ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆବାସରେ ଡବଲ୍ ତାଲା, ହ୍ୟାଣ୍ଡଓଭରକୁ ନେଇ ବିବାଦ ପରେ ଆକ୍ସନ ନେଲା PWD

Published By : Prameya-News7 Bureau | October 09, 2024 IST

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆବାସକୁ ନେଇ ପୁଣି ଥରେ ବିବାଦ ବଢିପାରେ । ପିଡବ୍ଲୁଡି ୬ ଫ୍ଲାଗ୍ ଷ୍ଟାଫ୍ ରୋଡ୍ ସ୍ଥିତ ମୁଖ୍ୟମନ୍ତ୍ରୀ ଆବାସରେ ତାଲା ମାରିଛି । ଘରର ଗେଟ୍‌ରେ ବିଭାଗ ପକ୍ଷରୁ ଡବଲ୍ ତାଲା ଦିଆଯାଇଛି । ଅରବିନ୍ଦ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଏହି ସରକାରୀ ଆବାସକୁ ଖାଲି କରାଯାଇଥିଲା । ଅନ୍ୟପଟେ ଆତିଶୀ ମୁଖ୍ୟମନ୍ତ୍ରୀ ହେବା ପରେ ଏଠାକୁ ଶିଫ୍ଟ ହୋଇଥିଲେ । ଆବାସ ଖାଲି କରିବା ଏବଂ ହ୍ୟାଣ୍ଡଓଭରକୁ ନେଇ ହିଁ ବିବାଦ ରହିଛି, ଯାହାପରେ ପିଡବ୍ଲୁଡି ଆକ୍ସନ ନେଇଛି ।

ଉଲ୍ଲେଖଯୋଗ୍ୟ ଯେ ଏହା ପୂର୍ବରୁ ଦିଲ୍ଲୀର ଭିଜିଲାନ୍ସ ବିଭାଗ ପିଡବ୍ଲୁଡିର ଦୁଇ ସେକ୍ସନ ଅଫିସର ଏବଂ ଅରବିନ୍ଦ କେଜ୍ରିୱାଲଙ୍କ ପୂର୍ବତନ ସ୍ୱତନ୍ତ୍ର ସଚିବଙ୍କୁ ହ୍ୟାଣ୍ଡଓଭର ପ୍ରକ୍ରିୟା ଉପରେ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲା । ଉଲ୍ଲେଖଯୋଗ୍ୟ ଯେ ଯେଉଁ ଦିନ କେଜ୍ରିୱାଲ୍ ଘର ଖାଲି କରିଥିଲେ, ଘର ଚାବି ସୁନୀତା କେଜ୍ରିୱାଲ ଜଣେ କର୍ମଚାରୀଙ୍କୁ ଦେଇଥିଲେ । ଏହାପରେ ଚାବି ପିଡବ୍ଲୁଡିକୁ ହସ୍ତାନ୍ତର କରାଯିବାର ଥିଲା, ଯାହା ହୋଇନଥିଲା । ଏହି ମାମଲାରେ ଆମ ଆଦମୀ ପାର୍ଟି ବଡ଼ ଦାବି କରିଛି । ପାର୍ଟି କହିଛି ଯେ ଉପରାଜ୍ୟପାଳ ସିଏମ୍ ଆବାସରୁ ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ସବୁ ଜିନିଷ ବାହାର କରିଦେଇଛନ୍ତି । ଏହାପରେ ସିଏମ୍ ଆବାସକୁ ପଡବ୍ଲୁଡି ତାଲା ମାରି ଦେଇଛି ।

ଉଲ୍ଲେଖଯୋଗ୍ୟ ଯେ ଆତିଶୀ ସୋମବାର ନିଜର ସବୁ ସାମଗ୍ରୀ ସହ ଉତ୍ତର ଦିଲ୍ଲୀର ସିଭିଲ ଲାଇନ୍ସ ଅଞ୍ଚଳରେ ସ୍ଥିତ ବଙ୍ଗଳାକୁ ଶିଫ୍ଟ କରିଥିଲେ । ଏହି ବଙ୍ଗଳାରେ ୯ ବର୍ଷରୁ ଅଧିକ ସମୟ ଧରି ଅରବିନ୍ଦ କେଜ୍ରିୱାଲ ନିଜ ପରିବାର ସହ ରହିଆସୁଥିଲେ । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ସେ ଏହାକୁ ଖାଲି କରିଥିଲେ । ବୁଧବାର ପାର୍ଟିର ରାଜ୍ୟସଭା ସାଂସଦ ସଂଜୟ ସିଂ ଅଭିଯୋଗ କରିଥିଲେ ଯେ ଏହି ଆବାସକୁ ଆତିଶୀଙ୍କୁ ଆବଣ୍ଟିତ କରାଯାଇ ନାହିଁ ଏବଂ ବିଜେପି ଏହାକୁ ହଡ଼ପ କରିବାକୁ ଚାହୁଁଛି । ବିଜେପି ଅଭିଯୋଗ କରିଛି ଯେ ଏହି ଆବାସକୁ ଲୋକ ନିର୍ମାଣ ବିଭାଗ (ପିଡବ୍ଲୁଡି)କୁ ହସ୍ତାନ୍ତର କରାଯାଇ ନାହିଁ ଏବଂ ଏହାର ଚାବି ଏବେ ବି କେଜ୍ରିୱାଲଙ୍କ ପାଖରେ ଅଛି । ତେବେ ସଂଜୟ ସିଂ ବିଜେପିର ଏହି ଦାବିକୁ ଖଣ୍ଡନ କରିଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.