ପୌଡି ୧୨।୧: ଉତ୍ତରାଖଣ୍ଡ ପୌଡ଼ିରେ ରବିବାର ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ପୌଡ଼ି-ସତ୍ୟଖାଲ ସଡ଼କରେ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ମିନିବସ୍ ନିୟନ୍ତ୍ରଣ ହରାଇ ୮୦ମିଟର ଖାଇକୁ ଖସିପଡିଛି। ଏହି ଦୁର୍ଘଟଣାରେ ୬ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୨୨ ଜଣ ଆହତ ହୋଇଛନ୍ତି। ଆହତ ଯାତ୍ରୀଙ୍କୁ ବେସ୍ ହସ୍ପିଟାଲ ଶ୍ରୀନଗର ରେଫର କରିଦିଆଯାଇଛି। ପୋଲିସ ସୂଚନା ଅନୁସାରେ ମିନିବସ୍ ଟି ପୌଡ଼ିରୁ ଦେହଲଚୌରୀ ଯାଉଥିଲା।
ଅପରାହ୍ନ ପ୍ରାୟ ୩ଟା ବେଳେ ବସଟି ସତ୍ୟଖାଲ ମୋଟର ମାର୍ଗର କ୍ୟାର୍କ ଓ ଚୁଲଧାର ମଝିରେ ଅନିୟନ୍ତ୍ରିତ ହୋଇ ସଡକରୁ ତଳକୁ ଖସି ଯାଇଥିଲା। ପୋଲିସ ଓ ସ୍ଥାନୀୟ ଲୋକେ ମୃତାହତ ଲୋକଙ୍କୁ ଉଦ୍ଧାର କରି ସଡ଼କ ଉପରକୁ ଆଣିବା ସହ ଆମ୍ବୁଲାନ୍ସ ଓ ଘରୋଇ ଗାଡିରେ ହସ୍ପିଟାଲକୁ ପଠାଇଥିଲେ। ହସ୍ପିଟାଲ ଯିବା ରାସ୍ତାରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି। ପୋଲିସ ମୃତକମାନଙ୍କୁ ଚିହ୍ନଟ କରିଛି। ଏଥିରେ ଡୋଭାର ସୁନୀତା (୨୫), କେସୁନ୍ଦରର ନାଗେନ୍ଦ୍ର ଓ ତାଙ୍କ ପତ୍ନୀ ସୁଲୋଚନା, ପ୍ରମିଳା ଓ ତାଙ୍କ ୧୭ ବର୍ଷର ପୁଅ ପ୍ରିୟାଂସୁ ରୂପେ ଚିହ୍ନଟ କରିଛି।
ପୋଲିସ ମୃତକଙ୍କ ଶବ ହସ୍ପିଟାଲର ଶବାଗାରରେ ରଖିଛି। ସଦର ଏସଡିଏମ ଦୀପକ ରାମଚନ୍ଦ୍ର ସେଟ କହିଛନ୍ତି ଯେ ଦୁର୍ଘଟଣାରେ ୫ ଜଣ ପୌଡିରେ ପ୍ରାଣ ହରାଇଥିବା ବେଳେ ଅନ୍ୟ ଜଣକ ବେସ୍ ହସ୍ପିଟାଲରେ ଚିକିତ୍ସା କାଳରେ ପ୍ରାଣ ହରାଇଛନ୍ତି। ୨୧ ଜଣ ଆହତ ଯାତ୍ରୀଙ୍କ ଚିକିତ୍ସା ଶ୍ରୀନଗର ବେସ୍ ହସ୍ପିଟାଲରେ ହେଉଛି। ତେବେ ଜଣେ ଯାତ୍ରୀଙ୍କୁ ପ୍ରାଥମିକ ଚିକିତ୍ସା ପରେ ପୌଡ଼ି ଜିଲ୍ଲା ହସ୍ପିଟାଲରୁ ଛାଡି ଦିଆଯାଇଛି।