ବଲାଙ୍ଗୀର ୨୫/୦୬: ପ୍ରେମିକା ସଲୋମୀଙ୍କ ମୃତ୍ୟୁର ଦେଢ ମାସ ପରେ ସାମ୍ନାକୁ ଆସିଲେ ଓଡ଼ିଆ ଟ୍ରାଭେଲ ବ୍ଲଗର ଲବ ହାଁସଦା । ନିଜ ଓଡ଼ିଆ ଟ୍ରାଭେଲର ବ୍ଲଗ ଫେସବୁକ ପେଜରେ ଅପଲୋଡ଼ କରିଲେ ଭିଡିଓ । ଯେଉଁ ଭିଡିଓରେ ବଖାଣିଛନ୍ତି ସଲୋମୀ ଓ ତାଙ୍କୁ ନେଇ ଉଠିଥିବା ବିବାଦ ଓ ତାଙ୍କ ନାମରେ ଆସିଥିବା ଅଭିଯୋଗ ବାବଦରେ ।
୭ ମିନିଟ ୩୧ ସେକେଣ୍ଡର ଏହି ଭିଡିଓରେ ସଲୋମୀଙ୍କ ମୃତ୍ୟୁ ଘଟଣାରେ ତାଙ୍କ ଉପରେ କଣ ବିତିଥିଲା ତାହା କେବଳ କହିଛନ୍ତି । ଏହା ସହିତ ନିଜ ପକ୍ଷ ରଖିବାକୁ ଯାଇ କହିଛନ୍ତି ସେତେବେଳେ ସେ ଭିଏତନାମରେ ଥିଲେ । ପୁରା ଘଟଣା ପରେ ପୋଲିସକୁ ସେ ତଦନ୍ତରେ ସହଯୋଗ କରୁଥିବା କହିଛନ୍ତି ।
ଏହା ସହିତ ଏହି ପୋଷ୍ଟରେ ସେ ତାଙ୍କ ପ୍ରଥମ ସ୍ତ୍ରୀ ଏବଂ ବିବାହ ବାବଦରେ କହିଥିବା ବେଳେ ଲବ ବିବାହିତ ବୋଲି ସଲୋମୀ ଜାଣିଥିଲେ । କେବଳ ବିବାହିତ ନୁହେଁ ସଲୋମୀ ଲବଙ୍କ ଅନେକ କଥା ଜାଣିଥିଲେ ବୋଲି ସେ ନିଜେ ଭିଡିଓରେ ସ୍ୱୀକାର କରିଛନ୍ତି। ହେଲେ ଏକ ଦ୍ଵନ୍ଦାତ୍ମକ ଭିଡିଓ ଅପଲୋଡ଼ କରି ଚୁପ ରହିଯାଇଛନ୍ତି ଲବ ହାଁସଦା ।
ତେବେ ସୋଲମୀଙ୍କ ସହ କ’ଣ ଥିଲା ସମ୍ପର୍କ ସେନେଇ ସ୍ପଷ୍ଟ କଲେନି । ୟୁ ଟ୍ୟୁବରେ ଏକ ଭିଡିଓ ପୋଷ୍ଟ କରି ଲବ କହିଛନ୍ତି, ମୁଁ କୌଣସି ନିର୍ଯାତନା ଦେଇନି । ମୋ ବିଷୟରେ ସେ ସବୁ ଜାଣିଥିଲେ । ଏମିତି କିଛି ମୁଁ ଭୁଲ କରିନି ଯେ ଜଣକ ଜୀବନ ଚାଲିଯିବ । ସତ ଦିନେ ନା ଦିନେ ସାମ୍ନାକୁ ଆସିବ ବୋଲି ଭିଡିଓ ମାଧ୍ୟମରେ କହିଛନ୍ତି ଲବ ।