ଇସ୍ଲାମାବାଦ ୩୦।୪: ପହଲଗାମ ଗୁଳିକାଣ୍ଡକୁ ନେଇ ଭାରତର ଆକ୍ରମକତା ଓ ଧଡାଧଡ ଆକ୍ସନରେ ପାକିସ୍ତାନ ଛାନିଆ ହୋଇପଡିଛି। ପାକିସ୍ତାନ ମନ୍ତ୍ରୀମାନଙ୍କ କହିବା କଥା ହେଉଛି ଭାରତ କୌଣସି ମୁହୂର୍ତ୍ତରେ ଯୁଦ୍ଧ ଆରମ୍ଭ କରିଦେଇପାରେ, ଏହି ଆଶଙ୍କା ଏଥି ପାଇଁ କରାଯାଉଛି ଭାରତର ପ୍ରଧାନମନ୍ତ୍ରୀ ମଙ୍ଗଳବାର ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ସେନା ଉପରେ ନ୍ୟସ୍ତ କରିଛନ୍ତି। ଏଥି ପାଇଁ ପାକ୍ ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ ବୁଧବାର ଚେତାବନୀ ଦେଇଛନ୍ତି ଯେ ଭାରତ ସହିତ ଯୁଦ୍ଧର ଭୟ ବଢିବାରେ ଲାଗିଛି।
ଖ୍ୱାଜା ଆସିଫ ପାକିସ୍ତାନ ସଂସଦ ବାହାରେ ଗଣମାଧ୍ୟମ ସହ ଆଲୋଚନାରେ ବର୍ତ୍ତମାନର ସୁରକ୍ଷା ପରିସ୍ଥିତି ଉପରେ ପଚରାଯାଇଥିବା ପ୍ରଶ୍ନର ଜବାବ ଦେଇଛନ୍ତି। ସେ କହିଛନ୍ତି ଯେ ସମୟ ବିତିବା ସହିତ ସଂଘର୍ଷର ଭୟ କମୁ ନାହିଁ, ବଢିବାରେ ଲାଗିଛି। ତେବେ କେତେକ ଦେଶ ଏହି ସ୍ଥିତି ଟାଳିବାକୁ ଉଦ୍ୟମ କରୁଛନ୍ତି। ସେ କହିଛନ୍ତି ଯେ ପାକିସ୍ତାନ ଭାରତର କୌଣସି ପ୍ରକାରର ଆକ୍ରମକତାର ଉଚିତ ଜବାବ ଦେବ। ହେଲେ ଏହାର ପ୍ରତିକ୍ରିୟା କିପରି ରହିବ ସେସମ୍ପର୍କରେ କିଛି କହି ନାହାନ୍ତି।
ସେ କହିଛନ୍ତି ଯେ ଯଦି ଭାରତ ପକ୍ଷରୁ କୌଣସି ପ୍ରକାରର ଉଲ୍ଲଂଘନ ହୁଏ ତେବେ ଆମେ ଜବାବ ଦେବୁ ଓ ଆମର ପ୍ରତିକ୍ରିୟା କିପରି ରହିବ ଏହା ଭାରତର ଆକ୍ସନରୁ ନିର୍ଦ୍ଧାରଣ ହେବ। ତେବେ ଆମର ପ୍ରତିକ୍ରିୟାକୁ ନେଇ କାହାର ସନ୍ଦେହ ରହିବା ଉଚିତ ନୁହେଁ। ଏହା ପୂର୍ବରୁ ଜମ୍ମୁ-କାଶ୍ମୀରରେ ନିୟନ୍ତ୍ରଣ ରେଖା (ଏଲଓସି)ରେ ପଡୋଶୀ ଦେଶ ପକ୍ଷରୁ ବିନା ଉସକାଇବାରେ ହୋଇଥିବା ଗୁଳିବିନିମୟ ମଧ୍ୟରେ ଭାରତ ଓ ପାକିସ୍ତାନ ସୈନ୍ୟ ଅଭିଯାନର ଡିଜିଏମଓ ହଟଲାଇନରେ ଆଲୋଚନା କରିଛନ୍ତି। ମାମଲା ସମ୍ପର୍କିତ ଲୋକେ ବୁଧବାର ଏହି ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ ଗୁଳିବିନିମୟ କାଳରେ ଭାରତୀୟ ପକ୍ଷରୁ ବିନା ଉସକାଇବାରେ ହେଉଥିବା ଗୁଳିବିନିମୟ ସମ୍ପର୍କରେ ପାକିସ୍ତାନକୁ ସତର୍କ କରାଯାଇଛି। ସୂଚନା ଅନୁସାରେ ଦୁଇ ଦେଶଙ୍କ ସୈନ୍ୟ ଅଭିଯାନ ମହାନିର୍ଦ୍ଦେଶକଙ୍କ ମଧ୍ୟରେ ହଟଲାଇନ ଆଲୋଚନା ମଙ୍ଗଳବାର ହୋଇଥିଲା। ଅଧିକାରଙ୍କ ମଧ୍ୟରେ ଏହି ଆଲୋଚନା ପହଲଗାମ ଆତଙ୍କବାଦୀ ଗୁଳିକାଣ୍ଡକୁ ନେଇ ଉତ୍ତେଜନା ପରିପ୍ରେକ୍ଷୀରେ ଭାରତ ଓ ପାକିସ୍ତାନ ମଧ୍ୟରେ ବଢୁଥିବା ଉତ୍ତେଜନାରେ ହୋଇଥିଲା।