ପ୍ରୟାଗରାଜ ୧୨।୧: ମହାକୁମ୍ଭ ପାଇଁ ପ୍ରସ୍ତୁତି ପାଖାପାଖି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିସାରିଲାଣି। କଳ୍ପବାସରୁ ଆରମ୍ଭ କରି ସ୍ନାନ ପାଇଁ ସାରା ବିଶ୍ୱର ଲୋକେ ପ୍ରୟାଗରାଜ ମୁହାଁଇଛନ୍ତି। ବିଶ୍ୱର ଧନୀ ପରିବାରଙ୍କ ମଧ୍ୟରୁ ଜଣେ ଆପଲ ମାଲିକ ଷ୍ଟିଭ ଜବସ୍ ଙ୍କ ପତ୍ନୀ ଲରେନ ଜବସ୍ ଙ୍କୁ ଜଣେ ସନ୍ୟାସିନୀ ରୂପେ ଚଳିତ ମହାକୁମ୍ଭରେ ଦେଖିବାକୁ ମିଳିବ। ଏଥି ପାଇଁ ସେ ତାଙ୍କ ୬୦ ସଦସୀୟ ଟିମ ସହିତ ରବିବାର ପ୍ରୟାଗରାଜରେ ପହଞ୍ଚିଛନ୍ତି।
ମହାକୁମ୍ଭ ପାଇଁ ଲରେନ କିଛିଦିନ ହେଲା ଭାରତ ପ୍ରବାସ କରିଛନ୍ତି। ଏହି ଅବସରରେ ଶନିବାର କାଶୀରେ ତାଙ୍କର ନୂଆ ନାମକରଣ ହୋଇଛି। ତାଙ୍କ ଗୁରୁ ନିରଞ୍ଜନୀ ଆଖଡାର ଆଚାର୍ଯ୍ୟ ମହାମଣ୍ଡଳେଶ୍ୱର ସ୍ୱାମୀ କୈଳାଶ ନନ୍ଦ ଗିରି ତାଙ୍କୁ ନିଜ କନ୍ୟା ସ୍ୱୀକାର କରି କୂଳ ନାମ ଓ ଗୋତ୍ର ଦେଇଛନ୍ତି। ସେହି ଅନୁସାରେ ଷ୍ଟିଭ ଜବସ୍ ଙ୍କ ପତ୍ନୀ ଲରେନ କମଳା ନାମ ପାଇଛନ୍ତି। ନାମକରଣ ପରେ କମଳା (ଲରେନ) ତାଙ୍କ ଗୁରୁଙ୍କ ସହିତ କାଶୀ ବିଶ୍ୱନାଥଙ୍କ ଦର୍ଶନ କରିଛନ୍ତି। ଏହା ପରେ ସେ ଦଶ୍ୱାଶମେଧ ଘାଟକୁ ଯାଇ ଗଙ୍ଗା ସେବା ନିଧି ପକ୍ଷରୁ କରାଯାଉଥିବା ଗଙ୍ଗା ଆରତୀରେ ଅଂଶଗ୍ରହଣ କରିଥିଲେ।
କମଳା ମହାକୁମ୍ଭରେ କଳ୍ପବାସ କରିବେ ବୋଲି କହିଛନ୍ତି। ଏହି ସମୟରେ ସେ ସାଧୁଙ୍କ ସହ ରହି ଆଧ୍ୟାତ୍ମିକ ଶାନ୍ତିର ସନ୍ଧାନ କରିବେ। ପ୍ରୟାଗରେ ତାଙ୍କର ଅଧିକତମ ପ୍ରବାସ ୫ ଦିନର ହେବ। କୈଳାଶନନ୍ଦ ଗିରି କହିଛନ୍ତି ଯେ ଲରେନ ଜବସ୍ଙ୍କ ସନାତନ ଧର୍ମ ପ୍ରତି ଋଚି ରହିଛି। ସେ କୁମ୍ଭରେ ଦୁଇ ମୁଖ୍ୟ (ସାହି) ସ୍ନାନରେ ସାମିଲ ହେବେ ଯେଉଁଥିରେ ସେ ମକର ସଂକ୍ରାନ୍ତି ସ୍ନାନ ଓ ମୌନୀ ଅମାବାଶ୍ୟା ସ୍ନାନ କରିବେ। ଏହା ପରେ ସେ ପ୍ରୟାଗରାଜରୁ ପ୍ରସ୍ଥାନ କରିବେ।
ଆମେରିକୀୟ ଜବସ୍ ପରିବାରଙ୍କ ଭାରତୀୟ ଆଧ୍ୟାତ୍ମ ସହିତ ପୁରୁଣା ସମ୍ପର୍କ ରହିଛି। ଷ୍ଟିଭ ଜବସଙ୍କର ବାବା ନିମକରୋଲୀଙ୍କ ଉପରେ ଅଗାଧ ବିଶ୍ୱାସ ଥିଲା। ଷ୍ଟିଭ ଜବସ୍ ତାଙ୍କୁ ନିଜର ଗୁରୁ ମନେ କରନ୍ତି। ସେ ୧୯୭୦ ଦଶକରେ ୭ ମାସ ଲାଗି ଆଧ୍ୟତ୍ମ୍ୟ ଏକାନ୍ତ ବାସରେ ଭାରତ ଆସିଥିଲେ। ଏହି ସମୟରେ ସେ ନୈନିତାଲ ସ୍ଥିତ କୈଞ୍ଚି ଧାମକୁ ମଧ୍ୟ ଯାତ୍ରା କରିଥିଲେ। ପରଲୋକଗତ ଷ୍ଟିଭସ୍ ଙ୍କ ଭଳି ତାଙ୍କ ପତ୍ନୀ ଲରେନଙ୍କର ମଧ୍ୟ ସନାତମ ପ୍ରତି ଅଗାଧ ଆସ୍ଥା ରହିଛି।