ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେପି ଫୋକସରେ ସମାଜର ୪ ବର୍ଗ, ବିରୋଧୀଙ୍କ କଟାକ୍ଷ

Published By : Prameya-News7 Bureau | June 24, 2025 IST

ଭୁବନେଶ୍ଵର: ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ବିଜେପିର ଫୋକସ୍‌ରେ ସମାଜର ୪ ବର୍ଗ । ମହିଳା, ଯୁବ, ଚାଷୀ ଓ ଆଦିବାସୀଙ୍କ ପାଇଁ ଦଳ ବିଭିନ୍ନ ସମାବେଶ କରି ସେମାନଙ୍କୁ ନିଜ ଆଡକୁ ନେବାକୁ ଚେଷ୍ଟା ଚଳାଇଛି । ସେପଟେ ବିଜେଡି ଓ କଂଗ୍ରେସ ମଧ୍ୟ ଏହି ବର୍ଗକୁ ନିଜ ଆଡକୁ ନେବାକୁ ଉଧ୍ୟମ କରୁଛନ୍ତି । ତେବେ ବିରୋଧୀ କିନ୍ତୁ ଏହି ପ୍ରସଙ୍ଗରେ ସରକାରଙ୍କୁ କଟାକ୍ଷ କରିଛନ୍ତି । ଯାହାର ଜବାବ ଦେଇଛି ଶାସକ ଦଳ। 

ମୋହନ ସରକାରଙ୍କ ଫୋକସରେ ସମାଜର ୪ ବର୍ଗ।   ମହିଳା, ଯୁବ, ଚାଷୀ ଓ ଆଦିବାସୀଙ୍କ ଉପରେ  ବିଜେପିର ନଜର। ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ନିଜ ପକ୍ଷକୁ ଆଣିବାକୁ ଆରମ୍ଭ ହେଲାଣି କସରତ। ମୋହନ ସରକାରଙ୍କୁ ଏକ ବର୍ଷ ପୂରଣ ହୋଇଛି।  ବର୍ଷ ପୂର୍ତ୍ତି ଅବସରରେ କଟକରେ ମହିଳା ଶକ୍ତି ସମାବେଶ, ବଲାଙ୍ଗୀରରେ କୃଷକ ଶକ୍ତି ସମାବେଶ, ବରିପଦାରେ ଆଦିବାସୀ ଶକ୍ତି ସମାବେଶ ଏବଂ ଆସିକାରେ ଯୁବଶକ୍ତି ସମାବେଶ କରି ଶକ୍ତି ପ୍ରଦର୍ଶନ କରିଛନ୍ତି ମୋହନ ସରକାର। ମହିଳାଙ୍କୁ ଶୁଭଦ୍ରା ଯୋଜନାରେ ବର୍ଷକୁ ୧୦ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରି ସ୍ବାବଲମ୍ବି କରିଥିବା ବେଳେ ଚାଷୀଙ୍କୁ ୮ଶହ ଟଙ୍କା ଇନପୁଟ ସବସିଡ୍ ଦେଇ ଚାଷୀଙ୍କ ମେରୁଦଣ୍ଡକୁ ବଳ ଯୋଗାଇଛନ୍ତି । 

Also read: ଗୋ-ସୁରକ୍ଷା ନାଁରେ ଦଳିତଙ୍କୁ ନିର୍ଯାତନା ଘଟଣାରେ ସରକାରଙ୍କୁ ଘେରିଲେ ବିରୋଧୀ, ବିଜେପି କହିଲା- ଆମ ସରକାରରେ ସବୁଠୁ ଖୁସିରେ ଅଛନ୍ତି ଦଳିତ

ସେହିପରି ଯୁବକଙ୍କୁ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ଏବଂ ଆଦିବସୀଙ୍କର ବିକାଶ କରିବାକୁ ପ୍ରତିଶ୍ରୁତି ଦେଇ ନଜ ପକ୍ଷକୁ ଆଣିବାକୁ ଉଦ୍ୟମ କରିଛନ୍ତି ମୋହନ ସରକାର। ରାଜ୍ୟରେ ଏହି ୪ ବର୍ଗଙ୍କ ଭୋଟ ହାର ଅଧିକ ରହିଛି । ତେଣୁ ଏହି ବର୍ଗ ଯୁଆଡେ ଢ଼ଳିବେ ସିଏ ନିର୍ବାଚନ ଜିତିବ । ୨୦୨୪ରେ ମଧ୍ୟ ଏମାନଙ୍କ ସମର୍ଥନ ପାଇଁ ବିଜେପି ସରକାରକୁ ଆସିଛି। ସେଥିପାଇଁ ଏହି ୪ ବର୍ଗଙ୍କୁ ବିଜେପି ହାତଛଡା କରିବାକୁ ଚାହୁନି। କିନ୍ତୁ ବିଜେପି କହିଛି ଲୋକଙ୍କ ସରକାର ଲୋକଙ୍କ କାମ କରୁଛୁ।  

ଏପଟେ ବିଜେପି ସରକାର ତାଙ୍କ ଫୋଲଡକୁ ଏହି ୪ ବର୍ଗଙ୍କୁ ନେବାକୁ ପ୍ଲାନ କରୁଥିବା ବେଳେ ବିଜେଡି ଏବଂ କଂଗ୍ରେସ ମଧ୍ୟ ଏହି ୪ବର୍ଗଙ୍କ ହୃଦାୟ ଜିତିବାକୁ ପ୍ରୟାସ କରିଛିନ୍ତି। ବିଜେପି ମହିଳାଙ୍କୁ ନେଇ କଟକରେ ସମାବେଶ କରୁଥିବାବେଳେ ବିଜେଡି କାଉଣ୍ଟର ଜବାବରେ ଯାଜପୁରରେ ମହିଳାଙ୍କୁ ନେଇ ସମାବେଶ କରି ଶକ୍ତି ପ୍ରଦର୍ଶନ କରିଛି। ସହିପରି ଯୁବ ବର୍ଗଙ୍କୁ ନେଇ ବିଜେଡି ପୁରୀରେ କର୍ମୀ ସମ୍ମିଳନୀ କରିଥିଲା । ବିଜେଡି କହିଛି ବିଜେପି ଫୋକସରେ କୌଣସି ବର୍ଗ ନାହାନ୍ତି । କେବଳ ଇଭେଣ୍ଟ ମ୍ୟାନେଜମେଣ୍ଟ କରି ଲୋକଙ୍କୁ ଭୁଆଁ ବୁଲାଇବାରେ ଲାଗିଛି ବିଜେପି।  କାରଣ କୌଣସି ବର୍ଗଙ୍କ ପାଇଁ କିଛି କରିନାହାନ୍ତି। 

ଏପଟେ କଂଗ୍ରେସ ରାଜ୍ୟରେ ବଢ଼ୁଥିବା ନାରୀ ନିର୍ଯାତନା ଏବଂ ଦଳିତ ଆଦିବାସୀଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ନେଇ ରାଜରାସ୍ତରେ ଲଢ଼େଇ କରି ତାଙ୍କୁ ନିଜ ପକ୍ଷକୁ ଆଣିବାକୁ ଉଦ୍ୟମ ଜାରି ରଖିଛି। ଆଗକୁ ପଞ୍ଚାୟତ ଏବଂ ପୌର ନିର୍ବାଚନ ରହିଛି।   ତେଣୁ ଏବେ ଠାରୁ ତିନି ଦଳ ମହିଳା, ଯୁବ, ଚାଷୀ  ଏବଂ ଆଦିବାସୀଙ୍କୁ ନିଜ ପକ୍ଷକୁ ଆଣିବାକୁ କସରତ କରିବା ଆରମ୍ଭ କରିଛନ୍ତି। 

                                                                                                         

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.