ନୂଆଦିଲ୍ଲୀ: ମହାଯାତ୍ରାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହ । ଶନିବାର ପୂର୍ବହ୍ଣ ୧୧.୪୫ ମିନିଟରେ ଦିଲ୍ଲୀର ନିଗମବୋଧ ଘାଟରେ ଶେଷ କୃତ୍ୟ ହେବ । ଏହା ପୂର୍ବରୁ କଂଗ୍ରେସ ଭବନରେ ଶେଷ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଅନ୍ତିମ ସଂସ୍କାର ବେଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବହୁ ନେତା ଓ ମନ୍ତ୍ରୀ ଉପସ୍ଥିତ ରହିବାର ଯୋଜନା ରହିଛି ।
ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଶେଷକୃତ୍ୟ ବ୍ୟବସ୍ଥିତ ଢଙ୍ଗରେ କରିବାକୁ ଏବଂ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ଦିଲ୍ଲୀ ପୋଲିସ ପକ୍ଷରୁ ଟ୍ରାଫିକ୍ ମାର୍ଗଦର୍ଶିକା ଜାରି ହୋଇଛି । ଟ୍ରାଫିକ୍ ସମସ୍ୟାରୁ ବର୍ତ୍ତିବା ପାଇଁ ଯାତ୍ରୀମାନଙ୍କୁ ଆଡଭାଇଜରୀ ଅନୁସରଣ କରିବାକୁ ପଡ଼ିବ । ରାଜାରାମ କୋହଲି ମାର୍ଗ, ରାଜଘାଟ ରେଡ୍ ଲାଇଟ୍, ସିଗ୍ନେଚର ବ୍ରିଜ୍ ଏବଂ ଯୁଧିଷ୍ଠର ସେତୁ ପଟୁ ବହୁ ସଂଖ୍ୟାରେ ଲୋକେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଡ. ମନମୋହନ ସିଂହଙ୍କ ଶେଷ ଯାତ୍ରାରେ ସାମିଲ୍ । ଏଥିପାଇଁ ଏହି ସବୁ ରାସ୍ତାରେ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି । ଭିଡ଼କୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ ଶନିବାର ସକାଳ ୭ଟାରୁ ଅପରାହ୍ଣ ୩ଟା ଯାଏ ଅଧିକାଂଶ ରାସ୍ତାକୁ ବନ୍ଦ କରାଯାଇଛି । ରିଙ୍ଗ୍ ରୋଡ୍, ନିଷାଦ ରାଜ ମାର୍ଗ, ବୁଲବାର୍ଡ ରୋଡ୍, ଏସପିଏମ ମାର୍ଗ, ଲୋଥିୟନ ରୋଡ୍ ଏବଂ ନେତାଜୀ ସୁବାଷ ମାର୍ଗରେ ଯାତାୟତ ଉପରେ ପ୍ରତିବନ୍ଧକ ଲାଗିଛି ।
ଉପରୋକ୍ତ ରାସ୍ତାରେ ଗୁଡ଼ିକରେ ନଯିବା ପାଇଁ ଦିଲ୍ଲୀ ଟ୍ରାଫିକ୍ ପୋଲିସ ପରାମର୍ଶ ଦେଇଛି । ଯଦି ପୁରୁଣା ଦିଲ୍ଲୀ, ଚାନ୍ଦିନୀ ଚୌକ, ତିଶ୍ ହଜାରୀ କୋର୍ଟ, ଲାଲ କିଲା, ରେଲଓ୍ବେ ଷ୍ଟେସନ, ଆଇଏସବିଟି ଯିବାକୁ ଚାହୁଁଛନ୍ତି, ତେବେ ପୂର୍ବରୁ ଯୋଜନା କରି ଯାତ୍ରା କରିବାକୁ ମାର୍ଗଦର୍ଶିକା କହିଛି ପୋଲିସ । ଟ୍ରାଫିକ୍ ସମସ୍ୟାରୁ ବଞ୍ଚିବା ପାଇଁ ସାର୍ବଜନୀନ ପରିବହନକୁ ବ୍ୟବହାର କରିବାକୁ କୁହାଯାଇଛି । ଅନ୍ୟ ଗାଡ଼ି ରଖିବା ପାଇଁ ପାର୍କିଂ ଏରିଆକୁ ବ୍ୟବହାର କରିବାକୁ କୁହାଯାଇଛି । ରାସ୍ତା ପାର୍ଶ୍ବରେ ମନଇଚ୍ଛା ପାର୍କିଂ ନକରିବାକୁ ପରାମର୍ଶ ଦିଆଯାଇଛି । କୌଣସି ସନ୍ଦିଗ୍ଧ ବସ୍ତୁ କିମ୍ବା ବ୍ୟକ୍ତିଙ୍କୁ ଦେଖିଲେ ତୁରନ୍ତ ପୋଲିସକୁ ସୂଚନା ଦେବାକୁ କୁହାଯାଇଛି ...