ପୂର୍ବରୁ ସଂସଦରେ ଜାତିଭିତ୍ତିକ ଜନଗଣନା ଦାବି ଉଠାଇଥିଲା ବିଜେଡ଼ି, କେନ୍ଦ୍ରର ଏହି ନିଷ୍ପତ୍ତି ନିର୍ବାଚନୀ ଷ୍ଟଣ୍ଟ ନହେଉ କହିଲେ ବିଜେଡି ନେତା

Published By : Prameya-News7 Bureau | May 01, 2025 IST

ଭୁବନେଶ୍ବର ୧।୫: ଜାତିଭିତ୍ତିକ ଜନଗଣନା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛି ବିଜେଡି । ବିଜେଡି ବରିଷ୍ଠ ନେତା ଅରୁଣ ସାହୁ କହିଛନ୍ତି, ସମସ୍ତେ ଦାବି କରୁଥିଲେ ଜାତିଭିତ୍ତିକ ଜନଗଣନା ହେଉ । ବିଜେଡ଼ି ବି ଦାବି ଉଠାଇଥିଲା । ୨୦୧୦ରେ ସଂସଦରେ ବିଜେଡ଼ି ଜାତିଭିତ୍ତିକ ଜନଗଣନା ପ୍ରସଙ୍ଗ ଉଠାଇଥିଲା । ବିଜେଡ଼ି ସଂସଦୀୟ କମିଟି ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଭେଟି ଦାବି କରିଥିଲେ । ବିଧାନସଭା ଓ ଷ୍ଟାଣ୍ଡିଂ କମିଟିରେ ମଧ୍ୟ ଜାତିଭିତ୍ତିକ ଜନଗଣନା କଥା ବିଜେଡି ଉଠାଇଛି । ୨୦୨୦ରେ ଜନଗଣନା ହେବ କଥା କିନ୍ତୁ କୋଭିଡ୍ ପାଇଁ ବନ୍ଦ ରହିଲା । ତାପରେ ବି ହେଲାନି । ଯେଉଁଥି ପାଇଁ ଆମେ ଆନ୍ଦୋଳନ କରିଛୁ, ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ଦେଇଛୁ ।  ନବୀନ ବାବୁ ଏହାକୁ ସ୍ଵାଗତ କରିଛନ୍ତି । ଏହାଦ୍ୱାରା ଏସ୍‌ସି, ଏସ୍‌ଟି, ଓବିସି ଉପକୃତ ହେବେ ।

କେନ୍ଦ୍ର ସରକାର ନିଷ୍ପତ୍ତି ନେଲେ କିନ୍ତୁ ନିୟମାବଳୀ ଆସିନାହିଁ । ବିଜେଡ଼ିର ଦାବି ହେଲା ସାମାଜିକ,  ଅର୍ଥନୈତିକ ଓ ଶିକ୍ଷା କ୍ଷେତ୍ରରେ ପଛୁଆ ବର୍ଗକୁ ଜାତିଭିତ୍ତିକ ଜନଗଣନା ସମୟରେ ଚିହ୍ନଟ କରାଯାଉ । ସଂରକ୍ଷଣ ଲିମିଟ୍ ୫୦ ପ୍ରତିଶତରୁ ଅଧିକ କରାଯାଉ । ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥା ଗ୍ରହଣ କରାଯାଉ । ଆର୍ଥିକ ଅନଗ୍ରସରଙ୍କୁ ଅଗ୍ରାଧିକାର ଦିଆଯାଉ । ଯାହାର ସଂଖ୍ୟା ଯେତେ, ତାର ଭାଗ ସେତେ ହେବା ଦରକାର ବୋଲି ଅରୁଣ ସାହୁ କହିଛନ୍ତି ।

ସେହିଭଳି ବରିଷ୍ଠ ବିଜେଡି ନେତା ସଞ୍ଜୟ ଦାସବର୍ମା କହିଛନ୍ତି, ତିନି ଦଶନ୍ଧିରୁ ଉର୍ଦ୍ଧ୍ବ ସମୟ ଧରି ବିଭିନ୍ନ ସଂଗଠନ ଦାବି କରି ଆସୁଛନ୍ତି । ବିଜେଡ଼ି ସଂସଦରେ ଜାତିଭିତ୍ତିକ ଜନଗଣନା ପାଇଁ ଦାବି ଉଠାଇଛି । ୨୦୨୦ରେ ବିଧାନସଭାରେ ବିଜେଡ଼ି ସରକାର ଗୋଟିଏ ବିଲ୍ ଆଣି ସଂଶୋଧନ କରିଥିଲେ ଏବଂ OBC କମିସନ୍ ଗଠନ ହୋଇଥିଲା । ଆମ ଲଢେଇର ସ୍ୱୀକୃତି ଗତକାଲି ମିଳିଛି । ବିଜେପି କିନ୍ତୁ ଜାତିଭିତ୍ତିକ ଜନଗଣନାକୁ ବିରୋଧ କରିଥିଲା । ସାରା ଦେଶରେ ଦାବି ବଢ଼ିବାରୁ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ମୋଡାଲିଟିଜ ଆସିବା ପରେ ଆଉ ଟିକେ ସ୍ପଷ୍ଟତା ଆସିବ ବୋଲି ସଞ୍ଜୟ ଦାସବର୍ମା କହିଛନ୍ତି ।

ସେହିପରି ବିଜେଡି ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି, ଜାତିଭିତ୍ତିକ ଜନଗଣନା ଆବଶ୍ୟକତା ରହିଥିଲା । କେନ୍ଦ୍ର ସରକାର ଏଥିପାଇଁ ସବୁବେଳେ ପଛେଇଛନ୍ତି । ଆଜି ଆଂଶିକ ଭାବେ କେନ୍ଦ୍ର ସରକାର ମାନିଛନ୍ତି । କିନ୍ତୁ କେନ୍ଦ୍ରର ଏହି ନିଷ୍ପତ୍ତି ନିର୍ବାଚନୀ ଷ୍ଟଣ୍ଟ ନହେଉ ବୋଲି ସ୍ନେହାଙ୍ଗିନୀ କହିଛନ୍ତି ।

You Can Read:

ଏକତରଫା ପ୍ରେମରୁ ଯୁବତୀଙ୍କୁ ବୀଭତ୍ସ ହତ୍ୟା, ଘରେ ପଡ଼ିଛି ରକ୍ତାକ୍ତ ମୃତଦେହ


 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.