ନୂଆଦିଲ୍ଲୀ: ଭାରତ ସହିତ ଶତ୍ରୁତା କରିବା କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କୁ ମହଙ୍ଗା ପଡ଼ିଛି। ନିଜ ଦେଶର ନାଗରିକ ଏବେ ଟ୍ରୁଡୋଙ୍କୁ ସମାଲୋଚନା କରୁଛନ୍ତି। ଭାରତ ସହିତ ସମ୍ପର୍କ ଖରାପ ଟ୍ରୁଡୋ ଭୁଲ କରିଛନ୍ତି ବୋଲି କାନାଡ଼ାବାସୀ କହୁଛନ୍ତି। ଏକ ସର୍ଭେରୁ ଏହି ତଥ୍ୟ ସମ୍ନାକୁ ଆସିଛି। ସର୍ଭେ ରିପୋର୍ଟ ଅନୁସାରେ, ୩୯ ପ୍ରତିଶତ କାନାଡ଼ା ନାଗରିକ ଭାବୁଛନ୍ତି ଯେ ଟ୍ରୁଡୋ ସରକାର ଭାରତ ସହିତ ସୁସମ୍ପର୍କ ସ୍ଥାପନ କରିବାରେ ଫେଲ୍ ମାରିଛନ୍ତି।
କେବଳ ସେତିକି ନୁହେଁ, ଟ୍ରୁଡୋ ପ୍ରଧାନମନ୍ତ୍ରୀ ପଦରୁ ନ ହଟିବା ପର୍ଯ୍ୟନ୍ତ ସମ୍ପର୍କରେ ସୁଧାର ଆସି ପାରିବ ନାହଁ ବୋଲି ଏହି ୩୯ ପ୍ରତିଶତ କାନାଡ଼ା ନାଗରିକ ମତ ଦେଇଛନ୍ତି। ସେହିପରି ୩୪ ପ୍ରତିଶତ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ଥିବା ପର୍ଯ୍ୟନ୍ତ ସମ୍ପର୍କ ସୁଧୁରିବନି।
ଆଙ୍ଗୁସ୍ ରିଡ୍ ଇନଷ୍ଟିଚ୍ୟୁଟ୍ (ଏଆରଆଇ) ଏବଂ କାନାଡାର ଏସିଆ ପାସିଫିକ୍ ଫାଉଣ୍ଡେସନ୍ ଦ୍ୱାରା ଏକ ସର୍ଭେ କରାଯାଇଥିଲା। ଭାରତ-କାନାଡ଼ାର ତିକ୍ତ ସମ୍ପର୍କ ପାଇଁ କିଏ ଦାୟୀ ବୋଲି ଏଥିରେ ପ୍ରଶ୍ନ କରାଯାଇଥିଲା। ଏଥିରେ ଅଧିକାଂଶ କାନାଡ଼ା ନାଗରିକ ଟ୍ରୁଡୋ ସରକାରଙ୍କୁ ଦାୟୀ କରିଥିଲେ।
ସର୍ଭେ ରିପୋର୍ଟ ଅନୁସାରେ, ୩୯% କାନାଡ଼ା ନାଗରିକ ଦୁଇ ଦେଶର ତିକ୍ତ ସମ୍ପର୍କ ପାଇଁ ଟ୍ରୁଡୋ ସରକାରଙ୍କୁ ଦାୟୀ କରିଥିଲେ। ୩୨% ଏହାର ବିପରୀତ ମତ ଦେଇଥିବା ବେଳେ ୨୯% କିଛି ଜାଣି ନାହାନ୍ତି ବୋଲି କହିଥିଲେ।
ସୂଚନା ଥାଉକି, ୨୦୨୫ରେ କାନାଡା ସାଧାରଣ ନିର୍ବାଚନ ହେବାକୁ ଯାଉଛି। ଏଥିରେ ବିରୋଧୀ କଞ୍ଜରଭେଟିବ ପାର୍ଟି ନିର୍ବାଚନରେ ଜିତିବାର ଅଧିକ ସମ୍ଭାବନା ରହିଛି। ଯଦି ଏହି ଦଳ ନିର୍ବାଚନ ଜିତିଲା ତେବେ ଏହାର ମୁଖ୍ୟ ନେତା ପିଏର ପୋଏଲିଭ୍ରେ କାନାଡାର ପ୍ରଧାନମନ୍ତ୍ରୀ ହେବେ। ତାଙ୍କ ନେତୃତ୍ୱରେ ଦ୍ୱିପାକ୍ଷିକ ସମ୍ପର୍କ ସୁଧୁରିପାରେ ବୋଲି କାନାଡାବାସିନ୍ଦା ଆଶା ବ୍ୟକ୍ତ କରିଛନ୍ତି।