ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) ୨୦୨୫ରେ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫିକୁ ହାଇବ୍ରିଡ ମଡେଲ୍ରେ ଆୟୋଜନ କରିବାକୁ ସହମତି ଦେଇଛି। ଏହା ଅନୁସାରେ ଭାରତ ନିଜର ମ୍ୟାଚ୍ ଦୁବାଇରେ ଖେଳିବ। ଏପରିକି ୨୦୨୭ ପର୍ଯ୍ୟନ୍ତ ଆଇସିସିର ଅନେକ ଟୁର୍ଣ୍ଣାମେଣ୍ଟରେ ମଧ୍ୟ ଏହି ସମାନ ବ୍ୟବସ୍ଥା ଲାଗୁ ହେବ। ଏ ନେଇ ସୈଦ୍ଧାନ୍ତିକ ଭାବେ ସହମତି ପ୍ରକାଶ ପାଇଛି। ଆଇସିସିର ଉଚ୍ଚପଦସ୍ଥ ଜୈନକ ଅଧିକାରୀଙ୍କ ଅନୁଯାୟୀ, ଦୁବାଇରେ ନିଜ ମୁଖ୍ୟାଳୟରେ ଆଇସିସିର ନୂଆ ଚେୟାରମ୍ୟାନ ଜୟ ଶାହ ଓ ପାକିସ୍ତାନ ସହିତ ନିର୍ଦ୍ଦେଶକ ମଣ୍ଡଳୀ ମଧ୍ୟରେ ଏକ ଅଣ ଆନୁଷ୍ଠାନିକ ବୈଠକ ସମୟରେ ଉପରୋକ୍ତ ନିର୍ଣ୍ଣୟକୁ ଚୂଡ଼ାନ୍ତ ରୂପ ଦିଆଯାଇଛି।
ଆଇସିସିର ସୂତ୍ର ଅନୁଯାୟୀ, ସମସ୍ତ ପକ୍ଷ ସୈଦ୍ଧାନ୍ତିକ ଭାବେ ସହମତି ବ୍ୟକ୍ତ କରିଛନ୍ତି ଯେ, ୨୦୨୫ ଚାମ୍ପିଅନ୍ସ ଟ୍ରଫି ୟୁଏଇ ଓ ପାକିସ୍ତାନରେ ଆୟୋଜିତ ହେବ। ଭାରତ ନିଜର ମ୍ୟାଚ୍ ୟୁଏଇର ଦୁବାଇରେ ଖେଳିବ। ଏହା ସମସ୍ତ ହିତଧାରକଙ୍କ ପାଇଁ ଏକ ପ୍ରକାର ବିଜୟ। ଏହି ଆଧାରରେ ୨୦୨୭ ପର୍ଯ୍ୟନ୍ତ ଭାରତରେ ଖେଳା ଯିବାକୁ ଥିବା ଆଇସିସି ଟୁର୍ଣ୍ଣାମେଣ୍ଟରେ ହାଇବ୍ରିଡ ମଡେଲ୍ ଲାଗୁ ହେବ ଏବଂ ପାକିସ୍ତାନ ନିଜର ମ୍ୟାଚ୍ ନିରପେକ୍ଷ ସ୍ଥାନରେ ଖେଳିବ।
ପାକିସ୍ତାନ ବି ଯିବନି ଭାରତ
ପାକିସ୍ତାନ ଗତ ସପ୍ତାହରେ ଆଇସିସିର ବୈଠକରେ ଚାମ୍ପିଅନ୍ସ ଟ୍ରଫିରୁ ଓରିବାକୁ ଦେଇଥିବା ଧମକ ପ୍ରତ୍ୟାହାର କରିବା ସହ ହାଇବ୍ରିଡ ମଡେଲ୍ ଉପରେ ସହମତି ହୋଇଥିଲା।୨୦୩୧ ପର୍ଯ୍ୟନ୍ତ ଏହି ଧରଣର ହାଇବ୍ରିଡ ମଡେଲ୍ ବ୍ୟବସ୍ଥା ଲାଗୁ କରିବାକୁ ଦାବି କରିଥିଲା। କିନ୍ତୁ ଆଇସିସି ୨୦୨୭ ପର୍ଯ୍ୟନ୍ତ ନିଜର ସବୁ ପ୍ରତିଯୋଗିତାରେ ହାଇବ୍ରିଡ ମଡେଲ୍ ଲାଗୁ କରିବା ନେଇ ସହମତି ଦେଇଛି।
ଏହି ଅବଧିରେ ଆସନ୍ତା ବର୍ଷ ଅକ୍ଟୋବରରେ ମହିଳା ଦିନିକିଆ ବିଶ୍ଵକପ୍ ଭାରତ ଯୁଗ୍ମ ଭାବେ ଶ୍ରୀଲଙ୍କା ସହିତ ଆୟୋଜନ କରିବ। ପୁଣି ୨୦୨୬ ପୁରୁଷ ଟି-୨୦ ବିଶ୍ଵକପ୍ ଭାରତରେ ଖେଳାଯିବ। ଟୁର୍ଣ୍ଣାମେଣ୍ଟ ପାଇଁ ପାକିସ୍ତାନ ଭାରତ ଗସ୍ତ କରିବ ନାହିଁ।
ଜୈନକ ଅଧିକାରୀ କହିଛନ୍ତି, ୨୦୨୬ ପୁରୁଷ ଟି-୨୦ ବିଶ୍ଵକପ୍ରେ ପାକିସ୍ତାନ ନିଜର ସମସ୍ତ ମ୍ୟାଚ୍ ଶ୍ରୀଲଙ୍କାରେ ଖେଳିବ। ସେହିପରି ଚାମ୍ପିଅନ୍ସ ଟ୍ରଫିର ହାଇବ୍ରିଡ ମଡେଲ ଲାଗୁ ହେଉଥିବାରୁ ପିସିବି ଦାବି କରିଥିବା ଅଧିକ ଖର୍ଚ୍ଚ ରାଶି ଉପରେ ଆଇସିସି ବିଚାର କରୁଛି। ଏହି ବ୍ୟବସ୍ଥା ଉପରେ ସହମତି ପ୍ରକାଶ ପାଇବାର ଅର୍ଥ ୨୦୨୬ ମହିଳା ବିଶ୍ଵକପ୍ରେ ଭାରତୀୟ ମହିଳା ଦଳକୁ ପାକିସ୍ତାନ ବିପକ୍ଷ ନିଜର ଲିଗ୍ ମ୍ୟାଚ୍ ଖେଳିବା ପାଇଁ ନିରପେକ୍ଷ ସ୍ଥାନକୁ ଯାତ୍ରା କରିବାକୁ ପଡ଼ିବ।