ହରିୟାଣାରେ ବିଜେପି ବିଜୟର ସୂତ୍ରଧର, ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାରେ ଧର୍ମେନ୍ଦ୍ର ପ୍ରଧାନ

Published By : Prameya-News7 Bureau | October 09, 2024 IST

ଭୁବନେଶ୍ଵର:  ଜମ୍ମୁ ଓ କାଶ୍ମୀର ଅପେକ୍ଷା ହରିୟାଣାର ନିର୍ବାଚନ ଫଳାଫଳକୁ ନେଇ ଜାତୀୟ ସ୍ତରରେ ଖୁବ ଚର୍ଚ୍ଚା। କାରଣ ଯେଉଁଭଳି ଭାବେ ୧୦ ବର୍ଷର ସରକାରୀ ବିରୋଧୀ ହାୱାକୁ କାଟି ଲୋକଙ୍କ ବିଶ୍ବାସ ଜିତିଲା। ବିରୋଧୀଙ୍କ ହାତରୁ ବିଜୟର ଜିଲିପି ଛଡ଼ାଇ ଆଣିଲା ତାକୁ ନେଇ ଜାତୀୟ ଗଣମାଧ୍ୟମରେ ଖୁବ ଚର୍ଚ୍ଚା ହେଉଛି। ଆଉ ଏହି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ରହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। 

ବିରୋଧୀଙ୍କୁ ହାତରୁ ବିଜେପି ଛଡ଼େଇ ନେଲା ବିଜୟ। ୧୦ ବର୍ଷର ସରକାର ବିରୋଧୀ ହାୱାର ଗତିପଥ ମୋଡ଼ିଲା ଏବଂ ହରିୟାଣାରେ ହ୍ୟାଟ୍ରିକ କଲା ବିଜେପି।  ଏହି ହ୍ୟାଟ୍ରିକ ବିଜୟକୁ ଚତ୍ମକାର ଭାବେ ଚର୍ଚ୍ଚା କରୁଛନ୍ତି ଜାତୀୟ ଗଣ ମାଧ୍ୟମ। ଏଥିସହିତ ଏହି ଚର୍ଚ୍ଚାର କେନ୍ଦ୍ରରେ ଅଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏନଡିଟିଭି  ଭିଡିଓ ନ୍ୟୁଜରେ ଚାରି ଚାଣକ୍ୟଙ୍କ ରଣନୀତିକୁ ବିଜୟର ଶ୍ରେୟ ଦେଇଛି। ଧର୍ମେନ୍ଦ୍ର ପ୍ରଧାନ, ବିପ୍ଲବ ଦେବ, ସୁରେନ୍ଦ୍ର ନାଗର ଏବଂ ସତୀଶ ପୁନିଆ।

ରାଜ୍ୟର ପ୍ରଭାରୀ ଭାବେ ଏମାନେ ନିର୍ବାଚନ ମଣ୍ଡଳୀକୁ ଛୋଟ ଛୋଟ ପକେଟରେ ବିଭକ୍ତ କରି ରଣନୀତି ପ୍ରସ୍ତୁତ କରିଥିଲେ। ଆଉ ଧର୍ମେନ୍ଦ୍ର ପ୍ରଧାନ ହୋଇଥିଲେ କେନ୍ଦ୍ର ଓ ରାଜ୍ୟ ବିଜେପିର ଯୋଗ ସୂତ୍ର। ରାଜ୍ୟରେ ବିଜେପିର ଅସଲ ସ୍ଥିତିର ସତକଥା କେନ୍ଦ୍ର ନିକଟରେ ଉପସ୍ଥାପନ କରିଥିଲେ, ସେହି ଅନୁଯାୟୀ ବିଜେପି ପଦକ୍ଷେପ ଗ୍ରହଣ କରିଥିଲା। ହରିୟାଣା ନିର୍ବାଚନ ପୂର୍ବରୁ ବିଜେପି ଅନୁଭବ କରିଥିଲା ଜାଟ, ରେସଲର ଭଳି କିଛି ପ୍ରସଙ୍ଗ ଦଳ ବିରୋଧରେ ଯାଉଛି। ସେହି ଅନୁଯାୟୀ ପଦକ୍ଷେପ ନେଇଥିଲା ବିଜେପି। 

Also read: ରାଜ୍ୟ ସରକାରୀ କର୍ମଚାରୀଙ୍କୁ ଦଶହରା ଭେଟି, ବଢ଼ିଲା ମହଙ୍ଗା ଭତ୍ତା

ଦଳ ମନୋହର ଲାଲ୍ ଖଟ୍ଟରଙ୍କୁ ଦୂରେଇ ରଖି ଲୋକଙ୍କ ଅସନ୍ତୋଷଙ୍କୁ ପ୍ରଶମିତ କରିଥିଲା, ସେହିପରି ନିର୍ମଳ ଭାବମୂର୍ତ୍ତି ସଂପନ୍ନ ନାୟବ ସିଂହ ସାଇନିଙ୍କୁ ଆଣିଥିଲା ଫ୍ରଣ୍ଟଲାଇନକୁ। ଦଳ ଅଗ୍ନିବୀରଙ୍କ ପାଇଁ ଚାକିରୀର ଭରସା ଦେଇଥିଲା।  ଏଥିସହିତ ଧର୍ମେନ୍ଦ୍ରଙ୍କ ଉଦ୍ୟମରେ ଦଳୀୟ ଅସନ୍ତୋଷକୁ ସମାଧାନ କରିଥିଲା ବିଜେପି। ସେହିପରି ଟାଇମସ ଅଫ ଇଣ୍ଡିଆ ବି ସମାନ ଧରଣରେ ଲେଖିଛି। ଓଡ଼ିଶା ଏବଂ ହରିୟାଣାରେ ଅପ୍ରତ୍ୟାଶିତ ବିଜୟ ପଛରେ ଧର୍ମେନ୍ଦ୍ରଙ୍କୁ ଶ୍ରେୟ ଦେଇଛି। 

ଇଣ୍ଡିଆ ଟୁଡେ ଲେଖିଛି ଯେ ଜୁନ୍ ମାସରେ ଧର୍ମେନ୍ଦ୍ର ନିର୍ବାଚନ ପ୍ରଭାରୀ ଭାବେ ଦାୟିତ୍ବ ନେବା ସହିତ ଶହେ ଦିନର ଟାର୍ଗେଟ ଫିକ୍ସ କରିଥିଲେ। ଏଥିସହିତ ବିକାଶର ମୁଦ୍ଦାକୁ ଘରେ ଘରେ ପହଞ୍ଚାଇବା ପାଇଁ ଦଳୀୟ ନେତାଙ୍କୁ ଟାର୍ଗେଟ ଦେଇଥିଲେ। ନିଜେ ପଞ୍ଚକୁଲା, ରୋହତକ କୁରୁକ୍ଷେତ୍ରର ଗ୍ରାଉଣ୍ଡ ଜିରୋରେ ନିର୍ବାଚନ ପରିଚାଳନାର ସମୀକ୍ଷା କରିଥିଲେ। ବୁଥ ସ୍ତରରେ କେମିତି ଭୋଟ ବଢ଼ାଇ ହେବ ସେନେଇ ରଣନୀତି ପ୍ରସ୍ତୁତ କରିଥିଲେ। ଯେମିତି ଓଡ଼ିଶାରେ ବିଜେପି ବିଜୟ ହାସଲ କଲା ତାହା ହୋଇଥିଲା ହରିୟାଣାରେ।

ଏହା ପୂର୍ବରୁ ମଧ୍ୟ ବିହାର ୟୁପି, ପଶ୍ଚିମବଙ୍ଗ ନିର୍ବାଚନ ପରିଚାଳନାରେ ପ୍ରତ୍ୟକ୍ଷ ଭାବେ ସଂପୃକ୍ତ ହୋଇ ଦଳକୁ ଚମତ୍କାରୀ ଫଳାଫଳ ଦେବାରେ ସହାୟକ ହୋଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ।  ଏବେ ଧର୍ମେନ୍ଦ୍ରଙ୍କ କାର୍ଯ୍ୟଶୈଳୀକୁ ଚାରିଆଡୁ ପ୍ରଶଂସା କରାଯାଉଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.