ନୂଆଦିଲ୍ଲୀ,୨୮/୧୧: ଫେବ୍ରୁଆରୀ-ମାର୍ଚ୍ଚରେ ଆଇସିସି ଚାମ୍ପିଅନ୍ ଟ୍ରଫି । ପାକିସ୍ତାନ କ୍ରିକେଟ୍ ବୋର୍ଡ ଏହାକୁ ଆୟୋଜନ କରିବାକୁ ଯାଉଛି । ଟୁର୍ଣ୍ଣାମେଣ୍ଟକୁ ଆଉ ଦିନ କେଇଟା ବାକି, ହେଲେ ଏଯାଏ କ୍ରୀଡ଼ାସୂଚୀ ଚୂଡ଼ାନ୍ତ ହୋଇପାରି ନାହିଁ । ଏପଟେ ପାକିସ୍ତାନରେ ରାଜନୈତିକ ଅସ୍ଥିରତା ପିସିବି ପାଇଁ ନୂଆ ସମସ୍ୟା ସୃଷ୍ଟି କରିଛି । ସୁରକ୍ଷା ଦୃଷ୍ଟିରୁ ଶ୍ରୀଲଙ୍କା ବୋର୍ଡ ତା’ର ଏ’ ଦଳକୁ ପାକିସ୍ତାନରୁ ଫେରାଇ ନେଇଛି । ଯାହାକୁ ନେଇ ପିସିବି ଚାପରେ ଚେପା ହୋଇଛି ।
ପୂର୍ବରୁ ବିସିସିଆଇ ଭାରତୀୟ ଦଳକୁ ପାକିସ୍ତାନ ପଠାଇବାକୁ ମନା କରି ଦେଇଥିଲା । ଏହାପରେ ପିସିବି ଉଦ୍କ୍ଷିପ୍ତ ହୋଇ ହାଇବ୍ରିଡ୍ ମଡେଲରେ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବ ନାହିଁ ବୋଲି କହିଥିଲା । ଆଇସିସିର ବହୁ ବୁଝାସୁଝା ପରେ ବି ପିସିବି ନିଜ ଜିଦ୍ରେ ଅଟଳ ରହିଛି । ଆଇସିସି ଆସନ୍ତା ୨୯ ତାରିଖରେ ସମସ୍ତ ବୋର୍ଡକୁ ନେଇ ବୈଠକ କରିବ ଏବଂ ଏଥିରେ ଟୁର୍ଣ୍ଣାମେଣ୍ଟକୁ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ପାକିସ୍ତାନରେ ରାଜନୈତିକ ଅସ୍ଥିରତା ଦେଖା ଦେବା ପରେ ପିସିବି ପାଇଁ ଅଡ଼ୁଆ ବଢ଼ିଛି । ଶ୍ରୀଲଙ୍କା ଏ’ ଦଳ ଫେରିଯାଇଛି । ଚାମ୍ପିଅନ୍ସ ଟ୍ରଫିରେ ସାମିଲ ହୋଇଥିବା ଦଳ ଗୁଡ଼ିକ ଘଟଣା ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି । ପାକିସ୍ତାନର ପୂର୍ବତନ ବ୍ୟାଟର ବସିତ ଅଲି ୨୯ ତାରିଖରେ ହେବାକୁ ଥିବା ଆଇସିସିର ବୈଠକକୁ ମୂଲ୍ୟହୀନ ବୋଲି କହିଛନ୍ତି ।
ସେ କହିଛନ୍ତି, ‘ଆମ ଦେଶରେ ଏବେ ଯେଉଁ ଭଳି ସ୍ଥିତି ତାହା ଚାମ୍ପିଅନ୍ସ ଟ୍ରଫି ଆୟୋଜନ ଉପରେ ନିଶ୍ଚିତ ଘୋର ପ୍ରଭାବ ପକାଇବ ।’ ତେଣୁ ଯାହା ଆଶା କରାଯାଉଛି ପିସିବି ନିଜ ନିଷ୍ପତ୍ତି ବଦଳାଇବ ଏବଂ ବାଧ୍ୟ ହୋଇ ହାଇବ୍ରିଡ୍ ମଡେଲକୁ ସ୍ୱୀକୃତି ଦେବ । ହାଇବ୍ରିଡ୍ ମଡେଲ ଅନୁସାରେ ଭାରତ ତା’ର ସମସ୍ତ ମ୍ୟାଚ୍ ୟୁଏଇରେ ଖେଳିବ । ପୂର୍ବରୁ ଏସିଆ କପ୍ ଏହି ମଡେଲରେ ଆୟୋଜିତ ହୋଇଥିଲା ।