ଭୁବନେଶ୍ବର ୨୩।୩: ଡିଲିମିଟେସନ ପ୍ରସଙ୍ଗକୁ ନେଇ ବିଜେପିକୁ ତେରଛା ବାଣ ମାରିଛି ବିଜେଡି । ବିଜେଡିର ବରିଷ୍ଠ ନେତା ଅମର ପଟ୍ଟନାୟକ କହିଛନ୍ତି, ବିଜେପି ଓଡ଼ିଶାରେ ସରକାର କରିଛନ୍ତି । ଓଡ଼ିଶାର କ୍ଷତି ହେବାକୁ ଯାଉଛି । ରାଜନୈତିକ ପ୍ରତିନିଧିତ୍ୱ କମିବାକୁ ଯାଉଛି । ଏପରିକି ଜନସଂଖ୍ୟା ଆଧାରରେ ଡିଲିମିଟେସନ ହେଲେ ଅର୍ଥ କମିଶନରେ ଅର୍ଥ କମ୍ ମିଳିବ । କିନ୍ତୁ ବିଜେପି ସରକାର ଚୁପ୍ ହୋଇ ବସିଛନ୍ତି । ପାର୍ଟି ଠୁ ବଡ଼ ମାଟି । କିନ୍ତୁ ବିଜେପି ମାଟି କଥା ନ ଭାବି ଯଦି ଏ ପ୍ରସଙ୍ଗକୁ ରାଜନୈତିକ ରଙ୍ଗ ଦେବ କେମିତି ହେବ ବୋଲି ସେ ପ୍ରଶ୍ନ କରିଛନ୍ତି । ନବୀନ ସବୁବେଳେ ମାଟି କଥା ଭାବୁଛନ୍ତି । ସେଥିପାଇଁ ତାମିଲନାଡୁ ବୈଠକକୁ ବିଜେଡିକୁ ପଠାଇଥିଲେ । ଓଡ଼ିଶାରେ ଶାସକ ଦଳ ହୋଇ ବି ଓଡ଼ିଶାର ସ୍ୱାର୍ଥ କଥା ନ ଭାବି ଚୁପ୍ ରହିବା ଓ ଉପରୁ ନିର୍ଦ୍ଦେଶ ଆସୁନାହିଁ ବୋଲି ମୁହଁ ବନ୍ଦ ଅଛି । କିନ୍ତୁ ଓଡ଼ିଶାବାସୀଙ୍କ ସ୍ୱାର୍ଥ କଥା ତ ଭାବିବା ଦରକାର । ବିଜେପିର ଓଡ଼ିଶା ନେତା ତ କିଛି କହିବାର ଥିଲା । ତେଣୁ ଏ ପ୍ରସଙ୍ଗରେ କିଛି ନ କହିବା ହାସ୍ୟାସ୍ପଦ କଥା ବୋଲି କହି କଟାକ୍ଷ କଲେ ଅମର ପଟ୍ଟନାୟକ।
ଡିଲିମିଟେସନ ପ୍ରତି ୧୦ ବର୍ଷରେ ହେବା କଥା ଯାହା ସମ୍ବିଧାନରେ ଅଛି । କିନ୍ତୁ ୧୯୭୧ ପରେ ଆଉ ହେଲା ନାହିଁ । ମାଲଆପୋରସନମେଣ୍ଟ ଯୋଗୁ ସମସ୍ୟା ହେଲା । ଦକ୍ଷିଣ ରାଜ୍ୟ ଓ ପୂର୍ବ ରାଜ୍ୟ ଓଡ଼ିଶା ଓ ପଞ୍ଜାବ ମଧ୍ୟ ଯଦି ଜନସଂଖ୍ୟା ହିସାବରେ ଡିଲିମିଟେସନ ହେଲେ ଏମ୍ପି ଓ ଏମଏଲଏ ସିଟ୍ କମିବାର ଆଶଙ୍କା ରହିଛି । ଯାହା ଫଳରେ ରାଜ୍ୟ ଗୁଡିକର ରାଜନୈତିକ ପ୍ରତିନିଧିତ୍ୱ କମିବାର ଆଶଙ୍କା ଅଛି । ଯଦି ବଢ଼ାଇ ଦିଆଯାଏ ତାହେଲେ ଅନ୍ୟ ରାଜ୍ୟରେ ବହୁ ଅଧିକ ବଢିଯିବ । ଆନୁପତିକ ଭାବେ ସଂସଦରେ ବହୁ ରାଜ୍ୟର କ୍ଷମତା କମିଯିବ । ସେଥିପାଇଁ ତାମିଲନାଡୁରେ ବୈଠକ ହୋଇଥିଲା । ସେଠି ବୈଠକରେ କେରଳ ମୁଖ୍ୟମନ୍ତ୍ରୀ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ, ତେଲେଙ୍ଗାନାର କେସିଆରଙ୍କ ପାର୍ଟିର କେଟିଆର, କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର, ପଞ୍ଜାବ ମୁଖ୍ୟମନ୍ତ୍ରୀ ଆସିଥିଲେ । ଅନ୍ୟ ବହୁ ରାଜନୈତିକ ଦଳର ପ୍ରତିନିଧି ଯୋଗ ଦେଇଥିଲେ । ଯଦି ଜନସଂଖ୍ୟା ହିସାବରେ କରାଯାଏ ତାହେଲେ ଓଡ଼ିଶାର ପ୍ରଭୂତ୍ବ କ୍ଷତି ହେବ । ଲୋକସଂଖ୍ୟା ଆଧାରରେ ସୀମା ପୁନଃ ନିର୍ଦ୍ଧାରଣ କରାଯାଇ ପାରିବ ନାହିଁ । ଯେଉଁ ରାଜ୍ୟ କେନ୍ଦ୍ରର ପଲିସି ଅନୁଯାୟୀ ଜନସଂଖ୍ୟା ନିୟନ୍ତ୍ରଣ କଲେ ସେମାନଙ୍କୁ କ’ଣ ଏଥିପାଇଁ ପେନଲଟି ଦେବାକୁ ପଡିବ କି ବୋଲି ଅମର ପ୍ରଶ୍ନ କରିଛନ୍ତି । ସେହି ପଏଣ୍ଟକୁ ନବୀନ ବାବୁ ରଖିଛନ୍ତି । ବରଂ ଓଡ଼ିଶା ପୁରସ୍କୃତ ହେବା କଥା । ଏହି ପ୍ରକ୍ରିୟା ଆରମ୍ଭ କରିବା ପୂର୍ବରୁ ଟର୍ମସ ଆଣ୍ଡ କଣ୍ଡିସନ୍ସ କ’ଣ ରହିବ ସବୁ ଦଳ ଓ ଷ୍ଟେକ ହୋଲ୍ଡରଙ୍କ ସହ ଆଲୋଚନା କରି ହେବା କଥା ବୋଲି ଅମର ପଟ୍ଟନାୟକ କହିଛନ୍ତି ।
ଫେୟାର ଡିଲିମିଟେସନ ପାଇଁ ବୈଠକ ବସିଥିଲା । ଯଥାର୍ଥ ଡିଲିମିଟେସନ ହେବା ହିଁ ଉଦ୍ଦେଶ୍ୟ । ଓଡ଼ିଶାର ଗ୍ରୋଥ୍ ପପୁଲେସନ କମି କମି ଚାଲିଛି । ଟୋଟାଲ ଫର୍ଟିଲିଟି ରେଟ୍ ମଧ୍ୟ କମିଛି । ଜନସଂଖ୍ୟା କମି କମି ଚାଲିଛି । ତେଣୁ ଯଦି ଓଡ଼ିଶାର ସ୍ୱାର୍ଥ କଥା ନଭାବି ରାଜନୈତିକ ରଙ୍ଗ ଦିଆଯିବ ତାହେଲେ ରାଜ୍ୟର କ୍ଷତି ହେବ । ଯେଉଁ ରାଜ୍ୟ ଭଲ କରିଛନ୍ତି ସେମାନଙ୍କୁ ପୁରସ୍କୃତ କରାଯିବା କଥା ।
ସେହିଭଳି, ଡିଲିମିଟେସନ ବୈଠକରେ ଯୋଗଦେଇଥିବା କଂଗ୍ରେସ ସଭାପତି ଭକ୍ତ ଦାସ କହିଛନ୍ତି, ମୁଁ ଯାଇଥିଲି ମୋ ମନ୍ତବ୍ୟ ରଖିଥିଲି । ଯେଉଁମାନେ ଜନସଂଖ୍ୟା ବୃଦ୍ଧିକୁ ଠିକ୍ ଭାବରେ ପରିଚାଳନା କରିଛନ୍ତି ସେମାନଙ୍କ ପାଇଁ ଡ଼ିଲିମିଟେସନ ଦଣ୍ଡ ହେବ । ଆଶଙ୍କା କରାଯାଉଛି ରାଜନୈତିକ କ୍ଷେତ୍ରରେ ପ୍ରଭାବ ପଡ଼ିବ । ଡ଼ିଲିମିଟେସନ୍ ସଂପୂର୍ଣ୍ଣ ଭାବରେ ଓଡ଼ିଶା ସହିତ ଅନ୍ୟ ରାଜ୍ୟ ମାନଙ୍କ ପାଇଁ ଭୟ ସୃଷ୍ଟି କରୁଛି । ରାଜନୈତିକ କ୍ଷେତ୍ରରେ କ୍ଷତି ହୋଇପାରେ, ଅର୍ଥନୈତିକ କ୍ଷେତ୍ରରେ କ୍ଷତି ହେଇପାରେ, ସେଣ୍ଟରରୁ ଯେଉଁ ଗ୍ରାଣ୍ଟ ମିଳୁଛି ସେଥିରେ ମଧ୍ୟ ପ୍ରଭାବ ପକାଇପାରେ ।
ଏହା ମଧ୍ୟ ଏଡାଇ ଦିଆଯାଇ ପାରିବ ନାହିଁ ଉଭୟ କେନ୍ଦ୍ର ଓ ରାଜ୍ୟରେ ବିରୋଧୀ ଦଳ ମାନଙ୍କୁ ଟାର୍ଗେଟ କରାଯାଉଛି । ଓଡ଼ିଶା ଉପରେ ସଂପୂର୍ଣ୍ଣ ପ୍ରଭାବ ପଡ଼ିବ । ବିଭିନ୍ନ କ୍ଷେତ୍ରରେ ରାଜନୈତିକ ପ୍ରତିନିଧିତ୍ଵ ଉପରେ ପ୍ରଭାବିତ ହେବାର ଆଶଙ୍କା ଅଛି । ଆଦିବାସୀଙ୍କ ପ୍ରତିନିଧିତ୍ଵ ସଂଖ୍ୟା କମିପରେ । ଆଦିବାସୀଙ୍କ ସଂଖ୍ୟା ଅଧିକ ଥିବା ନିବର୍ଚାନ ମଣ୍ଡଳୀ ମୁଖ୍ୟତଃ ଖଣି ଅଞ୍ଚଳରେ ରହିଛି । ଆସାମରେ ଯେଉଁ ଡ଼ିଲିମିଟେସନ୍ କଲେ ସେଥିରେ ମୁଖ୍ୟତଃ ଆଦିବାସୀ ଅଂଚଳ ପ୍ରଭାବିତ ହେଇଥିଲା । ଅଧିକାଂଶ ଖଣି ଅଞ୍ଚକରେ ଆଦିବାସୀ ଜନଜାତି ବସବାସ କରନ୍ତି ସେଥିପାଇଁ ସେମାନେ ଅନେକ ସ୍ତରରେ ପ୍ରଭାବିତ ହେଉଛନ୍ତି । ଖଣି ଅଞ୍ଚଳରେ ଆଦିବାସୀଙ୍କ ସ୍ୱର ଚାପି ଦିଆଯାଉଛି । ଓଡ଼ିଶାର ଭୌଗଳିକ ସ୍ଥିତ ତାହା ମଧ୍ୟ ପ୍ରଭାବିତ ହେଇପାରେ । ସାଂସ୍କୃତିକ ଓ ପାରମ୍ପରିକ ଏବଂ ଭାଷାଗତ ଏକତା ପ୍ରଭାବିତ ହେବ । ଧମକ ମିଳିପାରେ ।
ସଂଘୀୟ ବ୍ୟବସ୍ଥାରେ ଯେଉଁ ସହଭାଗିତା ରହିଛି ଯେଉଁ ଅର୍ଥ ରାଜ୍ୟ ପାଉଛି ତାହା ମଧ୍ୟ ପ୍ରଭାବିତ ହେଇପାରେ । ଏମିତି ତ ଓଡ଼ିଶା ଅର୍ଥନୀତି ଦୁର୍ବଳ ଅଛି । ଖଣି ଖାଦାନରୁ ଯେତିକି ରାଜସ୍ବ କେନ୍ଦ୍ର ପାଉଛି ତାହା ତୁଳନାରେ ଆମେ କିଛି ପାଉନାହିଁ । ଜାତିଗତ ବିଭେଦର ପ୍ରଭାବ ପଡିପାରେ । ଓଡ଼ିଶା ସଂସଦୀୟ କ୍ଷେତ୍ରରେ ତିନୋଟି ଆସନ ହରେଇପାରେ । ଜମ୍ମୁ କାଶ୍ମୀର ଓ ଆସାମରେ ଯେଉଁ ଭାବରେ ଡ଼ିଲିମିଟେସନ୍ କରିଛି ବିଜେପି ଠିକ୍ ସେହିଭଳି ସ୍ଥିତି ସୃଷ୍ଟି କରିବା ପାଇଁ ଯୋଜନା କରୁଛି।
ଚେନ୍ନାଇରେ ଯେଉଁ ବୈଠକ ହେଲା ତାହା ଯୁକ୍ତିଯୁକ୍ତ । ଡ଼ିଲିମିଟେସନକୁ ନେଇ ଯେଉଁ ଆଶଙ୍କା ଦେଖାଦେଇଛି ତାକୁ ନେଇ ସଠିକ୍ ଆଲୋଚନା ହେବାର ଆବଶ୍ୟକତା ରହିଛି । ପ୍ରତ୍ୟେକ ରାଜ୍ୟ ହିତରେ ଆମର ବହୁବିଦ୍ଧ ସଂସ୍କୃତି ଓ ପରମ୍ପରା ରହିଛି ଦେଶରେ । ତେଣୁ ସେଗୁଡିକ ପ୍ରଭାବିତ ହେବାର ସମ୍ଭାବନା ରହିଛି । ତେଣୁ କଂଗ୍ରେସ ଅଧିକ ତର୍କବିତର୍କ ଏବଂ ଆଲୋଚନାର ଆହ୍ଵାନ ଦେଉଛି ।
ଯେଉଁ ରାଜ୍ୟମାନେ ଜନସଂଖ୍ୟା ବୃଦ୍ଧିକୁ ନିୟନ୍ତ୍ରଣ କରି ରୋଜଗାର ଓ ଖର୍ଚ୍ଚର ସନ୍ତୁଳନ ରକ୍ଷା କଲେ ଏବଂ ସର୍ବୋପରି ଦେଶ ଗଠନ ଦିଗରେ ସହଭାଗିତା ହେଲେ ସେମାନେ ଦଣ୍ଡିତ ହେବା ଠିକ୍ ନୁହେଁ । ଜମ୍ମୁ କାଶ୍ମୀର ଓ ଆସାମରେ ଆୟରମ୍, ଗାୟାରାମ ଭଳି ଡ଼ିଲିମିଟେସନ୍ ସେଠି ବ୍ୟବସ୍ଥା ହେଇଛି । କେବଳ ସର୍ବଭାରତୀୟ ସ୍ତରରେ କ୍ଷମତା ଅକ୍ତିଆର କରିବା ପାଇଁ ଅସାଧୁ ଉପାୟରେ କାର୍ଯ୍ୟକ୍ରମ ହେବା କଥା ନୁହେଁ ସେ ଯେ କୌଣସି ଦଳ ହେଉନା କାହିଁକି । ଦେଶରେ ସବୁ ଭଲ ଦେଖାଯାଉଛି ହେଲେ ମୁଣ୍ଡ ପିଛା ଖର୍ଚ୍ଚ, ଦାଦନ, ବେରୋଜଗାରୀ, ଚାଷୀଙ୍କ ଦୁର୍ଦ୍ଦଶା, ମହିଳାଙ୍କ ଯେଉଁ ସ୍ଥିତି ରହିଛି ସେଥିପାଇଁ ବିପୁଳ ଅର୍ଥର ଆବଶ୍ୟକତା ରହିଛି ରାଜ୍ୟ ମାନଙ୍କୁ । ଗଠନ ମୂଳକ ଆଲୋଚନା ହେଲା। କେନ୍ଦ୍ରସରକାର ଏହାକୁ ନେଇକି ଯୁକ୍ତି ସଙ୍ଗତ ମତ ରଖିବାର ଆବଶ୍ୟକତା ରହିଛି । ସାମ୍ବିଧାନିକ ସ୍ଥିତିକୁ ଅଣଦେଖା କରିଛନ୍ତି କେନ୍ଦ୍ର ସରକାର ।
ସେପେଟ, ଡ଼ିଲିମିଟେସନ ନେଇ ଚେନ୍ନାଇରେ ବସିଥିବା ବୈଠକରେ ବିଜେଡି ଯୋଗ ଦେବାକୁ ନେଇ ବିଜେପିର କଡା ଟାର୍ଗେଟ୍ । ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ଗତ ୮-୧୦ବର୍ଷ ଧରି ସରକାରକୁ ଦକ୍ଷିଣ ଭାରତୀୟ ଲୋକ ଚଳେଇଲେ । ଏବେ ଦକ୍ଷିଣ ଭାରତ ସହ ଅସୁବିଧା କଣ ଅଛି । ଡିଲିମିଟେସନ ପାଇଁ ନୋଟିଫିକେସନ ଆସିନି । ହେଲେ ଏବେଠୁ ନଈ ନ ଦେଖୁଣୁ ନଙ୍ଗଳା ହେଲାଭଳି ନ ହୁଅନ୍ତୁ । ଯଦି କିଛି ଭୁଲ୍ ଥିବ ପରାମର୍ଶ ଦେବାର ଅଧିକାର ବିରୋଧୀଙ୍କର ଅଛି । କେନ୍ଦ୍ର ସରକାର ସବୁବେଳେ ଗଣତନ୍ତ୍ରର ପରିସୀମା ଭିତରେ ଚାଲିଥାନ୍ତି । ଗଣତନ୍ତ୍ରର ଅଧିକାର କୌଣସି ଜାଗାରେ କ୍ଷୁର୍ଣ୍ଣ ହେବାର ନାହିଁ । ବିରୋଧୀ ଦଳ ଏତେ ଭୟଭୀତ ନ ହୋଇ ଅପେକ୍ଷା କରନ୍ତୁ ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।
You Can Read: