ଚାଇନିଜ୍ ଫୁଡ ସୌକିନ ଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ପରିବାର ସହ ଯାଉଥିଲେ ‘ଫୁଜିୟା’ ରେଷ୍ଟୁରାଣ୍ଟ

Published By : Prameya-News7 Bureau | December 28, 2024 IST

ନୂଆଦିଲ୍ଲୀ ୨୮।୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ପରଲୋକରେ ଦେଶରେ ଏବେ ଶୋକ ଖେଳି ଯାଇଛି । ଡ.ମନମୋହନ ସିଂହ ଯେତିକି ଭଦ୍ର ଓ ନମ୍ର ଥିଲେ ସେତିକି ଖାଇବା ସୌକିନ ମଧ୍ୟ ଥିଲେ। ସେ ରାଜଧାନୀ ଦିଲ୍ଲୀର ଅଲଗା ଅଲଗା ସ୍ଥାନକୁ ଯାଇ ଖାଦ୍ୟପେୟର ସ୍ୱାଦ ନେଉଥିଲେ। ଏଇଭଳି ଏକ ରେଷ୍ଟୁରାଣ୍ଟ ଦିଲ୍ଲୀ ଚାଣକ୍ୟପୁରୀର ମଲ୍ୟାମାର୍ଗ ମାର୍କେଟରେ ରହିଛି। ଯେଉଁଠାକୁ ଡ.ସିଂହ ଖାଇବା ପିଇବା ପାଇଁ ପ୍ରାୟତଃ ପରିବାର ସହ ଆସୁଥିଲେ। 

ସେ ଫୁଜିୟା ରେଷ୍ଟୁରାଣ୍ଟରେ ଚାଇନିଜ୍ ସ୍ପ୍ରିଂ ରୋଲ, ମୋମୋ ଓ ଅନ୍ୟ ସମଗ୍ରୀ ମଗାଇ ଖାଉଥିଲେ। ତାଙ୍କ ବଡ଼ ଝିଅ ଫୁଜିୟା ରେଷ୍ଟୁରାଣ୍ଟକୁ ଯାଉଥିଲେ ଓ ପିତାଙ୍କ ପାଇଁ ତାଙ୍କ ପସନ୍ଦର ଖାଦ୍ୟ ପଦାର୍ଥ କିଣିଆଣୁଥିଲେ। ଫୁଜିୟା ରେଷ୍ଟୁରାଣ୍ଟର ମ୍ୟାନେଜିଂ ପାର୍ଟନର ସୁରେନ୍ଦ୍ର ପାଲ ସିଂହ କହିଛନ୍ତି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଡ.ମନମୋହନ ସିଂହଙ୍କ ପରିବାର ପ୍ରାୟତଃ ଏଠାକୁ ଖାଇବାକୁ ଆସୁଥିଲେ ଓ ଘରକୁ ବି ଖାଇବା ମଗାଉଥିଲେ। ୨୦୦୮ ମସିହା ପର୍ଯ୍ୟନ୍ତ ତାଙ୍କ ପରିବାର ଏହି ରେଷ୍ଟୁରାଣ୍ଟକୁ ଆସୁଥିଲେ ଓ ଖାଦ୍ୟର ସ୍ୱାଦ ନେଉଥିଲେ। 

ସୁରେନ୍ଦ୍ର ପାଲ ସିଂହ କହିଛନ୍ତି ଯେ ମନମୋହନ ସିଂହ ଅଧିକାଂଶ ଭେଜ ଫୁଡ ଖାଉଥିଲେ। ତାଙ୍କ ପସନ୍ଦର ଖାଦ୍ୟରେ ଚାଇନିଜ୍ ସ୍ପ୍ରିଂ ରୋଲ ରହୁଥିଲା। ଏହା ଛଡା ସେ ଅନ୍ୟ ଭେଜିଟେରିୟନ ଡିସ୍ ମଧ୍ୟ ତାଖୁଥିଲେ। ଆମ ରେଷ୍ଟୁରାଣ୍ଟ ୧୯୯୬ ମସିହାରୁ ଏଠାରେ ରହିଛି ଓ ମନମୋହନ ସିଂହଙ୍କ ପରିବାର ଲୋକେ ଦୀର୍ଘ ସମୟରୁ ଆମ ସହ ସମ୍ପୃକ୍ତ ଅଛନ୍ତି। 

ସେହିପରି ମ୍ୟାନେଜର ଆରବ ଠାକୁର କହିଛନ୍ତି ମନମୋହନ ସିଂହଙ୍କ ପରିବାର ୨୦୦୮ ମସିହା ପୂର୍ବରୁ ଆମ ରେଷ୍ଟୁରାଣ୍ଟକୁ ଆସୁଥିଲେ। ସେମାନେ ଏଠାରେ ଖାଇବା ସହିତ ଖାଦ୍ୟ ପ୍ୟାକ୍ କରାଇ ମଧ୍ୟ ନେଉଥିଲେ। ସିଂହଙ୍କ ପରିବାରକୁ ଭେଜିଟରିୟାନ ଖାଦ୍ୟ ବହୁତ ପସନ୍ଦ ଥିଲା ଓ ତାଙ୍କ ପରିବାରର ବ୍ୟବହାର ମଧ୍ୟ ବହୁତ ଭଲ। ଆଜି ଏହି ଦୁଃଖର କ୍ଷଣରେ ପୁରା ରେଷ୍ଟୁରାଣ୍ଟ ତାଙ୍କ ପରିବାର ସହିତ ଛିଡା ହୋଇଛି ବୋଲି ସେ କହିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.