ଦିଲ୍ଲୀ ହସ୍ପିଟାଲମାନଙ୍କରେ ଖୋଲିଲା ହିଟ୍ ଷ୍ଟ୍ରୋକ୍ ୟୁନିଟି, ଜାଣନ୍ତୁ କ’ଣ ମିଳିବ ସୁବିଧା?

Published By : Prameya-News7 Bureau | April 07, 2025 IST

ନୂଆଦିଲ୍ଲୀ ୭।୪: ରାଜଧାନୀ ଦିଲ୍ଲୀର ତାପମାତ୍ରା ୪୦ ଡିଗ୍ରି ସେଲସିୟସ୍ ପାର କରିଛି। ଏହାକୁ ନଜରରେ ରଖି ରାମ ମନୋହର ଲୋହିଆ ହସ୍ପିଟାଲରେ ହିଟ୍ ଷ୍ଟ୍ରୋକ୍ ୟୁନିଟ୍ ଚାଲୁ କରି ଦିଆଯାଇଛି, ଯାହା ଦ୍ୱାରା ଅଂଶୁଘାତ ଅସୁସ୍ଥ ରୋଗୀ ଆସିଲେ ସେମାନଙ୍କ ସୁଗମ ଚିକିତ୍ସା କରାଯାଇ ପାରିବ। ଏହା ଛଡା ଦିଲ୍ଲୀର ଲେଡି ହାର୍ଡିଞ୍ଜ ହସ୍ପିଟାଲରେ ମଧ୍ୟ ହିଟ୍ ଷ୍ଟ୍ରୋକ୍ ୟୁନିଟ୍ ଅଛି। ହେଲେ ଏ ପର୍ଯ୍ୟନ୍ତ ହସ୍ପିଟାଲ କର୍ତ୍ତୃପକ୍ଷ ୟୁନିଟ୍ କୁ ଚାଲୁ କରି ନାହାନ୍ତି। 

ଗତବର୍ଷ ଗ୍ରୀଷ୍ମରେ ଅଂଶୁଘାତ ଜାତୀୟ ରାଜଧାନୀରେ ଆତଙ୍କ ଖେଳାଇ ଦେଇଥିଲା। ଗରମ ସାଙ୍ଗକୁ ଲୁ ଚାଲିବା ପରିସ୍ଥିତିକୁ ଜଟିଳ କରିଥିଲା। ଫଳରେ ୮୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା। ଗତବର୍ଷ କେବଳ ସପଦରଜଙ୍ଗ ହସ୍ପିଟାଲରେ ହିଟ୍ ଷ୍ଟ୍ରୋକ୍ ଯୋଗୁ ୩୩ ଜଣ ପ୍ରାଣ ହରାଇଥିଲେ। ଏହା ଛଡା ରାମ ମନୋହର ଲୋହିଆ, ଏଲଏନଜେପି ସମେତ ଅନ୍ୟ ହସ୍ପିଟାଲରେ ମଧ୍ୟ ଅଂଶୁଘାତ ଯୋଗୁ ଅନେକ ଲୋକେ ପ୍ରାଣ ହରାଇଥିବାର ଖବର ଆସିଥିଲା। ତେବେ ଅଧିକାଂଶ ମୃତ୍ୟୁ ଜୁନ ମାସରେ ହୋଇଥିଲା। 

ଜାତୀୟ ରାଜଧାନୀରେ ବଢୁଥିବା ତାପମାତ୍ରାକୁ ନଜରରେ ରଖି ରାମ ମନୋହର ଲୋହିଆ ହସ୍ପିଟାଲ ପକ୍ଷରୁ ହିଟ ଷ୍ଟ୍ରୋକ ଯୋଗୁ ଅସୁସ୍ଥ ହେଉଥିବା ଲୋକଙ୍କ ଚିକିତ୍ସା ନିମନ୍ତେ ନିଜର ପ୍ରସ୍ତୁତି ପୁରା କରିନେଇଛି। ହସ୍ପିଟାଲ ଏମାର୍ଜେନ୍ସୀ ବିଭାଗ ମୁଖ୍ୟ ଡା. ଅମଲେନ୍ଦୁ ଯାଦବ କହିଛନ୍ତି ଯେ ହିଟ୍ ଷ୍ଟ୍ରୋକ୍ ୟୁନିଟ୍ ରେ ୪ଟି ବେଡର ବ୍ୟବସ୍ଥା ରହିଛି। ଏହା ଛଡା ଆଇସିୟୁରେ ହିଟ୍ ଷ୍ଟ୍ରୋକ୍ ପୀଡ଼ିତଙ୍କ ଚିକିତ୍ସା ନିମନ୍ତେ ୫ଟି ବେଡର ବ୍ୟବସ୍ଥା ହୋଇଛି। ଏାହ ବାଦେ ମଧ୍ୟ ଆବଶ୍ୟକତା ଅନୁସାରେ ୱାର୍ଡରେ ବେଡ୍ ସଂଖ୍ୟା ବୃଦ୍ଧି କରାଯିବବୋଲି ସେ କହିଛନ୍ତି। 

ହିଟ୍ ଷ୍ଟ୍ରୋକରେ ଆକ୍ରାନ୍ତ ଲୋକଙ୍କ ଦେହରେ ଜ୍ୱର ଆସିଥାଏ। ଏହି ଜ୍ୱର  ଔଷଧରେ ମଧ୍ୟ  କମେ ନାହିଁ । ଏଣୁ ହସ୍ପିଟାଲରେ ଏପରି ରୋଗୀଙ୍କ ପାଇଁ ବାଥ ଟବ ବ୍ୟବସ୍ଥା କରାଯାଇଥିଲା। ଡା. ଅମଲେନ୍ଦୁ କହିଛନ୍ତି ଯେ ଦରକାର ପଡିଲେ ୫୦ କେଜି ବରଫ ପାଣିର ଟବରେ ରୋଗୀଙ୍କୁ ବସାଯିବ, ଯାହା ଦ୍ୱାରା ତୁରନ୍ତ ଜ୍ୱରକୁ ଆୟତ କରାଯାଇ ପାରିବ। ଡାକ୍ତର କହିଛନ୍ତି ଯେ ଯଦି ହିଟ ଷ୍ଟ୍ରୋକ୍ ରୋଗୀଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଜ୍ୱର ନ ଛାଡିଲା ତେବେ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ନଷ୍ଟ ହେବାର ସମ୍ଭାବନା ଥାଏ। ଯାହା ଦ୍ୱାରା ମୃତ୍ୟୁ ମଧ୍ୟ ହୋଇପାରେ। 

ତେବେ ଦିଲ୍ଲୀ ସରକାରଙ୍କ ଅଧିକାଂଶ ହସ୍ପିଟାଲରେ ହିଟ୍ ଷ୍ଟ୍ରୋକ୍ ଚିକିତ୍ସା ସୁବିଧା ନାହିଁ କହିଲେ ଚଳେ। ଏଣୁ ଗତବର୍ଷ ଦେଖାଯାଇଥିଲା ହିଟ୍ ଷ୍ଟ୍ରୋକ୍ ରେ ଗୁରୁତ୍ତର ଆକ୍ରାନ୍ତ ରୋଗୀମାନଙ୍କୁ ସରକାରୀ ହସ୍ପିଟାଲରୁ ଘରୋଇ ହସ୍ପିଟାଲକୁ ରେଫର କରାଯାଉଥିଲା। ତେବେ ଏ ବର୍ଷ ଯେପରି ଗତବର୍ଷ ପରି ପରିସ୍ଥିତି ନ ଉପୁଜେ ସେଥି ପାଇଁ ହସ୍ପିଟାସମାନେ ଆଗୁଆ ପ୍ରସ୍ତୁତି ଆରମ୍ଭ କରିଦେଲେଣି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.