ନୂଆଦିଲ୍ଲୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ଟେଷ୍ଟ ଡିସେମ୍ବର ୬ରୁ ଆଡିଲେଡର ଓଭାଲ ମଇଦାନରେ ଖେଳାଯିବ । ପିଙ୍କ ବଲ୍ର ଏହି ଦିବାରାତ୍ର ଟେଷ୍ଟ ମ୍ୟାଚ୍ ପାଇଁ ଭାରତୀୟ ଦଳ ପ୍ରସ୍ତୁତି ଆରମ୍ଭ କରି ଦେଇଛି। ପ୍ରଥମ ଟେଷ୍ଟ ଖେଳି ନ ଥିବା ନିୟମିତ ଅଧିନାୟକ ରୋହିତ ଶର୍ମା ଭାରତୀୟ ଦଳରେ ଯୋଗ ଦେଇ ସାରିଛନ୍ତି। ମହମ୍ମଦ ଶାମିଙ୍କୁ ନେଇ କୌଣସି ଅପଡେଟ୍ ମଧ୍ୟ ଆସିନାହିଁ। ତେବେ ଆହତ କାରଣରୁ ପର୍ଥ ଟେଷ୍ଟ ଖେଳି ପାରି ନ ଥିବା ଶୁଭମନ ଗିଲ୍ଙ୍କ ଦ୍ଵିତୀୟ ଟେଷ୍ଟ ଖେଳିବା ନେଇ ମଧ୍ୟ ଆଶଙ୍କା ଦେଖା ଦେଇଛି। କାରଣ ଗିଲ୍ ଏ ପର୍ଯ୍ୟନ୍ତ ଆହତ ସମସ୍ୟାରୁ ମୁକୁଳି ନାହାନ୍ତି।
ବର୍ଡର-ଗାଭାସ୍କର ଟ୍ରଫି ଆରମ୍ଭ ହେବା ପୂର୍ବରୁ ଭାରତୀୟ ଦଳର ଖେଳା ଯାଇଥିବା ଇଣ୍ଟ୍ରା ସ୍କ୍ୱାର୍ଡ ମ୍ୟାଚରେ ଗିଲଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିଲା । ସ୍ଲିପରେ ଫିଲ୍ଡିଂ କରିବା ବେଳେ ଗିଲଙ୍କୁ ଆଘାତ ଲାଗିଥିଲା । ଫଳରେ ସେ ପର୍ଥ ଟେଷ୍ଟରେ ଦଳର ଚୂଡାନ୍ତ ଏକାଦଶରୁ ବାଦ୍ ପଡିଥିଲେ। ଟାଇମ୍ସ ଅଫ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ଶୁଭମନ ଗିଲଙ୍କୁ ୧୦ରୁ ୧୪ ଦିନ ବିଶ୍ରାମ ନେବାକୁ ପରାମର୍ଶ ଦିଆଯାଇଛି । ତେଣୁ ଦ୍ୱିତୀୟ ଟେଷ୍ଟରେ ତାଙ୍କ ଖେଳିବା ନେଇ ଆଶଙ୍କା ଦେଖା ଦେଇଛି ।
ଅନ୍ୟପଟେ ରୋହିତ ଶର୍ମା ପର୍ଥ ଟେଷ୍ଟର ଚତୁର୍ଥ ଦିନରେ ଅଷ୍ଟ୍ରେଲିଆରେ ପହଞ୍ଚି ଦଳରେ ଯୋଗ ଦେବା ସହ ନିଜର ଅଭ୍ୟାସ ଆରମ୍ଭ କରି ଦେଇଛନ୍ତି । ଅନ୍ୟପଟେ ଦ୍ରୁତ ବୋଲର ମହମ୍ମଦ ଶାମି କେବେ ଅଷ୍ଟ୍ରେଲିଆ ପହଞ୍ଚିବେ ତାର କୌଣସି ଖବର ନାହିଁ । ତେଣୁ ତାଙ୍କର ଆଡିଲେଡ୍ ଟେଷ୍ଟ ଖେଳିବା ନେଇ ସମ୍ଭାବନା କମ ଲାଗୁଛି ।