ବିଷ୍ଣୋଇ ଗ୍ୟାଙ୍ଗର ଧମକ ଏବେ ପାକିସ୍ତାନ ଲାଗି ନୂଆ ମୁଣ୍ଡବିନ୍ଧା, ହାଫିଜ ସଇଦ ଫଟୋରେ ଲଗାଇଛି ‘କ୍ରସ୍’

Published By : Prameya-News7 Bureau | April 30, 2025 IST

ନୂଆଦିଲ୍ଲୀ ୩୦।୪: ଜମ୍ମୁ-କାଶ୍ମୀର ପହଲଗାମରେ ଆତଙ୍କୀ ଗୁଳିକାଣ୍ଡ ଯୋଗୁ ସାରା ଦେଶ ଏବେ କ୍ରୋଧରେ। ଏଥିରେ ଗ୍ୟାଙ୍ଗଷ୍ଟ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ପାକିସ୍ତାନକୁ ସିଧା ଧମକ ଦେଇଛି। ସୋସିଆଲ ମିଡିଆରେ ଏକ ପୋଷ୍ଟ ସାମ୍ନାକୁ ଆସିଛି। ଏଥିରେ ଆତଙ୍କବାଦୀ ହାଫିଜ ସଇଦର ଫଟୋରେ ଲାଲ ଛକ ଚିହ୍ନ ଲଗାଇ ଲେଖିଛି ‘ତୁମେ ଆମର ନିର୍ଦ୍ଦୋଷ ଲୋକଙ୍କୁ ମାରିଛ ଏବେ ଆମେ ପାକିସ୍ତାନରେ ପଶି ଏକ ଏପରି ବ୍ୟକ୍ତିକୁ ମାରିବୁ ଯିଏ ୧ ଲକ୍ଷ ଲୋକଙ୍କ ସଙ୍ଗେ ସମାନ’। 

ତେବେ ଏହି ପୋଷ୍ଟକୁ ବିଷ୍ଣୋଇ ଗ୍ୟାଙ୍ଗ ଜାରି କରିଛି କି ନା ତାହା ଏପର୍ଯ୍ୟନ୍ତ ଅଧିକାରୀକ ପୁଷ୍ଟି ହୋଇ ନାହିଁ। ହେଲେ ସୋସିଆଲ ମିଡିଆରେ ଏହି ପୋଷ୍ଟ ଦ୍ରୁତ ଭାଇରାଲ ହେବାରେ ଲାଗିଛି। ତେବେ ବିଷ୍ଣୋଇ ଗ୍ୟାଙ୍ଗର ଏହି ଧମକ ଏବେ ନୂଆ ମୋଡ଼ ନେଇଛି। ଉଲ୍ଲେଖଯୋଗ୍ୟ ଯେ ହାଫିଜ ସଇଦ ଲସ୍କର-ଏ-ତୌୟବାର ସଂସ୍ଥାପକ ଏବଂ ଭାରତର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀଙ୍କ ମଧ୍ୟରେ ଜଣେ। ଏଥିରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଧମକ ଚର୍ଚ୍ଚାକୁ ନୂଆ ଖୋରାକ ଯୋଗାଇଛି। 

ଲରେନ୍ସ ବିଷ୍ଣୋଇ ଏବେ ଗୁଜରାଟର ଏକ ଜେଲରେ ବନ୍ଦୀ ଅଛି। ହେଲେ ତା ଗ୍ୟାଙ୍ଗ ସାରା ଦେଶରେ କାମ କରୁଛି। ଏହି ଗ୍ୟାଙ୍ଗ ଅପହରଣ କରି ଟଙ୍କା ମାଗିବା, ସୁପାରି କିଲିଂ ଓ ହାଇ ପ୍ରୋଫାଇଲ ହତ୍ୟାକାଣ୍ଡ କରୁଛି। ଏହି ଗ୍ୟାଙ୍ଗ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାକୁ ହତ୍ୟା କରିଥିଲା। ନିକଟରେ ବଲିଉଡ ଅଭିନେତା ସଲମାନ ଖାନ ଘର ଉପରକୁ ଗୁଳି ଚଳାଇବା ଓ ବାବା ସିଦ୍ଦିକୀ ହତ୍ୟା ଉଦ୍ୟମ ମଧ୍ୟ ଏହି ଗ୍ୟାଙ୍ଗ ନାମରେ ଆସିଛି।

ତେବେ ପାକିସ୍ତାନକୁ ଦିଆଯାଇଥିବା ଏହି ଧମକ ଦେଶରେ ସୁରକ୍ଷା ଏଜେନ୍ସୀଙ୍କୁ ଆଲର୍ଟ ମୋଡକୁ ନେଇ ଆସିଛି। ଏହି ପୋଷ୍ଟ କେତେ ଅସଲୀ ଏହାର ସତ୍ୟତା ଯାଞ୍ଚ ହେବା ପରେ ଯାଇ ଜଣାପଡିବ। ହେଲେ ଏହି ପୋଷ୍ଟରେ ହାଫିଜ ସଇଦକୁ ଯେପରି ଟାର୍ଗେଟ୍ କରାଯାଇଛି ଏଥିରୁ ଜଣାପଡୁଛି ଏହି ପୋଷ୍ଟ କେବଳ ସୋସିଆଲ ମିଡିଆ ପର୍ଯ୍ୟନ୍ତ ସୀମିତ ରହିବନି। ଏଣୁ ସୁରକ୍ଷା ଏଜେନ୍ସୀମାନେ ଏବେ ସତର୍କ ହୋଇଯାଇଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.