ନୂଆଦିଲ୍ଲୀ: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ନାଳକୁ ଖସିଲା ଯାତ୍ରୀବାହୀ ବସ୍। ଏଥିରେ ୮ ଜଣକ ମୃତ୍ୟୁ ହୋଇଥିବାବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣା ଘଟିଛି ପଞ୍ଜାବ ଭଟିଣ୍ଡାରେ।
ସୂଚନା ଅନୁଯାୟୀ, ଶୁକ୍ରବାର ଜିଲ୍ଲାରେ ପ୍ରବଳ ବର୍ଷା କାରଣରୁ ସରଦୂଲଗଢ଼- ଭଟିଣ୍ଡା ରାସ୍ତାରେ ପଡ଼ୁଥିବା ଏକ ନାଳ ଉପରୁ ଗୋଟିଏ ବସ୍ ତଳକୁ ଖସିପଡ଼ିଛି। ଏଥିରେ ଘଟଣାସ୍ଥଳରେ ୫ ଜଣକ ମୃତ୍ୟୁ ହୋଇଥିବାବେଳେ ଚିକିତ୍ସାଧୀନ ଅବସ୍ଥାରେ ୩ ଜଣକ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ଗ୍ରାମାଞ୍ଚଳ ପୋଲିସ ଏବଂ ଏନଡିଆରଏଫ୍ ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଘଟଣାରେ ସୂଚନା ଦେଇ ଭଟିଣ୍ଡା ବିଧାୟକ ଜଗରୂପ ସିଂହ ଗିଲ କହିଛନ୍ତି ଏହି ଦୁର୍ଘଟଣାରେ ଆଠ ଜଣକ ମୃତ୍ୟୁ ହୋଇଥିବାବେଳେ ୨୦ ଜଣକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତଙ୍କୁ ସହିଦ ଭାଇ ମଣି ସିଂହ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ପ୍ରବଳ ବର୍ଷା କାରଣରୁ ବୋଧ ହୁଏ ବସ୍ଟି ନିୟନ୍ତ୍ରଣ ହରାଇ ନାଳ ଉପରେ ଲାଗିଥିବା ସୁରକ୍ଷା ବ୍ୟାରିକେଡରେ ମାଡ଼ ହୋଇ ଖସିପଡ଼ିଛି। ସେମାନେ କିଛି ଲୋକଙ୍କୁ ଉଦ୍ଧାର କରିଥିଲେବି ବର୍ଷା ବାଧକ ସାଜିଥିଲା। ଅବଶ୍ୟ କିଛି ସମୟ ପରେ ଏନଡିଆରଏଫ୍ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ଏହା ପରେ ପ୍ରଶାସନିକ ଅଧିକାରୀ ମଧ୍ୟ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ।
ଡେପୁଟି କମିଶନର ଶୌକତ ଅହମଦ ପର୍ରେ କହିଛନ୍ତି ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଅନେକଙ୍କୁ ଉଦ୍ଧାର କରିପାରିଥିଲେ ନହେଲେ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିଥାନ୍ତା।ତେବେ ଏପର୍ଯ୍ୟନ୍ତ ବସ୍ରେ କେତେ ଲୋକ ଥିଲା ତାହା ସ୍ପଷ୍ଟ ହୋଇନଥିବାବେଳେ କ୍ରେନ ସାହାଯ୍ୟରେ ବସ୍କୁ ନାଳରୁ ବାହାର କରାଯାଇଛି। ବସ୍ ନାଳକୁ କେମିତି ଖସିଲା ତାହାର ଯାଞ୍ଚ ଜାରି ରହିଛି।