ଓ୍ଵାକଫ ବିଲ୍‌କୁ ନେଇ ବିଜେଡି ଦୁଇ ଫାଳ, ଦେବାଶିଷଙ୍କ ବିରୋଧରେ ସାମ୍ନାକୁ ଆସିଲେ ପାଣ୍ଡିଆନ ସପକ୍ଷବାଦୀ

Published By : Prameya-News7 Bureau | April 07, 2025 IST

ଭୁବନେଶ୍ଵର: ଓ୍ଵାକଫ  ବିଲ୍‌କୁ ନେଇ ଦୁଇ ଫାଳ ବିଜେଡି। ଶେଷ ମୁହୂର୍ତ୍ତରେ ରାଜ୍ୟସଭାରେ ବିଜେଡିର ୟୁଟର୍ଣ୍ଣ ନେଇ ଏବେ ଦଳରେ ଝଡ଼ ସୃଷ୍ଟି ହୋଇଛି। କାହିଁକି ଏବଂ କେଉଁ ପରିସ୍ଥିତିରେ ବିବେକ ଅନୁସାରେ ଭୋଟ୍ ଦେବାକୁ କିଏ କହିଲା ? କାହା ଇସାରାରେ ନିଷ୍ପତ୍ତି ଶେଷ ମୁହୂର୍ତ୍ତରେ ବଦଳିକା ତାକୁ ନେଇ ଏବେ ଖୋଲାଖୋଲି କୈଫତ ମାଗିଲେଣି ବିଜେଡିର ଅନେକ ବରିଷ୍ଠ ନେତା। ବିଜେଡିର ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ପରୋକ୍ଷରେ ଭିକେ ପାଣ୍ଡିଆନଙ୍କୁ ତେରଛା ବାଣ ମାରିଛନ୍ତି। ଆଉ ଦେବାଶିଷଙ୍କୁ  ଟାର୍ଗେଟ୍ କରି ଆଗକୁ ଆସିଛନ୍ତି ପାଣ୍ଡିଆନ ସପକ୍ଷବାଦୀ। ଏବେ ଚାରି ସାଂସଦ ଶୁଭାଶିଷ ଖୁଣ୍ଟିଆ, ନିରଞ୍ଜନ ବିଶି, ମାନସ ମଙ୍ଗରାଜ ଓ ସୁଲତା ଦେଓ ପାଣ୍ଡିଆନଙ୍କ ପାଇଁ ଓକିଲାତି କରିବା ଆରମ୍ଭ କରି ଦେଇଛନ୍ତି।

ଶୁଭାଶିଷ କହିଛନ୍ତି, ଭିକେ ପାଣ୍ଡିଆନ ରାଜନୀତିରେ ନାହାନ୍ତି, ତାଙ୍କ ବିଷୟରେ ଏବେ କାହିଁକି କୁହାଯାଉଛି। ଦଳର ନେତା ବିବେକ ଅନୁସାରେ ଭୋଟ୍ ଦେବାକୁ କହିଥିଲେ। ମୁନ୍ନା ଖାନ ମୁସଲିମ ଓ ସସ୍ମିତ ପାତ୍ର ଖ୍ରୀଷ୍ଟିଆନ ସଂପ୍ରଦାୟକୁ ପ୍ରତିନିଧିତ୍ଵ କରୁଛନ୍ତି। ତାଙ୍କ ଅନୁସାରେ ସେ ଭୋଟ୍ ଦେଲେ ଏବଂ ୟାଙ୍କ ଅନୁସାରେ ଇଏ ଭୋଟ୍ ଦେଲେ। ସେହିପରି ସାଂସଦ ନିରଞ୍ଜନ ବିଶି କହିଛନ୍ତି ଯେ, ପାଣ୍ଡିଆନଙ୍କୁ ଅଯଥା ବଦନାମ କରାଯାଉଛି। ଦେବାଶିଷ ସାମନ୍ତରାୟଙ୍କ ମନ୍ତବ୍ୟକୁ ମୁଁ ଘୋର ନିନ୍ଦା କରୁଛି। କିଛି ଅଭିସନ୍ଧି ରଖି ଦେବାଶିଷ ଏପରି କହିଛନ୍ତି। 

ପାଣ୍ଡିଆନଙ୍କ ସପକ୍ଷବାଦୀ ତାଲିକାରେ ରହିଛି ସାଂସଦ ମାନସ ମଙ୍ଗରାଜଙ୍କ ନାଁ। ସେ ଦେବାଶିଷଙ୍କ ମନ୍ତବ୍ୟକୁ ନିନ୍ଦା କରି କହିଛନ୍ତି। ସେ କହିଛନ୍ତି, ରାଜନୀତିରୁ ୧୦ ମାସ ହେଲା ପାଣ୍ଡିଆନ ଅବସର ନେଇ ସାରିଛନ୍ତି। କିଛି ନ୍ୟସ୍ତସ୍ଵାର୍ଥ କାରଣରୁ ଦେବାଶିଷ ଏପରି କହିଛନ୍ତି। ଦେବାଶିଷ ନିଜର ଭୁଲ୍ ଲୁଚାଇବା ପାଇଁ ଚେଷ୍ଟା କରୁଛନ୍ତି। ନବୀନ ନିବାସରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିବାରୁ ନିବୃତ୍ତ ରୁହନ୍ତୁ ବୋଲି ସୁଲତା ଦେଓ କହିଛନ୍ତି।  

ଓ୍ଵାକଫ ବିଧେୟକ ଉପରେ ଭୋଟିଂ ପରେ ଦେବାଶିଷ ନିଜ ପ୍ରତିକ୍ରିୟାରେ କହିଥିଲେ, ତରବରିଆ ନିଷ୍ପତ୍ତି ପରିବର୍ତ୍ତନ ପାଇଁ ଦାୟୀ କିଏ ? ହଠାତ୍‌ ସଂସଦରେ କ’ଣ ହେଲା ତାହା ଆମେ କେହି ଜାଣିପାରିଲୁ ନାହିଁ । ଯେଉଁ ମୁଖ୍ୟ ପରାମର୍ଶଦାତା ଅଛନ୍ତି,ଏହା ତାଙ୍କର ନିଷ୍ପତ୍ତି। ମୁନ୍ନା ଖାଁ କହିଛନ୍ତି, ସଂସଦୀୟ ଗଣତନ୍ତ୍ର ଯେକୌଣସି ବିଲ୍ ସପକ୍ଷରେ ଏବଂ ବିପକ୍ଷରେ ଭୋଟ୍ ଦିଆଯାଏ । କିନ୍ତୁ ବିବେକ ଅନୁସାରେ ଭୋଟ୍ ଦେବାଟା ପୃଥିବୀରେ କେଉଁଠି ନାହିଁ । ସଂସଦର ବଜେଟ୍ ଅଧିବେଶନ ଶେଷ ହେବା ପରେ ସୋମବାର ଭୁବନେଶ୍ୱର ଫେରି ଏଭଳି ପ୍ରତିକ୍ରିୟା ରଖିଛନ୍ତି ବିଜେଡ଼ି ସାଂସଦ ମୁଜିବୁଲ୍ଲା ଖାଁ ଓରଫ୍ ମୁନା ଖାଁ ।  

ସସ୍ମିତଙ୍କ ଉପରେ ବର୍ଷିଲେ ମୁନ୍ନା 

ପ୍ରଥମ ପ୍ରତିକ୍ରିୟା ରଖି ମୁନ୍ନା ଖାଁ କହିଛନ୍ତି,  ସସ୍ମିତଙ୍କୁ ଦଳରୁ ବାହାରି ଯିବା କଥା।  ବିଜୁ ଜନତା ଦଳ ଏକ ଧର୍ମ ନିରପେକ୍ଷ ଦଳ । ଓ୍ଵାକଫ୍ ସଂଶୋଧନ ବିଲକୁ ବିରୋଧ କରିବା ଦଳର ସଭାପତି ନବୀନ ପଟ୍ଟନାୟକ କହିଥିଲେ । ଯେତେବେଳେ ବିଲ୍ ସଂସଦରେ ଆସିଲା ସେତେବେଳେ ମୁଁ ବିଲକୁ ବିରୋଧ କରିଥିଲି । କିନ୍ତୁ ସନ୍ଧ୍ୟା ବେଳକୁ ଦଳର ଜଣେ ନେତା (ସସ୍ମିତ ପାତ୍ର) ବିବେକ ଅନୁସାରେ ଭୋଟ୍ ଦେବାକୁ ଟ୍ୱିଟ୍ କଲେ । ସଂସଦରେ ଯେଉଁ କୌଣସି ବିଲ୍ ସପକ୍ଷରେ ଏବଂ ବିପକ୍ଷରେ ଭୋଟ୍ ଦିଆ ହୁଏ । କିନ୍ତୁ ବିବେକାନୁଗତିତରେ ଭୋଟ୍ ଦେବାଟା ପୃଥିବୀରେ କେଉଁଠି ନାହିଁ କିମ୍ବା ମୁଁ ଜାଣି ନାହିଁ । କିନ୍ତୁ ଟ୍ୱିଟ୍ କଲା ପରେ ମୁଁ ତାଙ୍କୁ ପାଇଲି ନାହିଁ ।

ନବୀନ ନିବାସରେ ପାଣ୍ଡିଆନ ଗୋ ବ୍ୟାକ୍ ନାରା

ଏସବୁ ରାଜନୀତି ମଧ୍ୟରେ ଏପ୍ରିଲ ୭ ତାରିଖ ନବୀନ ନିବାସରେ ପାଣ୍ଡିଆନ ଗୋ ବ୍ୟାକ୍ ନାରା ଦିଆଯିବାର ବିରଳ ଦୃଶ୍ୟ ଦେଖିବାକୁ ମିଳିଛି। "ଭିକେ ପାଣ୍ଡିଆନ୍ ଗୋ ବ୍ୟାକ୍" ଏବଂ "ଭିକେ ପାଣ୍ଡିଆନ୍ ଓଡ଼ିଶା ଛାଡ଼ନ୍ତୁ" ଭଳି ସ୍ଲୋଗାନ ଦେଇ ପ୍ରଦର୍ଶନକାରୀମାନେ ରାଜ୍ୟସଭାରେ ବିବାଦୀୟ ୱାକଫ୍ (ସଂଶୋଧନ) ବିଲ୍ ୨୦୨୫କୁ ସମର୍ଥନ କରିବା ପାଇଁ ଦାୟୀ ଦଳର ସାଂସଦ ସସ୍ମିତ ପାତ୍ର ଏବଂ ଅନ୍ୟମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସଭବନ ନବୀନ ନିବାସରେ ସୋମବାର ପୂର୍ବାହ୍ନରେ ବିଜେଡି ସାଂସଦ ମୁନ୍ନା ଖାଁଙ୍କ ନେତୃତ୍ୱରେ ମୁସଲିମ୍ ପ୍ରତିନିଧିମାନଙ୍କର ଏକ ଗୋଷ୍ଠୀ ପ୍ରତିବାଦ କରିବାରୁ ଏମିତି ଉତ୍ତେଜନା ପ୍ରକାଶ ପାଇଥିଲା। 

ବିଜେଡିର ୟୁଟର୍ଣ୍ଣ

ସୂଚନାଯୋଗ୍ୟ, ରାଜ୍ୟସଭାରେ ଓ୍ଵାକଫ ସଂଶୋଧନ ବିଧେୟକ ଉପରେ ଆଲୋଚନା ସମୟରେ ବିଜେଡି ସାଂସଦ ମୁନ୍ନା ଖାନ ବିଲ୍‌କୁ ତୀବ୍ର ବିରୋଧ କରିଥିଲେ। କିନ୍ତୁ ଭୋଟିଂ ଦେବାର ଠିକ୍ ପୂର୍ବରୁ ବିଜେଡି ୟୁଟର୍ଣ୍ଣ ମାରିଥିଲା। ପ୍ରଥମେ ବିଧେୟକଙ୍କୁ ବିରୋଧ କରିଥିବା ବିଜେଡି ଭୋଟିଂ ଦେବାଟା ସାଂସଦଙ୍କ ବିବେକ ଉପରେ ଛାଡ଼ିଥିଲା। 

ଭୋଟିଂ ପୂର୍ବରୁ ସାଂସଦ ତଥା ବିଜେଡି ନେତା ସସ୍ମିତ ପାତ୍ର ଏକ୍ସରେ ପୋଷ୍ଟ କରିଥିଲେଯେ ତାଙ୍କ ଦଳ ଓ୍ଵାକଫ ବିଧେୟକକୁ ବିରୋଧ କରିବନି। ବିଜୁ ଜନତା ଦଳ ସର୍ବଦା ଧର୍ମନିରପେକ୍ଷତା ଓ ସମାବେଶି ସିଦ୍ଧାନ୍ତକୁ ବଜାୟ ରଖି ଆସିଛି। ଦଳ ସବୁ ସମୁଦାୟର ଅଧିକାରକୁ ସୁନିଶ୍ଚିତ କରି ଆସିଛି। ଆମେ ଓ୍ଵାକଫ ସଂଶୋଧନ ବିଧେୟକ ୨୦୨୪ ବିଷୟରେ ସବୁ ସମୁଦାୟର ବିଭିନ୍ନ ବର୍ଗଙ୍କ ଦ୍ଵାରା ବ୍ୟକ୍ତ କରାଯାଇଥିବା ବିବିଧ ଭାବନାକୁ ସମ୍ମାନ କରୁଛୁ। ଆମ ପାର୍ଟି ଓ୍ଵାକଫ ବିଲ୍ ଉପରେ ସାବଧାନପୂର୍ବକ ବିଚାର କରି ବିଧେୟକକୁ ବିଜେଡି ବିରୋଧ କରିବନି। ରାଜ୍ୟସଭାରେ ବିବେକ୍ ଅନୁସାରେ ଦଳର ସାଂସଦ ଭୋଟ୍ ଦେବେ। ଏ ନେଇ ଦଳ ପକ୍ଷରୁ କୌଣସି ହ୍ଵିପ୍ ଜାରି କରାଯାଇନି। ଏହି ପରି ଭାବେ ବିଜେଡି ଏହି ବିଧେୟକ ଉପରେ ୟୁଟର୍ଣ୍ଣ ମାରିଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.