ଜଙ୍ଗଲରୁ ଉଦ୍ଧାର ହେଲା ମହିଳାଙ୍କ ଖଣ୍ଡ ବିଖଣ୍ଡିତ ଗଳିତ ଶବ ଉଦ୍ଧାର, ଗତ ମାସରୁ ଥିଲେ ନିଖୋଜ

Published By : Prameya-News7 Bureau | October 09, 2024 IST

କନ୍ଧମାଳ: ସଦର ଥାନା ଅନ୍ତର୍ଗତ ମିଣିଆ ନିକଟସ୍ଥ ଜଙ୍ଗଲରୁ ବୁଧବାର ଜଣେ ମହିଳାଙ୍କ ଖଣ୍ଡ ବିଖଣ୍ଡିତ ଗଳିତ ଶବ ଉଦ୍ଧାର କରାଯାଇଛି। ମୃତକ ଜଣକ ଫିରିଙ୍ଗିଆ ଥାନା ଖଜୁରୀପଡା ଗ୍ରାମର ସାରଳା ବେହେରା ବୋଲି ଜଣାପଡିଛି । ସାରଳା ଗତ ମାସ ୨୧ ତାରିଖରୁ ନିଖୋଜ ଥିଲେ । ଏନେଇ ଗତ ୨୩ ତାରିଖରେ ତାଙ୍କ ବାପା ନବଘନ ବେହେରା ସଦର ଥାନାରେ ଏତଲା ଦେଇଥିଲେ। 

ଏତଲା ମୁତାବକ, ସାରଳା ମିଣିଆ ପଞ୍ଚାୟତ ତାଡିକେଜୁ ଗ୍ରାମର କୁନା ଦିଗାଲଙ୍କୁ ବିବାହ କରିଥିଲେ। ତେବେ ସେ ସାରଳାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ସହ ମରଣାନ୍ତକ ଆକ୍ରମଣ କରୁଥିବା ବାପା ନବଘନ ଏତଲାରେ ଲେଖିଥିଲେ। କୁନା ଅନ୍ୟ ଝିଅମାନଙ୍କ ସହ ଅନୈତିକ ସମ୍ପର୍କ ରଖିଥିବା ମଧ୍ୟ ଅଭିଯୋଗ କରିଛନ୍ତି ନବଘନ। ଏନେଇ ଏକ ମାମଲା ଅଦାଲତରେ ବିଚାରାଧୀନ ଥିବା ସେ ଏତାଲରେ ଦର୍ଶାଇଛନ୍ତି । ଆଉ ସାରଳା ନିର୍ଯାତନାର ପ୍ରତିବାଦ କରି ବାପ ଘରକୁ ଚାଲି ଯାଇଥିଲେ।

ତେବେ କୁନା ଅନ୍ୟ ଏକ ଝିଅକୁ ଆଣି ଘରେ ରଖିଥିବା ଖବର ପାଇ ସେ ଗତ ମାସରେ ଘରକୁ ଯାଇଥିଲେ। ୨୧ ତାରିଖ ଦିନ କୁନାଙ୍କ ଭାଇ, ସାରଳା ଘରୁ କୁଆଡେ ଚାଲି ଯାଇଥିବା ନେଇ ନବଘନଙ୍କୁ ଫୋନ କରି ଜଣାଇଥିଲେ । ସାରଳାଙ୍କ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରି ନପାଇବାରୁ ସଦର ଥାନାରେ ଏତଲା ଦେଇଥିଲେ ।

ଆଉ ବୁଧବାର ସକାଳେ କିଛି ଲୋକ ଜଙ୍ଗଲକୁ ଯାଇଥିବା ବେଳେ ସେଠାରେ ଗଳିତ ମୃତଦେହ ପଡିଥିବା ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ। ସାରଳାଙ୍କ ଶବ ଖଣ୍ଡ ବିଖଣ୍ଡିତ ଅବସ୍ଥାରେ ଥିବା ଦେଖିବାକୁ ମିଳିଛି। ତାଙ୍କର ଓଢ଼ଣୀ ନିକଟସ୍ଥ ଏକ ଗଛରେ ଝୁଲୁଥିବା ବି ଦେଖାଯାଇଛି। ସୂଚନା ପାଇ ସଦର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ଏନେଇ ଏକ ମାମଲା ରୁଜ୍ଜୁ କରାଯାଇ ତଦନ୍ତ ଚାଲିଥିବା ଥାନା ଅଧିକାରୀ ସୀତାଂଶୁ ଶେଖର ମାନ୍ଧାତା ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.