ଭିନେଶଙ୍କୁ ଟକ୍କର ଦେବେ ବିଜେପିର ବୈରାଗୀ, ଦ୍ୱିତୀୟ ଲିଷ୍ଟରେ ୨୧ ଜଣଙ୍କ ନାଁ, ୨ ମୁସଲିମ୍ ସାମିଲ

Published By : Prameya-News7 Bureau | September 10, 2024 IST

ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନ ୨୦୨୪ ପାଇଁ ବିଜେପି ନିଜ ପ୍ରାର୍ଥୀଙ୍କ ଦ୍ୱିତୀୟ ଲିଷ୍ଟ ଜାରି କରିଛି । ଏଥିରେ ମୋଟ ୨୧ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି । ପ୍ରଥମ ଲିଷ୍ଟରେ ୬୭ ଜଣଙ୍କ ନାଁ ଘୋଷଣା କରାଯାଇଥିବା ବେଳେ ଏବେ ୨୧ ଜଣଙ୍କୁ ମିଶାଇ ମୋଟ ୮୮ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା ସରିଛି । ୯୦ ଆସନ ବିଶିଷ୍ଟ ନିର୍ବାଚନ ପାଇଁ ଆଉ ଦୁଇ ଆସନ ପାଇଁ ପ୍ରାର୍ଥୀ ଘୋଷଣା ବାକି ରହିଛି । ବିଜେପି ପ୍ରଥମ ଏବଂ ଦ୍ୱିତୀୟ ଲିଷ୍ଟରେ ବର୍ତ୍ତମାନ ସୁଦ୍ଧା ୫ ମନ୍ତ୍ରୀଙ୍କ ଟିକଟ୍ କାଟି ସାରିଛି ।

ଜୁଲାନାରୁ କଂଗ୍ରେସ୍ ପ୍ରାର୍ଥୀ ଭିନେଶ ଫୋଗାଟଙ୍କ ବିରୋଧରେ ବିଜେପି ନିଜର ଫାୟାରବ୍ରାଣ୍ଡ ଯୁବ ନେତା କ୍ୟାପ୍ଟେନ ଯୋଗେଶ ବୈରାଗୀଙ୍କୁ ଓହ୍ଲାଇଛି । ବିଜେପି ହରିୟାଣା ନିର୍ବାଚନ ପାଇଁ ଦ୍ୱିତୀୟ ପ୍ରାର୍ଥୀ ତାଲିକାରେ ୨ ମହିଳାଙ୍କୁ ଟିକଟ ଦେଇଛି । ସୋନିପତର ରାଇ ଆସନରୁ ପ୍ରଦେଶ ଅଧ୍ୟକ୍ଷ ମୋହନ ବଡୋଲିଙ୍କ ସ୍ଥାନରେ କୃଷ୍ଣା ଗହଲାୱତଙ୍କୁ ସୁଯୋଗ ଦିଆଯାଇଛି । ଅନ୍ୟପଟେ ଗୁରୁଗ୍ରାମର ପଟୌଦୀ (ସଂରକ୍ଷଣ) ଆସନରୁ ବିମଲା ଚୌଧୁରୀଙ୍କୁ ପ୍ରାର୍ଥୀ କରିଛି । ଏହାସହ ବିଜେପି ଦୁଇ ମୁସଲିମ୍ ପ୍ରାର୍ଥୀ ଓହ୍ଲାଇଛି । ଫିରୋଜାପୁର ଝିରକାରୁ ନସୀମ ଅହମଦଙ୍କୁ ପ୍ରାର୍ଥୀ କରିଥିବା ବେଳେ ପୁହ୍ନାନାରୁ ଏଜାଜ ଖାନକୁ ଟିକଟ ଦେଇଛି । ଅନ୍ୟପଟେ ମୁସଲିମ୍ ବହୁଳ ନୂହରୁ ହିନ୍ଦୁ ନେତା ସଂଜୟ ସିଂହଙ୍କୁ ପ୍ରାର୍ଥୀ କରିଛି । 

ଅନ୍ୟପଟେ କଂଗ୍ରେସ ଏବେ ସୁଦ୍ଧା ୯୦ ଆସନରୁ ୪୧ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ୪୯ ଆସନ ପାଇଁ ପ୍ରାର୍ଥୀ ଘୋଷଣା ବାକି ରହିଛି । ସେହିପରି ଆମ୍ ଆଦମୀ ପାର୍ଟି ନିଜର ପ୍ରଥମ ତାଲିକାରେ ୨୦ ପ୍ରାର୍ଥୀଙ୍କ ନାଁ ଘୋଷଣ କରିସାରିଛି । ଉଲ୍ଲଖେଯୋଗ୍ୟ ଯେ ହରିୟାଣା ବିଧାନସଭାର ୯୦ ଆସନ ପାଇଁ ଅକ୍ଟୋବର ୫ରେ ଭୋଟିଂ ହେବ । ଅକ୍ଟୋବର ୮ରେ ରେଜଲ୍ଟ ଘୋଷଣା କରାଯିବ ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.