ନୂଆଦିଲ୍ଲୀ ୭।୪: ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ଅଭିଯୁକ୍ତ ତହବୁର ରାଣାକୁ ଏବେ ଭାରତ ଅଣାଯାଇ ପାରିବ। ରାଣାକୁ ଭାରତ ପ୍ରତ୍ୟାର୍ପିତ କରିବାର ରାସ୍ତା ସଫା ହୋଇଯାଇଛି। ତହବୁର ରାଣାର ପ୍ରତ୍ୟାର୍ପଣ ଉପରେ ରୋକ ଲଗାଇବା ପାଇଁ ଆବେଦନ ଆମେରିକା ସୁପ୍ରିମକୋର୍ଟ ଖାରଜ ହୋଇଯାଇଛି। ଆମେରିକା ସୁପ୍ରିମକୋର୍ଟର ଏହି ରାୟ ୭ ଏପ୍ରିଲ ସୋମବାର କୋର୍ଟଙ୍କ ୱେବସାଇଟରେ ପ୍ରକାଶିତ ଏକ ନୋଟିସ୍ ରେ ଦିଆଯାଇଛି।
ମୂଳ ପାକିସ୍ତାନୀ କାନାଡା ନାଗରିକ ତହବୁର ରାଣା ବର୍ତ୍ତମାନ ଲସଏଞ୍ଜେଲସ୍ ମେଟ୍ରୋପଲିଟାନ ଡିଟେନସନ ସେଣ୍ଟରରେ ବନ୍ଦୀ ଅଛି। ସେ ଫେବୃଆରୀ ୨୭ ତାରିଖ ଦିନ ଆମେରିକା ସୁପ୍ରିମକୋର୍ଟର ଆସୋସିଏଟ ଜଜ ଓ ନବମ ସର୍କିଟର ସର୍କିଟ ଜଜ୍ ଏଲେନା କାଗନଙ୍କ ଇଜଲାସରେ ‘ବନ୍ଦୀ ପ୍ରତ୍ୟକ୍ଷୀକରଣ ପିଟିସନ’ର ଲମ୍ବିତ ମକଦ୍ଦମା ଉପରେ ରୋକ ଲଗାଇବା ପାଇଁ ଜରୁରିକାଳୀନ ଆବେଦନ ଦାଖଲ କରିଥିଲା। ତେବେ ଗତମାସ ପ୍ରାରମ୍ଭରେ ଜଜ୍ କାଗନଙ୍କ କୋର୍ଟ ତାଙ୍କ ଆବେଦନକୁ ଅଗ୍ରାହ୍ୟ କରିଦେଇଥିଲା।
The United States Supreme Court rejected the extradition stay request of the 26/11 Mumbai attack accused Tahawwur Rana.
— ANI (@ANI) April 7, 2025
(file pic) pic.twitter.com/vAZLRbvzkA
ଏହା ପରେ ରାଣା ତାର ଏହି ଆବେଦନକୁ ପୁଣିଥରେ ଉପସ୍ଥାପନ କରି ଅନୁରୋଧ କରିଥିଲା ଯେ ଆବେଦନକୁ ପ୍ରଧାନ ବିଚାରପତି ରବର୍ଟସଙ୍କ ଶୁଣାଣି ପାଇଁ ପଠାଯାଉ। ଆମେରିକା ସୁପ୍ରିମକୋର୍ଟଙ୍କ ୱେବସାଇଟରେ ପୋଷ୍ଟ ଏକ ଆଦେଶରେ କୁହାଯାଇଛି ଯେ ରାଣାଙ୍କ ଅପଡେଟ୍ ଆବେଦନକୁ ୪ ଏପ୍ରିଲ ୨୦୨୫ ବୈଠକ ନିମନ୍ତେ ସୂଚୀବଦ୍ଧ କରାଯାଇଥିଲା। ତେବେ ୭ ଏପ୍ରିଲ ସୋମବାର ୱେବସାଇଟରେ ଜାରି ଏକ ନୋଟିସ୍ ରେ ତହଉର ରାଣାର ଆବେଦନକୁ ଅସ୍ୱୀକାର କରିଦିଆଯାଇଛି।
ଏହି ଆବେଦନରେ ରାଣା ତର୍କ ଦେଇଥିଲା ଯେ ତାକୁ ଭାରତ ପ୍ରତ୍ୟାର୍ପିତ କରିବା ଆମେରିକା ଆଇନ ଓ ଦଣ୍ଡର ବିରୋଧୀ। ଏହା ଛଡା ଜାତିସଂଘ କନଭେନସର ଉଲ୍ଲଂଘନ ମଧ୍ୟ। ଏହା ସତ୍ତ୍ୱେ ଯଦି ତାକୁ ଭାରତ ପ୍ରତ୍ୟାର୍ପିତ କରାଯାଏ ତେବେ ଆବେଦନକାରୀଙ୍କୁ ଯାତନା ଦିଆଯିବାର ସମ୍ଭାବନା ଆହୁରି ବଢିଯିବ। କାରଣ ଅଭିଯୁକ୍ତ ମୁମ୍ବାଇ ଆକ୍ରମଣର ଅଭିଯୁକ୍ତ ଓ ପାକିସ୍ତାନ ଜନ୍ମିତ ଜଣେ ମୁସଲମାନ। ଏହାଛଡା ତାର ଗୁରୁତର ଚିକିତ୍ସକୀୟ ସ୍ଥିତି ତାକୁ ଭାରତୀୟ ଡିଟେନସନ ସେଣ୍ଟରକୁ ପ୍ରତ୍ୟାର୍ପିତ କରିବା ଏହି ମାମଲାରେ ବାସ୍ତବିକ ମୃତ୍ୟୁ ଦଣ୍ଡ। ତେବେ ଆମେରିକା କୋର୍ଟ ତାର କୌଣସି ତର୍କକୁ ଗୁରୁତ୍ୱ ଦେଇ ନାହାନ୍ତି।