ନୂଆଦିଲ୍ଲୀ: କାଶ୍ମୀରରେ ଆରମ୍ଭ ହୋଇଯାଇଛି ଚଳିତ ଶୀତ ଋତୁର ସବୁଠୁ ଭୀଷଣ ତୁଷାରପାତ। ଲୋକେ ଏବଂ ପର୍ଯ୍ୟଟକ ତୁଷାରପାତକୁ ସ୍ବାଗତ କରିଥିଲେବି ଏହା ଦ୍ବାରା ସାଧାରଣ ଜୀବନ ପ୍ରଭାବିତ ହୋଇଛି। ବିମାନ, ରେଳ ଏବଂ ସଡ଼କ ପଥରେ ଯାତ୍ରା ପ୍ରଭାବିତ ହୋଇଛି। ବିଜୁଳି ଏବଂ ପାନୀୟ ଜଳ ଯୋଗାଣରେ ମଧ୍ୟ ବାଧା ସୃଷ୍ଟି ହୋଇଛି। ଏମିତିରେ ଜୀବନ ଯାତ୍ରା ସ୍ବାଭାବିକ କରିବା ପାଇଁ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ସବୁ ଉପାୟୁକ୍ତଙ୍କ ସହ ଭିଡିଓ କନଫରେନ୍ସରେ ବୈଠକ କରିବା ସହ ବରଫ ହଟାଇବା କାର୍ଯ୍ୟର ସମୀକ୍ଷା କରିଛନ୍ତି।
ରିପୋର୍ଟ ଅନୁଯାୟୀ, ଶୁକ୍ରବାର କାଶ୍ମୀରରେ ମଧ୍ୟମରୁ ପ୍ରବଳ ତୁଷାରପାତ ରେକର୍ଡ ହୋଇଛି। ଶ୍ରୀନଗର ସହର ଏବଂ ଅନ୍ୟ ଅଞ୍ଚଳରେ ଋତୁର ପ୍ରଥମ ତୁଷାରପାତ ହୋଇଛି। ଦକ୍ଷିଣ କାଶ୍ମୀରରେ ପ୍ରବଳ ତୁଷାରପାତ ହୋଇଛି। ଯେତେବେଳେକି ମଧ୍ୟ କାଶ୍ମୀରରେ ମଧ୍ୟମ ଧରଣର ତୁଷାରପାତ ହୋଇଛି। ସେହିଭଳି ଉତ୍ତର କାଶ୍ମୀରରେ ହାଲୁକାରୁ ମଧ୍ୟମ ଧରଣର ବରଫପାତ ହୋଇଛି।
ବାଧାପ୍ରାପ୍ତ ହେଲା ବିମାନ ସେବା
ବିମାନ ବନ୍ଦର ଅଧିକାରୀଙ୍କ ସୂଚନା ଅନୁଯାୟୀ, ଶ୍ରୀନଗରରୁ ବିମାନ ଯାତ୍ରା ବାଧା ପ୍ରାପ୍ତ ହୋଇଛି। ଅଧିକାରୀଙ୍କ ସୂଚନା ଅନୁଯାୟୀ, ଖରାପ ପାଗ କାରଣରୁ ଶ୍ରୀନଗର ଏୟାରପୋର୍ଟରୁ ସବୁ ଉଡ଼ାଣ ରଦ୍ଦ କରାଯାଇଛି। ସକାଳୁହିଁ ସବୁ ବିମାନ ଉଡ଼ାଣ ବନ୍ଦ ରହିଛି।
ସେପଟେ ପରିବହନ ବିଭାଗର ଅଧିକାରୀଙ୍କ ସୂଚନା କହିଛନ୍ତି ଜମ୍ମୁ-କାଶ୍ମୀର ଜାତୀୟ ରାଜପଥ (ଏନଏଚ-୪୪) ଯାତାୟତ ପାଇଁ ବନ୍ଦ କରାଯାଇଛି। ନବଯୁଗ ସୁଡ଼ଙ୍ଗରେ ପ୍ରବଳ ବରଫପାତ କାରଣରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ସେହିଭଳି ରେଲଓ୍ବେ ଅଧିକାରୀ କହିଛନ୍ତି ଟ୍ରାକରେ ପ୍ରବଳ ବରଫ ଜମା ହେବା କାରଣରୁ ବନିହାଲ-ବାରାମୂଲାରେ ଟ୍ରେନ ସେବା ସ୍ଥଗିତ କରାଯାଇଛି।
ତେବେ ଏମିତିରେ ପାଣିପାଗରେ ସୁଧାର ହେବା ଏବଂ ରାସ୍ତା ସଫା ହେବା ପର୍ଯ୍ୟନ୍ତ ଯାତ୍ରା ନକରିବା ପାଇଁ ପ୍ରଶାସନ ପରାମର୍ଶ ଦେଇଛି । ଏହା ସହ କର୍ମଚାରୀ ଏବଂ ମେସିନ ସାହାଯ୍ୟରେ ବରଫ ହଟାଇବା କାମ ଜାରି ରହିଥିବା ନେଇ ପ୍ରଶାସନ ସୂଚନା ଦେଇଛି।