କିଏ ହେବେ ହରିୟାଣା ମୁଖ୍ୟମନ୍ତ୍ରୀ? ସ୍ପଷ୍ଟ କଲା ବିଜେପି

Published By : Prameya-News7 Bureau | September 15, 2024 IST

ନୂଆଦିଲ୍ଲୀ ୧୫।୯: ହରିୟାଣାର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଭିଜ୍ ମୁଖ୍ୟମନ୍ତ୍ରୀ ପଦବୀ ଦାବି କରିବା ପରେ ରାଜ୍ୟ ବିଜେପିରେ ହଇଚଇ ସୃଷ୍ଟି ହୋଇଛି। ଏଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହରିୟାଣାରେ ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀ ଚେହେରା ନେଇ ସ୍ପଷ୍ଟ ଜବାବ ରଖିଛନ୍ତି। ସେ କହିଛନ୍ତି ଯେ ସେଠାରେ ନାୟବ ସିଂହ ସୈନୀ ହିଁ  ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ। ଏଣୁ ରବିବାର ଅନିଲ ଭିଜଙ୍କ ଘୋଷଣା ପରେ ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ଉପୁଜିଥିବା ସନ୍ଦେହ ଦୂର ହୋଇଛି। 

ଉଲ୍ଲେଖଯୋଗ୍ୟ ଯେ ବରିଷ୍ଠ ବିଜେପି ନେତା ତଥା ହରିୟାଣାର ପୂର୍ବତନ ମନ୍ତ୍ରୀ ଅନିଲ ଭିଜ୍ ରବିବାର କହିଛନ୍ତି ଯେ ରାଜ୍ୟରେ ୫ ଅକ୍ଟୋବରରେ ହେବାକୁ ଥିବା ନିର୍ବାଚନରେ ଯଦି ଦଳ ପୁଣି ସରକାରକୁ ଫରେ ତେବେ ସେ ମୁଖ୍ୟମନ୍ତ୍ରୀ ପଦ ନିମନ୍ତେ ତାଙ୍କର ଦାବି ଉପସ୍ଥାପନ କରିବେ। ୬ ଥରର ବିଧାୟକ ଭିଜଙ୍କ ଏହି ମନ୍ତବ୍ୟ ପରେ ରାଜ୍ୟ ବିଜେପିରେ ହଇଚଇ ସୃଷ୍ଟି ହୋଇଥିଲା। ତେବେ ବିଜେପି ତା ପୂର୍ବରୁ ଦଳ ଯଦି ସରକାରକୁ ଫେରେ ତେବେ ନାୟବ ସିଂହ ସୈନୀ ହିଁ ମୁଖ୍ୟମନ୍ତ୍ରୀ ହେବେ ବୋଲି ସ୍ପଷ୍ଟ କରିସାରିଛି। 

ଅନିଲ ଭିଜ କହିଥିଲେ ଯେ ମୁଁ ଆଜି ପର୍ଯ୍ୟନ୍ତ ଦଳଠୁ କିଛି ଆଶା କରିନାହିଁ। ହରିୟାଣାର ଲୋକେ ମୋତେ ଭେଟିବାକୁ ଆସୁଛନ୍ତି। ଏପରିକି ଅମ୍ବାଲାରେ ବି ଲୋକେ କହୁଛନ୍ତି ମୁଁ ସବୁଠୁ ବରିଷ୍ଠ, କିନ୍ତୁ ମୁଁ ମୁଖ୍ୟମନ୍ତ୍ରୀ ହୋଇ ପାରିନି। ଲୋକଙ୍କ ଦାବି ଓ ବରିଷ୍ଠତା ଆଧାରରେ ଏଥର ମୁଁ ମୁଖ୍ୟମନ୍ତ୍ରୀ ହେବା ପାଇଁ ଦାବି ଉପସ୍ଥାପନ କରିବି। ଅମ୍ବାଲା କ୍ୟାଣ୍ଟରୁ ବିଧାୟକ ଅନିଲ ଭିଜ୍ କହିଛନ୍ତି ଯେ ପାର୍ଟି ମୋତେ ମୁଖ୍ୟମନ୍ତ୍ରୀ କରିବ କି ନା ଏହା ପାର୍ଟି ଉପରେ ନିର୍ଭର କରେ। ଯଦି ପାର୍ଟି ମୋତେ ମୁଖ୍ୟମନ୍ତ୍ରୀ କରେ ତେବେ ମୁଁ ହରିୟାଣାର ଭାଗ୍ୟ ଓ ଛବି ଉଭୟ ବଦଳାଇଦେବି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.