କୁବେର ବାବୁଙ୍କ ଘରେ ଟଙ୍କାର ପାହାଡ: ହାଲିଆ ହେଲେ ଅଧିକାରୀ, ଆସିଲା ମେସିନ୍

Published By : Prameya-News7 Bureau | May 30, 2025 IST

ଭୁବନେଶ୍ୱର ୩୦/୦୫: ଦୁଇ ଦିନ ପରେ ନେଇଥାନ୍ତେ ଅବସର । ସରିଥିଲା ରିଟାୟରମେଣ୍ଟ ପ୍ଲାନିଂ । ହେଲେ ଠିକ୍ ପୂର୍ବରୁ ମାଡିବସିଲା ଭିଜିଲାନ୍ସ । ଆୟରୁ ଅଧିକ ସମ୍ପତ୍ତି ରଖିବା ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡିଛନ୍ତି କୋଟିପତି RW ଡିଭିଜନ୍ ମୁଖ୍ୟ ଯନ୍ତ୍ରୀ ବୈକୁଣ୍ଠ ନାଥ ଷଡ଼ଙ୍ଗୀ । ବାବୁଙ୍କ ଟଙ୍କା ଦେଖି  ଭିଜିଲାନ୍ସ ଅଧିକାରୀଙ୍କର ଉଡ଼ିଯାଇଛି ହୋସ୍ । ଜଳକା ହୋଇ ରହିଛନ୍ତି ଭିଜିଲାନ୍ସ ଅଧିକାରୀ। କାରଣ ବାବୁଙ୍କ ଘରୁ ନଗଦ ମିଳିଛି ପାଖାପାଖି ଦୁଇ କୋଟି ଟଙ୍କା । 

ଘରେ ଟଙ୍କା ଗଣି ଗଣି ବେଦମ୍ ହେଲେ ଅଧିକାରୀ । ଶେଷରେ ଟଙ୍କା ଗଣିବା ପାଇଁ ଟଙ୍କା ଗଣା ମେସିନ ଆସିଛି । ବାବୁଙ୍କ ଏତେ ଟଙ୍କା ଯେ  ଭିଜିଲାନ୍ସ ଅଧିକାରୀଙ୍କୁ ଦେଖି  ୫ ଶହ ଟଙ୍କିଆ ନୋଟ୍ ବିଡାକୁ ଝରକା ଦେଇ ବାହାରକୁ ଫିଙ୍ଗି ଦେଲେ ବାବୁଙ୍କ ସଂପର୍କୀୟ। ବାବୁଙ୍କ ଘରୁ ୨ କୋଟିରୁ ଅଧିକ ଟଙ୍କା ଜବତ ହୋଇଥିବା ଜଣାଯାଇଛି। 


ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ସ୍ଥିତ RW ଡିଭିଜନ୍ ମୁଖ୍ୟ ଯନ୍ତ୍ରୀ ବୈକୁଣ୍ଠ ନାଥ ଷଡ଼ଙ୍ଗୀଙ୍କ ଘରେ ଆଜି ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ବୈକୁଣ୍ଠଙ୍କ ଅନୁଗୋଳ ଜିଲ୍ଲାରେ ଥିବା ଘର ସମେତ ଭୁବନେଶ୍ବର, ପୁରୀର ୭ଟି ସ୍ଥାନରେ ଏକକାଳୀନ ଚଢାଉ କରାଯାଇଛି। ଅନୁଗୋଳ କାରଡ଼ାଗାଡ଼ିଆ ସ୍ଥିତ ବାସଭବନ ସମେତ ଲୋକେଇପଶି, ମାଟିଆସାହି ଓ ଶିକ୍ଷକପଡ଼ାରେ ଚଢ଼ାଉ କରିଛି ଭିଜିଲାନ୍ସ।

ସେହିପରି ଭୁବନେଶ୍ବରରେ ଥିବା ଅଫିସ ଓ ଡୁମଡୁମାରେ ଥିବା ଫ୍ଲାଟ୍ ସମେତ ପୁରୀ ଜିଲ୍ଲା ପିପିଲିର ଶିଉଳାରେ ଫ୍ଲାଟରେ ଚଢ଼ାଉ ଜାରି ରହିଛି। ଢେଙ୍କାନାଳ ଭିଜିଲାନ୍ସ ବିଭାଗ DSP ଅନୁଷ୍କା ସେନାପତିଙ୍କ ନେତୃତ୍ୱରେ ଭିଜିଲାନ୍ସର ୮ ଜଣିଆ ଟିମ୍ ଚଢ଼ାଉରେ ସାମିଲ ହୋଇଛନ୍ତି। ଚଢ଼ାଉ ବେଳେ ବୈକୁଣ୍ଠ ନାଥ ଘରୁ ୨କୋଟିରୁ  ଅଧିକ ଟଙ୍କା ଜବତ ହୋଇଥିବା ଜଣାଯାଇଛି। 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.