ପ୍ରୟାଗରାଜ ୧୨।୧: କୁମ୍ଭ ମେଳା ଆୟୋଜନ ୧୨ ବର୍ଷରେ ଥରେ ହୋଇଥାଏ। ୧୪୪ ବର୍ଷରେ ମହାକୁମ୍ଭ ମେଳା ହୁଏ। ୨୦୨୫ ମସିହାରେ ମହାକୁମ୍ଭ ଅନୁଷ୍ଠିତ ହେଉଥିବା ବେଳେ ପ୍ରସ୍ତୁତି ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ। ୧୩ ଜାନୁୟାରୀ ପ୍ରତ୍ୟୁଷରୁ କୁମ୍ଭ ସ୍ନାନ ଆରମ୍ଭ ହେବ। ଏଥି ପାଇଁ ବିଭିନ୍ନ ସ୍ଥାନରୁ ସାଧୁ ସନ୍ଥଙ୍କ ସମାଗମ ହେଲାଣି। କୁମ୍ଭମେଳାରେ ନାଗା ସାଧୁ ସମସ୍ତଙ୍କ ଆକର୍ଷଣର କେନ୍ଦ୍ର ଥାନ୍ତି। କୁମ୍ଭ ମେଳାକୁ ବହୁ ସଂଖ୍ୟାରେ ନାଗା ସାଧୁ ଆସନ୍ତି, ତେବେ ମେଳା ପରେ କେମିତି କୁଆଡେ ଯାଆନ୍ତି କେହି ଜାଣନ୍ତିନି।
ବିନା ଯାନବାହନରେ ଲକ୍ଷଲକ୍ଷ ନାଗା ସାଧୁ ଲୋକଙ୍କ ନଜର ଆଢୁଆଳରେ କୁମ୍ଭ ମେଳାକୁ ଆସିଥାନ୍ତି। କୁହାଯାଏ ସେମାନେ ହିମାଳୟରେ ରହନ୍ତି ଓ କେବଳ କୁମ୍ଭମେଳାରେ ହିଁ ସାଧାରଣ ଲୋକଙ୍କ ଗହଣରେ ଦେଖାଯାଆନ୍ତି। କୁମ୍ଭରେ ସବୁଠୁ ବଡ଼ ଦୁଇ ନାଗା ଆଖଡା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରନ୍ତି। ଏଥିରେ ବାରଣାସୀର ମହାପରିନିର୍ବାଣ ଆଖଡା ଓ ପଞ୍ଚଦଶନାମ ଜୁନା ଆଖଡା ଅଛନ୍ତି। ଅଧିକାଂଶ ନାଗା ସାଧୁ ଏହି ଦୁଇ ଆଖଡ଼ାରୁ ଆସିଥାନ୍ତି।
ନାଗାସାଧୁ ପ୍ରାୟ ତ୍ରିଶୁଳ ଧରି ଚାଲନ୍ତି ଓ ଶରୀରକୁ ଭଷ୍ମରେ ଢାଙ୍କିଥାନ୍ତି। ସେମାନେ ରୁଦ୍ରାକ୍ଷମାଳା ଓ ପଶୁ ଚର୍ମ ବସନ କରିଥାନ୍ତି। କୁମ୍ଭମେଳାରେ ଏମାନଙ୍କୁ ସର୍ବ ପ୍ରଥମେ ସ୍ନାନ କରିବାର ଅଧିକାର ଦିଆଯାଏ। ଏମାନଙ୍କ ପରେ ଅନ୍ୟ ଶ୍ରଦ୍ଧାଳୁ ସ୍ନାନ କରନ୍ତି। ତେବେ ମେଳା ପରେ ଏହି ନାଗା ସାଧୁମାନେ କେଉଁ ଆଡେ ଅନ୍ତର୍ଧାନ ହୋଇ ଯାଆନ୍ତି କେହି ଜାଣନ୍ତିନି। କୁମ୍ଭ ମେଳାରେ ନାଗା ସାଧୁମାନେ ସେମାନଙ୍କ ଆଖଡାର ପ୍ରତିନିଧିତ୍ୱ କରନ୍ତି। କୁମ୍ଭ ପରେ ସେମାନେ ନିଜନିଜ ଆଖଡାକୁ ଫେରି ଯାଆନ୍ତି ବୋଲି କୁହାଯାଏ।
କିଛି ନାଗା ସାଧୁ କାଶୀ (ବାରଣାସୀ), ହରିଦ୍ୱାର, ଋଷିକେଶ, ଉଜ୍ଜୈନ ଓ ପ୍ରୟାଗରାଜ ଭଳି ପ୍ରସିଦ୍ଧ ତୀର୍ଥ ସ୍ଥାନମାନଙ୍କରେ ରହନ୍ତି। ଏହିସବୁ ସ୍ଥାନ ସେମାନଙ୍କ ଧାର୍ମିକ ଓ ସାମାଜିକ ଗତିବିଦ୍ଧିର କେନ୍ଦ୍ର। ନାଗା ସାଧୁମାନେ ସାରା ଭାରତରେ ଧାର୍ମିକ ଯାତ୍ରାମାନ କରନ୍ତି। ସେମାନେ ଅଲଗା ଅଲଗା ମନ୍ଦିର ଓ ଧାର୍ମିକ ସ୍ଥଳମାନଙ୍କୁ ଯାଇ ଧାର୍ମିକ ଆୟୋଜନମାନଙ୍କରେ ଯୋଗ ଦେଇ ନିଜର ଉପସ୍ଥିତି ଜାହିର କରିଥାନ୍ତି। ଅନେକ ନାଗା ସାଧୁ ଗୁପ୍ତ ରହନ୍ତି ଓ ମଣିଷ ସମାଜ ଠୁ ଦୂରରେ ରହିବାକୁ ପସନ୍ଦ କରନ୍ତି। ସେମାନଙ୍କ ସାଧନା ଓ ଜୀବନ ଶୈଳୀ ସେମାନଙ୍କୁ ସମାଜରୁ ପୃଥକ ଓ ସ୍ୱତନ୍ତ୍ର କରିଥାଏ।