ପାକିସ୍ତାନ ପରେ IPLରୁ ବାଂଲାଦେଶ ଖେଳାଳିଙ୍କୁ ବାଦ୍ ! ବିସିସିଆଇ ଦେଲା ବଡ଼ ସଙ୍କେତ

Published By : Prameya-News7 Bureau | November 27, 2024 IST

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍) ୨୦୨୫ ସିଜିନର ମେଗା ନିଲାମ ସୋମବାର ସାଉଦି ଆରବର ଜେଦ୍ଦା ସହରରେ ସଂପନ୍ନ ହୋଇଛି। ଦୁଇ ଦିନ ଧରି ଚାଲିଥିବା ମେଗା ନିଲାମରେ ୧୦ଟି ଦଳ ୬୩୯.୧୫ କୋଟି ଟଙ୍କା ଖର୍ଚ୍ଚ କରି ୧୮୨ ଖେଳାଳିଙ୍କୁ ନିଜ ଦଳରେ ସାମିଲ କରିଛନ୍ତି। ଏଥର ଋଷଭ ପନ୍ତ ଓ ଶ୍ରେୟସ ଆୟର ସବୁଠୁ ମହଙ୍ଗା ଖେଳାଳି ହେବାର ଇତିହାସ ରଚିଛନ୍ତି। ପନ୍ତଙ୍କୁ ଏଲଏସଜି ୨୭ କୋଟି ଟଙ୍କାରେ କିଣିଥିବା ବେଳେ ଶ୍ରେୟସ ଆୟରଙ୍କୁ ପଞ୍ଜାବ କିଙ୍ଗ୍ସ ୨୬.୭୫ କୋଟି ଟଙ୍କାରେ କିଣିଛି। ଶ୍ରେୟସ ଦ୍ଵିତୀୟ ମହଙ୍ଗା  ଖେଳାଳି ପାଲଟିଛନ୍ତି।

ଅନ୍ୟପଟେ ଏମିତି ଏକ ଦେଶ ରହିଛି, ଯାହାର ଜଣେ ହେଲେ ଖେଳାଳିଙ୍କୁ କିଣିବା ପାଇଁ କୌଣସି ଫ୍ରାଞ୍ଚାଇଜ ଆଗ୍ରହ ପ୍ରକାଶ କରି ନାହାନ୍ତି। ବଡ କଥା ଉକ୍ତ ଦେଶର ୧୨ ଖେଳାଳି ନିଲାମ ପାଇଁ ନାଁ ପଞ୍ଜିକରଣ କରିଥିଲେ। କହିବାକୁ ଗଲେ ଏହି ଦେଶକୁ ବେଶ ନିରବତାର ସହ ଆଇପିଏଲ୍‌ରୁ ଅଲଗା କରି ଦିଆଯାଇଛି। ଆମେ କହୁଛୁ ବାଂଲାଦେଶର। ଏହି ଦେଶରେ ଶାସନ କ୍ଷମତା ବଦଳିବା ପରେ ହିନ୍ଦୁଙ୍କ ଉପରେ ଅତ୍ୟାଚାର ଥମିବାର ନାଁ ନେଉନାହିଁ। ନିକଟରେ ବାଂଲାଦେଶରେ ହିନ୍ଦୁ ପୂଜାରୀ ଓ ଇସ୍କନର ପୂର୍ବତନ ମୁଖ୍ୟ ଚିନ୍ମୟ କୃଷ୍ଣ ଦାସ ବ୍ରହ୍ମଚାରୀଙ୍କୁ ଗିରଫ କରାଯାଇଛି। ଏହାକୁ ନେଇ ଭାରତ କଡ଼ା ଆପତ୍ତି ପ୍ରକାଶ କରିବା ସହ ଏହି ଘଟଣାକୁ ଘୋର ନିନ୍ଦା କରିଛି। 

Also read: ଏତେ ଦାମ୍‌ରେ ବିକ୍ରି ହେଲେ, କିନ୍ତୁ ମିଳିବନି ସେତିକି ମୂଲ୍ୟ

ଏହା ମଧ୍ୟରେ ଆଇପିଏଲ୍‌ର ମେଗା ନିଲାମ ଆୟୋଜିତ ହୋଇଛି, ଯେଉଁଥିରେ ୧୨ ବାଂଲାଦେଶୀ ଖେଳାଳିଙ୍କ ନାଁ ସର୍ଟଲିଷ୍ଟରେ ସାମିଲ ଥିଲା। ଏଥିରୁ ମୁସ୍ତାଫିଜୁର ରେହମାନ ଓ ରିଶାଦ ହୁସେନଙ୍କ ନାଁ ଡକା ଯାଇଥିଲେ ହେଁ କୌଣସି ଫ୍ରାଞ୍ଚାଇଜ ଏହି ବାଂଲାଦେଶୀ ଖେଳାଳିଙ୍କୁ କିଣି ନ ଥିଲେ। ବାଂଲାଦେଶରେ ହିନ୍ଦୁଙ୍କ ଉପରେ ହେଉଥିବା ଅତ୍ୟାଚାର କାରଣରୁ ବିସିସିଆଇ ଭିତିରିଆ ଏମିତି ପଦକ୍ଷେପ ନେଇଥିବା କୁହାଯାଉଛି। 

ବାକି ୧୦ ଖେଳାଳିରେ ଲିଟନ ଦାସ, ତସ୍କିନ ଅହମ୍ମଦ, ଶାକିବ ଅଲ ହସନ, ମେହଦି ହସନ ମିରାଜ, ଶୋରିଫୁଲ ଇସ୍ଲାମ ଓ ତଞ୍ଜିମ ହସନ ଶାକିବଙ୍କ ପରି ଷ୍ଟାର ଖେଳାଳି ସାମିଲ। ମାତ୍ର ଏଥିରୁ ଜଣେ ହେଲେ ଖେଳାଳିଙ୍କ ନାଁ ନିଲାମ ଡାକରା ଯାଏଁ ଯାଇ ନ ଥିଲା। ସରଳ ଭାଷାରେ କହିବାକୁ ଗଲେ ପାକିସ୍ତାନ ପରେ ଏବେ ବାଂଲାଦେଶକୁ ମଧ୍ୟ ଆଇପିଏଲ୍‌ରୁ ଦୂରେଇ ଦିଆଯାଇଛି। ଯଦି ଏମିତି ଜାରି ରହେ ତେବେ ଭବିଷ୍ୟତରେ ବାଂଲାଦେଶର ଖେଳାଳି ଆଇପିଏଲ୍‌ରୁ ସବୁ ଦିନ ପାଇଁ ବିଦା ହୋଇଯିବେ। 

ଆଇପିଏଲ୍ ମେଗା ନିଲାମରେ ସାମିଲ ଥିବା ବାଂଲାଦେଶ ଖେଳାଳି ଓ ତାଙ୍କ ବେସ୍ ପ୍ରାଇସ୍

ମୁସ୍ତାଫିଜୁର ରେହମାନ(୨ କୋଟି), ତସ୍କିନ ଅହମ୍ମଦ(୧ କୋଟି), ଶାକିବ ଅଲ ହସନ(୧ କୋଟି), ମେହଦି ହସନ ମିରାଜ(୧ କୋଟି), ଶୋରିଫୁଲ ଇସ୍ଲାମ(୭୫ ଲକ୍ଷ), ତଞ୍ଜିମ ହସନ ଶାକିବ(୭୫ ଲକ୍ଷ), ମେହଦି ହସନ (୭୫ ଲକ୍ଷ), ନାହିଦ ରାଣା(୭୫ ଲକ୍ଷ), ରିଶାଦ ହୁସେନ(୭୫ ଲକ୍ଷ), ଲିଟନ ଦାସ(୭୫ ଲକ୍ଷ), ତୋହିଡ  ହଦୋୟ(୭୫ ଲକ୍ଷ), ହସନ ମହମୁଦ(୭୫ ଲକ୍ଷ)। 

ସୂଚନାଯୋଗ୍ୟ, ଆଇପିଏଲ୍‌ର ପ୍ରଥମ ସିଜିନ ୨୦୦୮ରେ ଖେଳି ପାରିଥିଲେ ପାକିସ୍ତାନ ଖେଳାଳି। ଏହି ସିଜିନରେ ପାକିସ୍ତାନର ୧୧ ଖେଳାଳି ଥିଲେ। କିନ୍ତୁ ଭାରତ ଓ ପାକିସ୍ତାନ ମଧ୍ୟରେ ରାଜନୈତିକ ତିକ୍ତତା କାରଣରୁ ପରବର୍ତ୍ତୀ ସମୟରେ ପାକିସ୍ତାନର ଖେଳାଳିଙ୍କୁ ଆଇପିଏଲ୍‌ରେ ଖେଳିବାକୁ ସୁଯୋଗ ଦିଆଗଲା ନାହିଁ। ଆଇପିଏଲ୍‌ ପ୍ରଥମ ସିଜିନରେ ୧୧ ଖେଳାଳି ଖେଳିଥିଲେ।

ସେହି ୧୧ ଖେଳାଳି ହେଉଛନ୍ତି ସଲମାନ ବଟ୍ଟ, ସୋଏବ ଅଖତର, ମହମ୍ମଦ ହାଫିଜ, ଉମର ଗୁଲ, କମ୍ରାନ ଆକମଲ, ୟୁନୁସ ଖାନ, ସୋହେଲ ତନବୀର, ମହମ୍ମଦ ଆସିଫ, ସୋଏବ ମଲିକ, ଶାହିଦ ଆଫ୍ରିଦି ଓ ମିସବା ଉଲହକ। 

 

 

  • IPL 2025
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.