ଜଜଙ୍କ ଗେଟ୍‌ ବାହାରେ କ୍ୟାସ୍, ୧୫ ଲକ୍ଷ ଲାଞ୍ଚ ମାମଲାରେ ନିର୍ମଳ ଯାଦବଙ୍କ ସମେତ ୫ ମୁକ୍ତ

Published By : Prameya-News7 Bureau | March 29, 2025 IST

ନୂଆଦିଲ୍ଲୀ: ନିଜ ଗେଟ୍‌ରେ ମିଳିଥିବା ନଗଦ ଟଙ୍କା ମାମଲାରେ ସିବିଆଇ ସ୍ଵତନ୍ତ୍ର କୋର୍ଟ ଶନିବାର ପୂର୍ବତନ ବିଚାରପତି ନିର୍ମଳ ଯାଦବଙ୍କୁ ମୁକ୍ତ କରିଛନ୍ତି। ୨୦୦୮ ପଞ୍ଜାବ ଓ ହରିୟାଣା ହାଇକୋର୍ଟରେ ବିଚାରପତି ରହିବା ସମୟରେ ତାଙ୍କ ବିରୋଧରେ ୧୫ ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ହୋଇଥିଲା। ଆଜି ମାମଲାରେ ରାୟ ଦେଇଛନ୍ତି ସ୍ଵତନ୍ତ୍ର ସିବିଆଇ ଅଦାଲତ ଜଜ ଅଳକା ମଲିକ।  

ବିଚାରପତିଙ୍କ ପକ୍ଷରୁ କେସ୍ ଲଢୁଥିବା ଆଇନଜୀବୀ ବିଶାଳ ଗର୍ଗ କହିଛନ୍ତି ପୂର୍ବତନ ବିଚାରପତି ନିର୍ମଳ ଯାଦବ  ଏବଂ ଅନ୍ୟ ୪ ଜଣଙ୍କୁ ସ୍ଵତନ୍ତ୍ର ସିବିଆଇ କୋର୍ଟ ମୁକ୍ତ କରିଛନ୍ତି। ମାମଲାରେ ମୋଟ୍ ୫ ଜଣ ଅଭିଯୁକ୍ତ ଥିଲେ। ଏଥିରୁ ଜଣଙ୍କର ପୂର୍ବରୁ ମୃତ୍ୟୁ ଘଟି ସାରିଛି। ଅଦାଲତ ଗତ ମାମଲାର ଅନ୍ତିମ ଶୁଣାଣି କରିଥିଲେ। ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ କୋର୍ଟ ମାର୍ଚ୍ଚ ୨୯ ତାରିଖ ଯାଏଁ ରାୟ ସଂରକ୍ଷିତ ରଖିଥିଲେ।

ସୂଚନାଯୋଗ୍ୟ, ୧୭ ବର୍ଷ ପୂର୍ବେ ଭୁଲ୍ ଡେଲିଭରି କାରଣରୁ ଏହି ଲାଞ୍ଚ କାରବାର ସାମ୍ନାକୁ ଆସିଥିଲା। ଜଷ୍ଟିସ ନିର୍ମଳ ଯାଦବ ୨୦୦୮ ମସିହାରେ ମାତ୍ର ୩୩ ଦିନ ପୂର୍ବରୁ ହାଇକୋର୍ଟର ଜଜ ହୋଇଥିଲେ। ତାଙ୍କ ଘର ଗେଟ୍‌ରେ ଅଚାନକ ଏକ ନୋଟ୍‌ ଭର୍ତ୍ତି ବ୍ୟାଗ ପହଞ୍ଚିଥିଲା। ମାତ୍ର ଏହି ବିଷୟରେ ସେ ଅବଗତ ନ ଥିଲେ। ଟଙ୍କା ଭର୍ତ୍ତି ବ୍ୟାଗ ଦେଖି  ସେ ତୁରନ୍ତ ପୋଲିସକୁ ସୂଚନା ଦେଇଥିଲେ। ଏହା ପରେ ଲାଞ୍ଚ କାରବାରର ଚାଲିଥିବା ବଡ଼ ଖେଳର ପର୍ଦ୍ଦାଫାଶ ହୋଇଥିଲା। ଘଟଣାରେ ଯାଦବ ଓ ହରିୟାଣାର ଆଡିସିନାଲ ଆଡଭୋକେଟ୍ ଜେନେରାଲ ସଞ୍ଜୀବ ବଂଶଲଙ୍କ ଉପରେ କେସ୍ ରୁଜୁ ହୋଇଥିଲା। କିନ୍ତୁ କିଛି ବର୍ଷ ପରେ ବଂଶଲଙ୍କ ମୃତ୍ୟୁ ଘଟିଥିଲା।

Also read: ‘ମୋ ପତ୍ନୀର ୩ରୁ ୪ ପୁରୁଷ ବନ୍ଧୁ, ମୋ ପୁଅକୁ ମାରିଛନ୍ତି, ମୋତେ ଦେଇଛନ୍ତି ହତ୍ୟା ଧମକ...’

କୋର୍ଟରେ ମାମଲାର ଶୁଣାଣି ଦୀର୍ଘ ସମୟ ଧରି ଚାଲିଲା। ଏହି ସମୟରେ ଅନେକ ଜଜ ବଦଳି ହୋଇଥିଲେ। ପ୍ରାୟ ୮୯ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା। ପୁନର୍ବାର ୧୨ ସାକ୍ଷୀଙ୍କୁ ବୟାନ ରେକର୍ଡ ପାଇଁ ଡକାଯାଇଥିଲା। ଶେଷରେ ମାର୍ଚ୍ଚ ୨୯ରେ ସିବିଆଇର ସ୍ଵତନ୍ତ୍ର କୋର୍ଟଙ୍କ ରାୟ ଆସିଛି।  ଶନିବାର ରାୟ ଶୁଣାଇ ସିବିଆଇ କୋର୍ଟ କହିଛନ୍ତି, ଅଭିଯୋଗ ସାବ୍ୟସ୍ତ କରିବା ପାଇଁ ପର୍ଯ୍ୟାପ୍ତ ପ୍ରମାଣର ଅଭାବ ରହିଛି। ଏଥିସହ ମୁଖ୍ୟ ସାକ୍ଷୀ ଅଦାଲତରେ ପୂର୍ବରୁ ଦେଇଥିବା ବୟାନରୁ ଓହରି ଯାଇଥିଲେ। ଫଳରେ କେସ୍ ଆହୁରି ଦୁର୍ବଳ ହୋଇ ଯାଇଥିଲା। ଅଦାଲତ ଏହା ମଧ୍ୟ କହିଛନ୍ତି ଯେ, ସିବିଆଇ ଠୋସ୍ ପ୍ରମାଣ ଉପସ୍ଥାପନ କରିବାରେ ବିଫଳ ହୋଇଛି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.