ନୂଆଦିଲ୍ଲୀ ୭/୪: ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଆଇନରେ ପରିଣତ ହୋଇସାରିଛି ୱାକଫ୍ ବିଲ୍ । ଏବେ ଏହି ନୂଆ ନିୟମ ସାରା ଦେଶରେ ଲାଗୁ ହେବାକୁ ଯାଉଛି । ଏସବୁ ସତ୍ତ୍ବେ ଥମୁନି ୱାକଫ ଝଡ । ୱାକଫ୍ ବିଲ୍ରେ ଥିବା କେତେକ ବ୍ୟବସ୍ଥାକୁ ବିରୋଧ କରି ସୋମବାର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେବ ରାଷ୍ଟ୍ରୀୟ ଜନତା ଦଳ । ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରାଯିବା ନେଇ ରବିବାର ସୂଚନା ଦେଇଥିଲେ ଆର୍ଜେଡି ସାଂସଦ ମନୋଜ ଝା ।
ପୂର୍ବରୁ ଗତ ୪ ତାରିଖରେ କଂଗ୍ରେସ ସାଂସଦ ମହମ୍ମଦ ଜାଭେଦ ସୁପ୍ରିମକୋର୍ଟରେ ବିଲ୍ ବିରୋଧରେ ପିଟିସନ ଦାୟର କରିଥିଲେ । ଏଥିରେ ସମ୍ବିଧାନର ଧାରା ୧୪,୨୫,୨୬ ଓ ୨୯ କ୍ଷୁର୍ଣ୍ଣ ହେଉଥିବା ନେଇ ଦର୍ଶାଇଥିଲେ । ସେହଦିନ AIMIM ନେତା ଅସଦୁଦ୍ଦିନ ଓୱେସି ବି ସର୍ବୋଚ୍ଚ ଅଦାଲତଙ୍କ ଦ୍ବାରସ୍ଥ ହୋଇଥିଲେ ।
ୱାକଫ୍ ସଂଶୋଧନ ବିଲ୍କୁ ପ୍ରଥମେ ଲୋକସଭାରେ ଉପସ୍ଥାପନ କରାଯାଇଥିଲା । ବିଲ୍ ସପକ୍ଷରେ ୨୮୮ ଓ ବିପକ୍ଷରେ ପଡିଥିଲା ୨୩୨ ଭୋଟ୍ । ୧୨ ଘଣ୍ଟା ଧରି ମାରାଥନ ବିତର୍କ ଓ ଆଲୋଚନା ପରେ ୨ ତାରିଖ ବିଳମ୍ବିତ ରାତିରେ ୱାକଫ୍ ବିଲ୍ ଲୋକସଭାରେ ପାସ୍ ହୋଇଥିଲା । ଏହାର ପରଦିନ ରାଜ୍ୟସଭାକୁ ଯାଇଥିଲା ବିଲ୍ । ସେଠାରେ ଦୀର୍ଘ ୧୨ ଘଣ୍ଟାରୁ ଅଧିକ ବିତର୍କ ପରେ ରାତି ପ୍ରାୟ ସାଢେ ୨ଟାରେ ପାରିତ ହୋଇଥିଲା ୱାକଫ୍ ସଂଶୋଧିତ ବିଲ୍ । ରାଜ୍ୟ ସଭାରେ ଏହି ବିଲ୍ ସପକ୍ଷରେ ୧୨୮ଟି ଭୋଟ୍ ପଡିଥିବାବେଳେ ବିପକ୍ଷରେ ଭୋଟ୍ ଦେଇଥିଲେ ୯୫ ସାଂସଦ ।