଲ। ଦୁର୍ନୀତି ମାମଲାରେ ପୂରା କ୍ୟାବିନେଟ ଜେଲ ଯାଇସାରିଛି। କେଜ୍ରିଓ୍ବାଲ ଦିଲ୍ଲୀକୁ ଦୁର୍ନୀତିର ମଡେଲ ଦେଇଛନ୍ତି। ବିକାଶ ମଡେଲ ଦେଇନାହାଁନ୍ତି। ଶୀଲା ଦୀକ୍ଷିତଙ୍କ ସମୟରେ ଦିଲ୍ଲୀକୁ ବିଶ୍ବସ୍ତରୀୟ ସହର କରିବା ଉପରେ କାମ ହେଉଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.