ଯାତ୍ରା କଳିରେ ଯବନିକା, ଅଭିନେତା ପୀୟୂଷ ତ୍ରିପାଠୀ କହିଲେ ସିଂହବାହିନୀ ସହ ୫ ବର୍ଷ କାମ କରିବି

Published By : Prameya-News7 Bureau | June 24, 2025 IST

ଭୁବନେଶ୍ୱର ୨୪/୦୬: ତୁଟିଲା ଯାତ୍ରା କଳି । ବର୍ଷେ ପରେ ସିଂହବାହିନୀ ମଞ୍ଚ ଚଢିବେ ଯାତ୍ରା କଳାକାର ପୀୟୂଷ ତ୍ରିପାଠୀ । କହିଲେ ୫ ବର୍ଷ ଡିଲ୍ କରିଛି ଯିବି କୁଆଡେ । ହେଲେ ଆସନ୍ତା  ବର୍ଷରୁ ପୁଣିଥରେ ସିଂହବାହିନୀ ମଞ୍ଚରେ ମୋତେ ଦେଖିବାକୁ ପାଇବେ ଦର୍ଶକ । ସେ ଆହୁରି କହିଛନ୍ତି ଯଦି ଦର୍ଶକଙ୍କ ଭଲପାଇବା ମିଳେ ତେବେ ଏବର୍ଷ ବି ଯାତ୍ରା କରିବି । କାରଣ ମୁଁ ପୂର୍ବରୁ ସିଂହବାହିନୀ ସହ ଜଡ଼ିତ ଅଛି । 

ଯାତ୍ରା କଳାକାର ବିବାଦ ଭିତରେ ଆଜି ମୁହଁ ଖୋଲିଛନ୍ତି ପୀୟୂଷ । ସେ କହିଛନ୍ତି ସମସ୍ୟା ପୂର୍ବରୁ ଥିଲା । ସମସ୍ୟାର ଅନ୍ତ ବି ହୋଇନି । ସେଥିପାଇଁ ବାଧ୍ୟ ହୋଇ ମୁଁ ଯାତ୍ରା ଜଗତରୁ ବର୍ଷକ ପାଇଁ ଛୁଟି ନେଇଥିଲି । ଦୁଇ ମାଲିକଙ୍କ ସମ୍ମାନକୁ ଜଣାଇ ମୁଁ ସ୍ୱାସ୍ଥ୍ୟଗତ ସମ୍ମାନ ଜଣାଇ ବର୍ଷକ ପାଇଁ ଯାତ୍ରାରୁ ବିରାମ ନେଇଥିଲି । ଏବେ ଅନ୍ୟ କେଉଁଠିକି ଯିବାର ପ୍ରଶ୍ନ ବି ନାହିଁ । 

ସିଂହବାହିନୀ ମାଲିକଙ୍କୁ ଟଙ୍କା ଓ ଗାଡି ଫେରାଇବା ପ୍ରଶ୍ନର ବି ଉତ୍ତର ରଖିଥିଲେ ପୀୟୁଷ । ତେବେ ପୀୟୂଷ ଖୋଲା ଖୋଲି କହିଥିଲେ କି, ମୁଁ ଟଙ୍କା କାହିଁ ଫେରାଇବି, ଗାଡି କାହିଁ ଫେରାଇବି । ମୁଁ ସିଂହବାହିନୀ ସହ ୫ ବର୍ଷର ଡିଲ୍ କରିଛି । ତ ପଇସା ଫେରାଇବାର ପ୍ରଶ୍ନ ଉଠୁଛି କେଉଁଠୁ । 

ଯାତ୍ରାରେ ଦେଖାଦେଇଥିବା ବିବାଦକୁ ନେଇ ବି ମୁହଁ ଖୋଲିଥିଲେ ପୀୟୂଷ । ତାଙ୍କ କହିବା କଥା ଯେ ପର୍ଯ୍ୟନ୍ତ ଜଣେ ମୁଁ ଶବ୍ଦ ନ ଛାଡିଛି ସେ ଆଗକୁ ବଢିବ ନାହିଁ । ମୁଁ ଛାଡିଦେଲେ ସବୁ ସମସ୍ୟାର ସମାଧାନ ହେବ । ରାଣୀ ପଣ୍ଡା ଯାତ୍ରା ପାର୍ଟି ପ୍ରସଙ୍ଗରେ ବି ସେ ରଖିଛନ୍ତି ପ୍ରତିକ୍ରିୟା । ରାଣୀ ସବୁ ଜାଣିଛି ଛୋଟ ପିଲା ନୁହେଁ ସେ କାଇଁ ମୋତେ ବାଧ୍ୟ କରିବ ବୋଲି ସିଧା ସିଧା ଶୁଣାଇଦେଇଛନ୍ତି । ଶେଷରେ ସେ ଏକଥା ବି କହିଛନ୍ତି ଯେ, ଚୁକ୍ତି ଯେଉଁଠି କରିଛି ସେଠାକୁ ଯିବି । ଅନ୍ୟ କୌଣସି ପାର୍ଟିକୁ ଯିବିନି କି ବିବାଦକୁ ପଶିବିନି । 

ସୂଚନା ଥାଉକି, ଓଡ଼ିଶା ଯାତ୍ରା ମାଲିକ ସଂଘ ପୀୟୂଷଙ୍କୁ ବର୍ଷେ ବିଶ୍ରାମ ଦେଇଥିବା ବେଳେ ପୁଣି ୫ ବର୍ଷ ପାଇଁ ନେବେ ବୋଲି ଯାତ୍ରା ସିଂହବାହିନୀର ମାଲିକ ଘୋଷଣା କରିଥିଲେ । ଏହାପରେ ମାଲିକ ସଂଘରେ ଜଳ ଜଳ ଫାଟ ଥିବା ଜଣାପଡିଥିଲା । ଯାତ୍ରା ସୂର୍ଯ୍ୟମନ୍ଦିରର ମାଲିକଙ୍କ ଧମକ ଦେଇ କହିଥିଲେ ଯଦି ପୀୟୂଷ  ମଞ୍ଚ ଚଢ଼ନ୍ତି ତାହେଲେ ପରିଣତି ଭଲ ହେବନି । 

ମାଲିକ ସଂଜୀବ ପାଢ଼ୀ ସୋମବାର ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ପୀୟୂଷ  ଯାତ୍ରା ସିଂହବାହିନୀରେ ଯୋଗଦେବା ଥୟ । କେବେ ଯୋଗଦେବେ ସେ କଥା କହିବିନି । ଏହାଛଡ଼ା ହାସ୍ୟାଭିନେତା ନରି ପଣ୍ଡାଙ୍କ ଭଳି ସବୁ କଳାକାରଙ୍କ ଉପରୁ ବ୍ୟାନ୍‌ ହଟୁ ବୋଲି ବି ସେ କହିଛନ୍ତି । 

ସେପଟେ ଯାତ୍ରା ସୂର୍ଯ୍ୟମନ୍ଦିରର ମାଲିକ ପ୍ରମୋଦ ସ୍ୱାଇଁ କହିଛନ୍ତି, ପୀୟୂଷ ଯଦି ମଞ୍ଚକୁ ଚଢ଼ନ୍ତି ପରିଣାମ ଖରାପ ହେବ । ଆମେ ଆଇନ୍‌ର ଆଶ୍ରୟ ନେବୁ ବୋଲି ସେ ଧମକ ଦେଇଛନ୍ତି । ଏଠି ପ୍ରଶ୍ନ, ପୀୟୂଷଙ୍କୁ ଓଡ଼ିଶା ଯାତ୍ରା ମାଲିକ ସଂଘର ନିଷ୍ପତ୍ତି କ୍ରମେ ବର୍ଷେ ବିଶ୍ରାମ ଦିଆଯାଇଥିଲା ବେଳେ ସଞ୍ଜୀବ ପାଢ଼ୀଙ୍କ ଏଭଳି କଥା ପଛର ରହସ୍ୟ କ’ଣ? 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.