ଦକ୍ଷିଣ କୋରିଆ ପପ୍‌ ସିଙ୍ଗର ଜିମିନଙ୍କ ଭଳି ଦେଖାଯିବାକୁ କରାଇଥିଲେ ୧୨ ସର୍ଜରୀ; କାନାଡ଼ା ଅଭିନେତାଙ୍କ ଦୁଃଖଦ ମୃତ୍ୟୁ

Published By : Prameya-News7 Bureau | April 25, 2023 IST

ନୂଆଦିଲ୍ଲୀ: ଦକ୍ଷିଣ କୋରିଆ ମ୍ୟୁଜିକ୍ ଷ୍ଟାର୍ ତଥା ବିଟିଏସ୍ ସଦସ୍ୟ ଜିମିନଙ୍କ ପରି ଦେଖା ହେବାକୁ ବହୁତ ଚେଷ୍ଟା କରିଥିଲେ କାନାଡ଼ା ଅଭିନେତା ସେଣ୍ଟ ଭନ କୋଲୁସି। ଏଥିପାଇଁ ନିଜ ଶରୀରେ ୧୨ଟି ସର୍ଜରି କରାଇଥିଲେ। ହେଲେ ଶେଷରେ ତାଙ୍କର ଦୁଃଖଦ ମୃତ୍ୟୁ ଘଟିଛି। ମାତ୍ର ୨୨ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି କୋଲୁସି।

ରବିବାର ଦକ୍ଷିଣ କୋରିଆର ଏକ ହସ୍‌ପିଟାଲ୍‌ରେ ସାଣ୍ଟ ଭନ୍‌ଙ୍କର ମୃତ୍ୟୁ ହୋଇଛି। ନିକଟରେ ହୋଇଥିବା ତାଙ୍କ ସର୍ଜରୀରେ ସଂକ୍ରମଣ ହେବା ଯୋଗୁ ଏଭଳି ଦୁଃଖଦ ଘଟଣା ଘଟିଛି।   

ସାଣ୍ଟ ଭନ ଦକ୍ଷିଣ କୋରିଆ ମ୍ୟୁଜିକ୍ ଷ୍ଟାର ଜିମିନ୍‌ଙ୍କ ବ୍ୟକ୍ତିତ୍ୱରେ ଏତେ ପ୍ରଭାବିତ ହୋଇଥିଲେ ଯେ ସେ ୨୦୧୯ରେ କାନାଡ଼ା ଛାଡ଼ି ଦକ୍ଷିଣ କୋରିଆ ଚାଲିଆସିଥିଲେ। ସେ ବି ଜିମିନଙ୍କ ଭଳି ଦେଖାଯିବେ, ଆଉ କୋରିଆରେ ମ୍ୟୁଜିକ୍‌ର ବେଷ୍ଟ କ୍ୟାରିୟର ଗଢ଼ିବେ, ଏହି ନିଶା ତାଙ୍କୁ ପାଗଳ କରିଦେଇଥିଲା। ଅବିକଳ ଜିମିନଙ୍କ ଭଳି ଦିଶିବାକୁ ଏପ୍ରିଲ ୨୨ ତାରିଖରେ ସାଣ୍ଟ ଭନ ନିଜର ସର୍ଜରୀ କରାଇଥିଲେ।

BTS Jimin Playlist | BTS' Jimin reveals the list of songs he listens to  when he is alone

ଏପ୍ରିଲ ୨୨ ତାରିଖରେ ଅପରେସନ କରି ଗତବର୍ଷ ନଭେମ୍ବର ମାସରେ ଲଗାଇଥିବା ହନୁ ହାଡ଼(ଗାଲର ତଳ ଭାଗା ହାଡ଼)କୁ ସେ ଗାଲରୁ ହଟାଇ ଦେଇଥିଲେ। ଅପରେସନ ପରେ ସେଠାରେ ସଂକ୍ରମଣ ହୋଇଯାଇଥିଲା। ଏହାପରେ ତାଙ୍କ ମୁହଁରେ ଟ୍ୟୁବ୍‌ ଲଗାଇବାକୁ ପଡ଼ିଥିଲା। ଏହାର କିଛି ଘଣ୍ଟା ପରେ ସାଣ୍ଟ ଭନ୍‌ଙ୍କର ମୃତ୍ୟୁ ହୋଇଛି।

ସାଣ୍ଟ ଭନ୍‌ ଗତବର୍ଷ ୨୨୦,୦୦୦ ଆମେରିକୀୟ ଡଲାର ଖର୍ଚ୍ଚ କରି ନିଜର ୧୨ଟି ସର୍ଜରୀ କରାଇଥିଲେ। ଏଥିରେ ସେ ତାଙ୍କ ନାକ(ନୋଜ୍ ଜବ୍), ମୁହଁ(ଫେସଲିଫ୍ଟ),ଭ୍ରୁଲତା ଉତ୍ଥାନ(ଆଇବ୍ରୋ ଲିଫ୍ଟ), ଆଖିପତା(ଆଇ ଲିଫ୍ଟ), ଓଠ କମାଇବା(ଲିପ୍ ରିଡକ୍ସନ) ଭଳି ସର୍ଜରୀ କରାଇଥିଲେ।

ସାଣ୍ଟ ଭନଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦେଇ ତାଙ୍କ ପ୍ରବକ୍ତା ଏରିକ୍ ବ୍ଲାକ୍ କହିଛନ୍ତି “ ଏହା ଖୁବ୍ ଦୁଃଖଦ ଓ ଦୁର୍ଭାଗ୍ୟପୂର୍ଣ୍ଣ। ସେ ତାଙ୍କ ଚେହେରାକୁ ନେଇ ବହୁତ ଅସନ୍ତୋଷ ଥିଲେ। ତାଙ୍କର ଏକ ଚାରିକଣିଆ ହନୁହାଡ଼ ସହ ଥୋଡ଼ି ଥିଲା। ପଶ୍ଚିମ ଦେଶର ଲୋକଙ୍କ ଭଳି ଚେହେରା ହୋଇଥିବାରୁ ଦକ୍ଷିଣ କୋରିଆରେ କାମ ମିଳିବା ତାଙ୍କ ପାଇଁ ବହୁତ କଷ୍ଟସାଧ୍ୟ ହୋଇପଡ଼ୁଥିଲା। ତାଙ୍କ ସହ ଭେଦଭାବ ହେଉଛି ବୋଲି ସେ ଅନୁଭବ କରୁଥିଲେ। ସେ ତାଙ୍କ ଚେହେରାକୁ ଆଦୌ ପସନ୍ଦ କରୁ ନଥିଲେ। ଏସିଆ ଦେଶର ଲୋକଙ୍କ ଭଳି ତାଙ୍କୁ ବି ଏକ ଭି ସାଇଜ୍‌ର ଜ ଲାଇନ୍(ହନୁ ହାଡ଼) ଆବଶ୍ୟକ ଥିଲା।”

Canadian Actor Dies After Reportedly Undergoing 12 Surgeries To Resemble BTS' Jimin

ଏଥିପାଇଁ ସେ ତାଙ୍କ ସର୍ଜରୀ କରାଇ ନିଜକୁ ପୂରା ପରିବର୍ତ୍ତନ କରିବାକୁ ଚାହୁଁଥିଲେ। ୨୦୧୯ରେ ଯେତେବେଳେ ସେ ଦକ୍ଷିଣ କୋରିଆ ଆସିଥିଲେ ସେତେବେଳେ ଏକ ଫାର୍ମ ତାଙ୍କ ରହିବା, ଖାଇବା ଓ ଯୋଗାଯୋଗ ଖର୍ଚ୍ଚ ଦେଉଥିଲା। ଏଥିପାଇଁ ସାଣ୍ଟ ଭନ ତାଙ୍କ ସହ ୭ ବର୍ଷର ଚୁକ୍ତି କରିଥିଲେ ବୋଲି ଏରିକ୍ କହିଛନ୍ତି।

ତେବେ ଡେଲି ମେଲ୍‌ର ରିପୋର୍ଟ ଅନୁସାରେ, ଆମେରିକାର ଏକ ଷ୍ଟ୍ରିମିଂ ପ୍ଲାଟ୍‌ଫର୍ମା ପାଇଁ ବିଟିଏସ୍ ସିଙ୍ଗର ଜିମିନଙ୍କ ଭୂମିକାରେ ଅବତୀର୍ଣ୍ଣ ହେବାକୁ ସେ ସର୍ଜରୀ କରି ନିଜକୁ ପରିବର୍ତ୍ତନ କରିଦେଇଥିଲେ। ଦକ୍ଷିଣ କୋରିଆରେ ଆସି ସେ ଗତବର୍ଷ ଡ୍ରାମା ପ୍ରିଟି ଲାଏସ୍‌ରୁ ତାଙ୍କ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ। ହେଲେ ହଠାତ୍ ତାଙ୍କର ଦୁଃଖଦ ମୃତ୍ୟୁ ଉଭୟ କାନାଡ଼ା ଓ ଦକ୍ଷିଣ କୋରିଆ ଫିଲ୍ମ ଇଣ୍ଡଷ୍ଟ୍ରୀକୁ ଦୁଃଖିତ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.