ଆରମ୍ଭ ହେଲା ଚାରିଧାମ ଯାତ୍ରା, ଅଫଲାଇନରେ ବି ହେଉଛି ପର୍ଯ୍ୟଟକଙ୍କ ରେଜିଷ୍ଟ୍ରେସନ

Published By : Prameya-News7 Bureau | April 30, 2025 IST

ଡେରାଡୁନ ୩୦।୪: ପବିତ୍ର ଅକ୍ଷୟ ତୃତୀୟା ସହ ୩୦ ଏପ୍ରିଲ ବୁଧବାର ଚାରିଧାମ ଯାତ୍ରା ଆରମ୍ଭ ହୋଇଛି। ଏହି ପବିତ୍ର ଯାତ୍ରାରେ ସାମିଲ ହେବା ପାଇଁ ଶ୍ରଦ୍ଧାଳୁ ଉଭୟ ଅନଲାଇନ ଓ ଅଫଲାଇନରେ ବି ରେଜିଷ୍ଟ୍ରେସନ କରାଇ ପାରିବେ। କୁହାଯାଉଛି ଏଥରକର ଚାରିଧାମ ଯାତ୍ରାରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ସମସ୍ତ ପୁରୁଣା ରେକର୍ଡ ଭାଙ୍ଗିବ। କେବଳ ଅନଲାଇନରେ ଏପର୍ଯ୍ୟନ୍ତ ଚାରିଧାମ ଯାତ୍ରା ନିମନ୍ତେ ୨୨ ଲକ୍ଷ ପଞ୍ଜିକରଣ ହେଲାଣି। ଅନ୍ୟପଟେ ଅଫଲାଇନ ପଞ୍ଜିକରଣ ପାଇଁ ବହୁସଂଖ୍ୟାରେ ପର୍ଯ୍ୟଟକ ଏବେ ପହଞ୍ଚିବା ଆରମ୍ଭ କରିଦେଲେଣି। 

ଶ୍ରଦ୍ଧାଳୁଙ୍କ ପଞ୍ଜିକରଣ ପାଇଁ ହରିଦ୍ୱାର, ଋଷିକେଶ ଓ ଡେରାଡୁନରେ କାଉଣ୍ଟର ଖୋଲାଯାଇଛି। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଚାରଧାମ ଯାତ୍ରା ପ୍ରାରମ୍ଭରେ ଶ୍ରଦ୍ଧାଳୁଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। ଏହି ଯାତ୍ରା ପ୍ରାରମ୍ଭ ଅବସରରେ ସେ କହିଛନ୍ତି ଯେ ‘ଆଜି ଅକ୍ଷୟ ତୃତୀୟାର ଶୁଭଦିନରେ ଗଙ୍ଗୋତ୍ରୀ ଓ ୟମୁନେତ୍ରୀ ଧାମର କବାଟ ଖୋଲିଯାଇଛି। ମୋତେ ବି ଉଭୟ ଧାମରେ ଦର୍ଶନ ଓ ପୂଜନ କରିବାର ସୌଭାଗ୍ୟ ପ୍ରାପ୍ତ ହୋଇଛି। ଶ୍ରଦ୍ଧାଳୁଙ୍କ ସୁବିଧା ଓ ସୁରକ୍ଷା ନିମନ୍ତେ ସବୁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି।’

ବୁଧବାର ଗଙ୍ଗୋତ୍ରୀ ଧାମର କବାଟ ପୂର୍ବାହ୍ନ ୧୦ଟା ୩୦ ମିନିଟରେ ଖୋଲିଥିବା ବେଳେ ୟମୁନେତ୍ରୀ ଧାମର କବାଟ ୧୧ଟା ୫୦ ମିନିଟରେ ଶ୍ରଦ୍ଧାଳୁଙ୍କ ନିମନ୍ତେ ଖୋଲିଛି। ଏଥିରେ କେଦାରନାଥ ଧାମର କବାଟ ୨ ମେ ଶୁକ୍ରବାର ପୂର୍ବାହ୍ନ ୭ଟା ବେଳେ ଓ ବଦ୍ରିନାଥ ଧାମ କବାଟ ୪ ମେ ରବିବାର ପୂର୍ବାହ୍ନ ରେ ଖୋଲାଯିବ। ଏଥିରେ ଚାରିଧାମ ଯାତ୍ରା କାଳରେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ନିମନ୍ତେ ଉତ୍ତରାଖଣ୍ଡ ପ୍ରଶାସନ ଖାସ ପ୍ରସ୍ତୁତି କରିଛି। ଏହା ସହିତ କେଦାରନାଥ ଧାମକୁ ସଜେଇବା କାମ ମଧ୍ୟ ଆରମ୍ଭ ହୋଇଯାଇଛି। କେଦାରନାଥଙ୍କ ମନ୍ଦିରକୁ ୧୩ କ୍ୱିଣ୍ଟଲ ଗେଣ୍ଡୁ ଫୁଲରେ ସଜା ଯାଉଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.