ଭୁବନେଶ୍ଵର: ଧରାକୋଟରେ ଦୁଇ ଦଳିତଙ୍କୁ ଅମାନୁଷିକ ନିର୍ଯ୍ୟାତନା ଘଟଣାରେ ୭ ଜଣଙ୍କୁ ଗିରଫ କରିଛି ପୋଲିସ । ଏହି ଘଟଣାରେ ଉଚିତ ନ୍ୟାୟ ପ୍ରଦାନ ପାଇଁ ଜିଲ୍ଲା ପ୍ରଶାସନ ନିକଟରେ ଫେରାଦ ହୋଇଛି ଦଳିତ ମହାସଂଘ । ଆଉ ଦଳିତ ପରିବାରକୁ ସାମାଜିକ ସୁରକ୍ଷା ଦେବା ସହ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ । ସେପଟେ ଏହି ଘଟଣାକୁ ନେଇ ତେଜିଛି ରାଜନୀତି । କଂଗ୍ରେସ ଏହାକୁ ଜାତୀୟ ପ୍ରସଙ୍ଗ କରିଛି । ରାହୁଲ ଗାନ୍ଧୀଙ୍କ ପରେ ଏହି ଘଟଣାକୁ ନିନ୍ଦା କରିଛନ୍ତି ପ୍ରିୟଙ୍କା ଗାନ୍ଧୀ। ବିଜେଡି କହିଛି ବିଜେପି ସରକାର ଦଳିତ, ଆଦିବାସୀ ଓ ପଛୁଆ ଜାତି ବିରୋଧୀ । ଜବାବରେ ବିଜେପି କହିଛି ବିରୋଧୀଙ୍କ ଅଭିଯୋଗ ଭିତ୍ତିହୀନ ।
ଗାଁ ଦାଣ୍ଡରେ ଆଣ୍ଠେଇବା ଓ ଘାସ ଖୁଆଇବା ସହ ନର୍ଦ୍ଦମା ପାଣି ପିଇବାକୁ ବାଧ୍ୟ କରିବା ଭଳି ଅମାନୁଷିକ ଘଟଣାରେ ନ୍ୟାୟ ଦାବି କରିଛି ଦଳିତ ସମାଜ l ଏନେଇ କାଲି ଗାଁରେ ବୈଠକ ପରେ ଆଜି ଦଳିତ ମହାସଭାର ପ୍ରତିନିଧି ଦଳ ଗଞ୍ଜାମ ପ୍ରଶାସନର ଦ୍ବାରସ୍ଥ ହୋଇଥିଲେ । ଦୋଷୀଙ୍କ ବିରୋଧରେ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ଘଟଣାକୁ ଗୁରୁତର ସହ ନେଇ ଦଳିତ ପରିବାରଙ୍କୁ ସାମାଜିକ ସୁରକ୍ଷା ଦେବା ସହ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ । ସେପଟେ ଏହି ଘଟଣାରେ ଓଡ଼ିଶା ମୂଳ ନିବାସୀ ୟୁନାଇଟେଡ ଫୋରମ୍ ସଦସ୍ୟମାନେ ମଧ୍ୟ ଦଳିତ ପରିବାରଙ୍କ ସହ ଆଲୋଚନା କରିବା ସହ ନ୍ୟାୟ ପାଇଁ ହାଇକୋର୍ଟ ଓ ମାନବ ଅଧିକାର କମିଶନ ପାଖରେ ଫେରାଦ ହେବେ ବୋଲି କହିଛନ୍ତି l
Also read: ନକଲି ପାସପୋର୍ଟରେ କଟକର ବାସିନ୍ଦା ; ପେଟିନ୍ ସାହିରେ ଭଡ଼ାରେ ରହୁଥିଲେ ଆଫଗାନୀ ନାଗରିକ
ସେପଟେ ଦଳିତଙ୍କ ଉପରେ ଅତ୍ୟାଚାର ଘଟଣାକୁ ଜାତୀୟ ପ୍ରସଙ୍ଗ କରିଛି କଂଗ୍ରେସ । ଗତକାଲି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଦୃଢ ନିନ୍ଦା କରିଥିବା ବେଳେ ଆଜି କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଏହାକୁ ଦୃଢ଼ ନିନ୍ଦା କରିଛନ୍ତି । କହିଛନ୍ତି ବିଜେପି ଶାସିତ ରାଜ୍ୟ ଗୁଡିକରେ ଏପରି ଘଟଣା ବୃଦ୍ଧି ପାଉଛି । ଯାହା ଚିନ୍ତାର ବିଷୟ । କଂଗ୍ରେସର ପକ୍ଷରୁ ଗଠିତ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଦଳିତ ପରିବାରଙ୍କ ପାଖରେ ପହଞ୍ଚିବା ସହ ଦଳିତ ମାନଙ୍କ ପ୍ରତି ହୋଇଥିବା ଅନ୍ୟାୟକୁ ବିରୋଧରେ ନ୍ୟାୟ ଦାବି କରିଛି। ବିଜେଡି କହିଛି ବିଜେପି ସରକାର ଦଳିତ, ଆଦିବାସୀ ଓ ପଛୁଆ ଜାତି ବିରୋଧୀ ।
ବିରୋଧୀଙ୍କ ଅଭିଯୋଗର ଜବାବ ରଖିଛି ଶାସକ ଦଳ । ବିଜେପି କହିଛି କଂଗ୍ରେସ ଦଳିତଙ୍କୁ ନେଇ ରାଜନୀତି କରି ସରକାରକୁ ଆସେ। କିନ୍ତୁ ଦଳିତ ଏବେ ଆଉ ତାଙ୍କୁ ଗ୍ରହଣ କରୁନାହାନ୍ତି । ବିଜେଡି ସରକାର ସମୟରେ ମଧ୍ୟ ଦଳିତଙ୍କ ଉପରେ ଜୁଲମ ହୋଇଛି । ସେମାନେ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ଭିତ୍ତିହୀନ । ଗତ ରବିବାର ଗଞ୍ଜାମ ଜିଲ୍ଲା ଧରାକୋଟର ଖାରିଗୁମ୍ମା ଗାଁରେ ସିଙ୍ଗିପୁର ଗ୍ରାମର ଦୁଇ ଦଳିତ ଯୁବକଙ୍କୁ ଗୋ-ରକ୍ଷକ ସଙ୍ଘଠନ ନାଁରେ କିଛି ବ୍ୟକ୍ତି ମାଡ଼ ମାରିବା ସହ ଅଧା ଲଣ୍ଡା କରିବା ସହ ଆଣ୍ଠେଇ ଆଣ୍ଠେଇ ଚଲାଇଥିଲେ । ଏଥି ସହ ସେମାନଙ୍କୁ ଘାସ ଖୁଆଇବା ସହ ନର୍ଦ୍ଦମା ପାଣି ପିଇବାକୁ ବାଧ୍ୟ କରିଥିଲେ |