ନୂଆଦିଲ୍ଲୀ: କଂଗ୍ରେସର ମନମୋହନ ସିଂହଙ୍କ 'ସ୍ମାରକସ୍ଥଳ' ପ୍ରସ୍ତାବରେ କେନ୍ଦ୍ର ସରକାରଙ୍କ ମୋହର । ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ଥାୟୀ ସ୍ମାରକସ୍ଥଳ ନିର୍ମାଣ ପାଇଁ ଘୋଷଣା କରିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ । ମନମୋହନ ସିଂହଙ୍କ ସ୍ମାରକସ୍ଥଳୀ ନିର୍ମାଣ ପାଇଁ ଆଗାମୀ ୩ରୁ ୪ ଦିନ ମଧ୍ୟରେ ସ୍ଥାନ ନିର୍ଦ୍ଧାରଣ ହେବ ବୋଲି ସୂଚନା ଦିଆଯାଇଛି । ଏନେଇ ତାଙ୍କ ପରିବାରକୁ ସ୍ମାରକ ସମ୍ବନ୍ଧରେ ସୂଚନା ଦିଆଯାଇଛି । ଶୁକ୍ରବାର ବିଳମ୍ବିତ ରାତିରେ ସ୍ମାରକୀ ସମ୍ପର୍କିତ ମାମଲାରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଗୁରୁବାର ୯୨ ବର୍ଷ ବୟସରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କ ଦେହାନ୍ତ ହୋଇଥିଲା । ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିଲା । ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସମ୍ମାନରେ କେନ୍ଦ୍ର ସରକାର ୭ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି । ଶୁକ୍ରବାର ଗୋଟିଏ ଦିନ ସମସ୍ତ ସରକାରୀ କାର୍ଯ୍ୟ ବାତିଲ୍ କରାଯାଇଥିଲା । ଆଜି ଦିନ ୧୧.୪୫ ମିନିଟରେ ଡ. ମନମୋହନ ସିଂହଙ୍କ ଅନ୍ତିମ ସଂସ୍କାର ହେବ । ବର୍ତ୍ତମାନ କଂଗ୍ରେସ ଭବନରୁ ତାଙ୍କ ପାର୍ଥିବ ଶରୀର ନିଗମାବୋଧ ଘାଟ ଅଭିମୁଖେ ମହାଯାତ୍ରାରେ ବାହାରିଲା । ଅନ୍ତ୍ୟେଷ୍ଟି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପ-ରାଷ୍ଟ୍ରପତି ଜଗଦୀପ ଧନଖଡ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ବ୍ୟକ୍ତି ବିଶିଷ୍ଟ ସାମିଲ୍ ହେବାର ସମ୍ଭାବନା ରହିଛି ।..